କରୋନାଭାଇରସ୍ ବ୍ୟାପିଥିଲେ ବି ଜଣେ ହେଲେ ସଂକ୍ରମିତ ହୋଇନାହାନ୍ତି ଇଟାଲିର ଜିଗ୍‌ଲିଓ ଦ୍ବୀପରେ!

ଜିଗ୍‌ଲିଓ ଦ୍ବୀପ: ଇଟାଲି ଅନ୍ତର୍ଗତ ଜିଗ୍‌ଲିଓ ଦ୍ବୀପରେ କରୋନାଭାଇରସ୍ ବ୍ୟାପିଥିଲେ ମଧ୍ୟ ସେଠାକାର କୌଣସି ଅଧିବାସୀ ବା ପର୍ଯ୍ୟଟକ କୋଭିଡ୍-୧୯ରେ ଆକ୍ରାନ୍ତ ନ ହେବା ଘଟଣା ସମସ୍ତଙ୍କୁ ବିସ୍ମିତ କରିଛି।

ଫେବ୍ରୁଆରି ୧୮ ତାରିଖ ଦିନ ବାହାରୁ ଆସିଥିବା ୬୦ ବର୍ଷରୁ ଅଧିକ ବୟସ୍କ ଜଣେ ବ୍ୟକ୍ତି ହେଉଛନ୍ତି ଏହି ଦ୍ବୀପର ପ୍ରଥମ କୋଭିଡ୍-୧୯ ପଜିଟିଭ୍ ବାହାରିଥିବା ବ୍ୟକ୍ତି। ଜଣେ ଆତ୍ମୀୟଙ୍କ ଅନ୍ତିମ ସଂସ୍କାରକୁ ଆସିଥିବା ବ୍ୟକ୍ତିଜଣକ ଜାହାଜରେ କାଶି କାଶି ଆସୁଥିଲେ। ସେ ସେହି ଦିନ ହିଁ ମେନ୍‌ଲାଣ୍ଡ୍‌କୁ ଫେରିଯାଇଥିଲେ। ତିନି ସପ୍ତାହ ପରେ ଏକ ଡାକ୍ତରଖାନାରେ ତାଙ୍କର ଦେହାନ୍ତ ହୋଇଥିଲା।

ମାର୍ଚ ୫ ତାରିଖ ଦିନ ମେନ୍‌ଲାଣ୍ଡ୍‌ରୁ ଏହି ଦ୍ବୀପକୁ ଆସିଥିବା ଆଉ ଦିନିଜଣ ପର୍ଯ୍ୟଟକ କୋଭିଡ୍-୧୯ ଆକ୍ରାନ୍ତ ବୋଲି ପରୀକ୍ଷାରୁ ଜଣାପଡ଼ିଥିଲା। ସେମାନଙ୍କ ମଧ୍ୟରୁ ଉତ୍ତର ଇଟାଲିରୁ ଆସିଥିଲେ ଜଣେ ଜର୍ମାନି ବ୍ୟକ୍ତି। ସେତେବେଳକୁ କିଛି ଦିନ ହେବ ଜିଗ୍‌ଲିଓ ଦ୍ବୀପରେ ସେ ତାଙ୍କ ପୁରାତନ ବନ୍ଧୁମାନଙ୍କ ମିଳାମିଶା କରିବା ସହ ଅନେକ ଖାଇବା ଦୋକାନରେ ଖାଅପିଅ କରିଥିଲେ। କିଛି ଦିନ ପରେ ସେ ଖୁବ୍ କାଶିବାରୁ ପରୀକ୍ଷା ପରେ କୋଭିଡ୍-୧୯ ପଜିଟିଭ୍ ବାହାରିଥିଲେ। ସେ ଦ୍ବୀପର ଗୋଟିଏ ଘରେ ଏକାନ୍ତବାସରେ ରହିଥିଲେ। ଏମିତି ଆହୁରି କେତେକ ସଂକ୍ରମିତ ମଧ୍ୟ ସେ ଦ୍ବୀପକୁ ଆସି ଲୋକମାନଙ୍କ ସହ ମିଳାମିଶା କରିଥିଲେ।

Image Courtesy of Deccan Herald

ପାଖକୁ ପାଖ ଲାଗି ‌ପ୍ରାୟ ୮୦୦ ଦ୍ବୀପବାସୀ ରହୁଥିବାରୁ ଏଠାରେ କରୋନାଭାଇରସ୍‌ର ଦ୍ରୁତ ସଂକ୍ରମଣ ଲାଗି ପରିସ୍ଥିତି ଅନୁକୂଳ ଥିଲା। ଏହାଛଡ଼ା ବନ୍ଦର ନିକଟରେ ଥିବା ତୀଖା ଗଳି ଓ ପାଖ ପର୍ବତ ଶିଖରରେ ଥିବା ଦୁର୍ଗକୁ ଓ ଦୁର୍ଗ ପାଚେରିକୁ ଲାଗି ଖୁନ୍ଦାଖୁନ୍ଦି ହୋଇଥିବା ଘରଗୁଡ଼ିକୁ ଯାତାୟାତ କରିବା ନି‌ମନ୍ତେ ଅଣଓସାରିଆ ରାସ୍ତା ଭାବେ କାମ ଦେଉଥିବା ମୁଗୁନି ପଥରର ପାହଚ ଉପରେ ଅଧିବାସୀମାନେ ସବୁବେଳେ ଗହଳି କରନ୍ତି। କିନ୍ତୁ, ଦିନ ପରେ ଦିନ ବିତି ଚାଲିଲା ମାତ୍ର ଜିଗ୍‌ଲିଓ ଦ୍ବୀପର କୌଣସି ଅଧିବାସୀଙ୍କ ଠାରେ କୋଭିଡ୍-୧୯ର କୌଣସି ଲକ୍ଷଣ ବାହାରିଲା ନାହିଁ।

ଜୁନ୍‌ ପ୍ରାରମ୍ଭରେ ଏଠାରେ ଲକ୍‌ଡାଉନ୍ ଉଠିବା ପରେ ସମଗ୍ର ଇଟାଲିରୁ ଏଠାକୁ ପର୍ଯ୍ୟଟକମାନେ ଆସୁଥିଲେ ବି କୌଣସି ସ୍ଥାନୀୟ ଅଧିବାସୀ ସଂକ୍ରମିତ ହେଉ ନ ଥିବା ଜଣାପଡ଼ିଛି।

ଜିଗ୍‌ଲିଓ ତୁସ୍‌କାନିର ଅଂଶବିଶେଷ ହୋଇଥିବାରୁ ସେଠାକାର ସ୍ବାସ୍ଥ୍ୟ କାର୍ଯ୍ୟାଳୟ ତୁରନ୍ତ ଆଣ୍ଟିବଡି ପରୀକ୍ଷା ଲାଗି ଟେଷ୍ଟ୍‌ କିଟ୍ ପଠାଇଛି। ୮୦୦ ବାସିନ୍ଦାଙ୍କ ମଧ୍ୟରୁ ୭୨୩ ଜଣ ସ୍ବେଚ୍ଛାକୃତ ଭାବେ ସେମାନଙ୍କର ନମୁନା ପରୀକ୍ଷା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ଏହା ଦ୍ବୀପବାସୀଙ୍କର ସୌଭାଗ୍ୟ ନା କୌଣସି ଗୁଣସୂତ୍ରୀୟ କାରଣରୁ ସେମାନେ ସଂକ୍ରମିତ ହେଉ ନାହାନ୍ତି, ତାହା ଡାକ୍ତରମାନଙ୍କୁ ବିସ୍ମିତ କରିଛି।

ସମ୍ବନ୍ଧିତ ଖବର