ନକଲି ଭିଡିଓ ଛାଡ଼ିବା ଦିଗ୍‌ବିଜୟଙ୍କୁ ମହଙ୍ଗା ପଡ଼ିଲା

ଭୋପାଳ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କୁ ବଦନାମ କରିବା ଲାଗି ଏକ ନକଲି ଭିଡିଓ କ୍ଲିପ୍ ଟ୍ବିଟରରେ ଛାଡ଼ିବା ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ବିଜେପିର ଅଭିଯୋଗ କ୍ରମେ ପୁଲିସ ଦିଗବିଜୟଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛି। ସୂଚନା ଥାଉ କି, ମୁଖ୍ୟମନ୍ତ୍ରୀ ଶିବରାଜ ସିଂହଙ୍କର ଏକ ଅସଲି ଭିଡିଓ କ୍ଲିପ୍‌କୁ ଅଦଳବଦଳ କରି ଦିଗ୍‌ବିଜୟ ଟ୍ବିଟରରେ ଛାଡ଼ିଥିଲେ। ଏଥିରେ ସେ ଦର୍ଶାଇବାକୁ ଚାହିଥିଲେ କି ଶିବରାଜ ସତେ ଯେପରି ମଦ୍ୟପାନକୁ ପ୍ରୋତ୍ସାହିତ କରୁଛନ୍ତି। ତେବେ ପ୍ରାକ୍ତନ ମୁଖ୍ୟମନ୍ତ୍ରୀ କମଲନାଥ ସରକାର ରାଜ୍ୟରେ ମଦଦୋକାନ ଖୋଲିବାକୁ ଅବକାରୀ ନୀତିରେ ପରିବର୍ତ୍ତନ ଆଣିବା ପରିପ୍ରେକ୍ଷୀରେ ଶିବରାଜଙ୍କ ପ୍ରତିବାଦ ସମ୍ବଳିତ ସଂପୃକ୍ତ ଭିଡିଓଟିକୁ ଏପଟସେପଟ କରାଯାଇଛି ବୋଲି ବିଜେପି ନେତା ତଥା ପ୍ରାକ୍ତନ ଗୃହମନ୍ତ୍ରୀ ଉମାଶଙ୍କର ଗୁପ୍ତା ଅଭିଯୋଗ ଆଣିଛନ୍ତି। ଉକ୍ତ ଭିଡିଓଟି ଦିଗ୍‌ବିଜୟଙ୍କ ନିଜସ୍ବ ଟ୍ବିଟରରେ ପୋଷ୍ଟ୍ ହୋଇଥିବା ବେଳେ ଏହାକୁ ଆଉ ୧୦ ଜଣ ପୁଣି ଥରେ ଟ୍ବିଟ୍ କରିଛନ୍ତି। ତେବେ ଉମାଶଙ୍କରଙ୍କ ଅଭିଯୋଗ ପରେ ଏହାକୁ ଟ୍ବିଟରରୁ ହଟାଇ ନିଆଯାଇଛି। ଅପରପକ୍ଷେ, ଦିଗ୍‌ବିଜୟଙ୍କ ସମେତ ଅନ୍ୟ ୧୦ ଜଣଙ୍କ ବିରୋଧରେ ମାନହାନି ଓ ଜାଲିଆତି ମାମଲା ରୁଜୁ ହୋଇଥିବା କ୍ରାଇମ୍ ବ୍ରାଞ୍ଚ୍ ସୂତ୍ରରୁ ଜଣାଯାଇଛି।

ସମ୍ବନ୍ଧିତ ଖବର