କାର୍‌ରେ ଚାବି ଛାଡ଼ି ଯିବା ମହଙ୍ଗା ପଡ଼ିଲା, ପତ୍ନୀ ସମେତ କାର୍‌ ନେଇ ପଳାଇଲେ ଲୁଟେରା

ଚଣ୍ଡିଗଡ଼ : ପଂଜାବାର ଡେରାବାସିରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଜଣେ ବ୍ୟକ୍ତି କାର୍‌ରେ ଚାବି ଛାଡ଼ିଯିବା ପରେ କାର୍‌ ‌ତ ଚୋରି ହେଲା ତା’ ସହ ତାଙ୍କ ପତ୍ନୀଙ୍କୁ ମଧ୍ୟ ଲୁଟେରା ନେଇଗଲେ। ଅବଶ୍ୟ କିଛି ବାଟ ଯିବାପରେ ଲୁଟେରାମା‌ନେ ତାଙ୍କ ପତ୍ନୀଙ୍କୁ ରାସ୍ତାକଡ଼ରେ ଫୋପାଡ଼ି ଦେଇ ପଳାଇଥିଲେ। ଡେରାବାସିର ଏକ ସ୍କୁଲ୍‌ ନିକଟରେ ଏହି ଘଟଣା ଘଟିଛି। ରାଜୀବ ଚାନ୍ଦ ନାମକ ଜଣେ ବ୍ୟକ୍ତି ତାଙ୍କ ପତ୍ନୀ ଋତୁଙ୍କ ସହ ସେମାନଙ୍କ ପିଲାଙ୍କ ସ୍କୁଲ୍‌ ଫି ଦାଖଲ ପାଇଁ ଗତ ଗୁରୁବାର ଅପରାହ୍ନରେ କାର୍‌ ନେଇ ବାହାରିଥିଲେ। ରାଜୀବ ସ୍କୁଲ୍‌ ପାଖରେ ଗାଡ଼ି ପାର୍କ କରି ସ୍କୁଲ୍‌କୁ ଯାଇଥିବା ବେଳେ ତାଙ୍କ ପତ୍ନୀ ଗାଡ଼ିରେ ବସିଥିଲେ। ସେ ଗାଡ଼ିରେ ଚାବି ଛାଡ଼ି ଦେଇ ଯାଇଥିଲେ। ଏହି ସମୟରେ ଦୁଇଜଣ ଦୁର୍ବୃତ୍ତ ଆସି କାର୍‌ରେ ପଶି ଯାଇଥିଲେ। ଜଣେ ଡ୍ରାଇଭର୍‌ ସିଟ୍‌ରେ ବସି ଗାଡ଼ି ଚଲାଇଥିବା ବେଳେ ଅନ୍ୟ ଜଣେ ଋତୁଙ୍କ ପାଖରେ ବସି ତାଙ୍କ ପାଟି ବନ୍ଦ କରିଦେଇଥିଲା। ପାଖାପାଖି ୫ କିମି ଯିବାପରେ କାର୍‌ ଲୁଟେରାମାନେ ଋତୁଙ୍କୁ ଅମ୍ବାଲା ଟୋଲ୍‌ ପ୍ଲାଜା ନିକଟରେ ଛାଡ଼ି ଦେଇଥିଲେ। ମହିଳା ଜଣଙ୍କ ଏହାପରେ ତାଙ୍କ ସ୍ବାମୀଙ୍କୁ ଫୋନ୍‌ କରିବାକୁ ସକ୍ଷମ ହୋଇଥିଲେ ଏବଂ ସବୁକଥା ଜଣାଇଥିଲେ। ଉକ୍ତ ଘଟଣାରେ ତଦନ୍ତ ଆରମ୍ଭ ହୋଇଛି ଏବଂ ଅଭିଯୁକ୍ତଙ୍କୁ ଧରିବାପାଇଁ ପ୍ରକ୍ରିୟା ଜାରି ରହିଛି। ଡେରାବାସି ପୁଲିସ ସିସିଟିଭି ଫୁଟେଜ୍‌ ଯାଞ୍ଚ୍‌ କରି ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର