ଭିଡିଓ ଭାଇରାଲ୍‌: କରୋନାଭାଇରସ୍‌ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ନ ଆସିବାକୁ ବିଶାଳ ଚକ୍ରୀ ପିନ୍ଧିଲେ ଇଟାଲିର ବ୍ୟକ୍ତି

ନୂଆଦିଲ୍ଲୀ: ଇଟାଲିର ରାଜଧାନୀ ରୋମ୍‌ର ଏକ ବଜାରରେ ଲୋକମାନଙ୍କ ଠାରୁ ଦୂରେଇ ରହିବାକୁ ଜଣେ ବ୍ୟକ୍ତି ଏକ ମିଟର ବ୍ୟାସାର୍ଦ୍ଧବିଶିଷ୍ଟ ଗୋଟାଏ ଚକ୍ରୀ ପରିଧାନ କରିଥିବାର ଭିଡିଓ ଭାଇରାଲ୍‌ ହୋଇଛି। କରୋନାଭାଇରସ୍‌ ସଂକ୍ରମଣରେ ବିଶେଷ ଆକ୍ରାନ୍ତ ହୋଇଥିବା ଦେଶମାନଙ୍କ ମଧ୍ୟରେ ଇଟାଲି ଅନ୍ୟତମ। ଏହି ଭୂତାଣୁ ସଂକ୍ରମଣ ଯୋଗୁଁ ଇଟାଲିରେ ୧୦୦୦ ରୁ ଅଧିକ ଲୋକ ପ୍ରାଣ ହରାଇଲେଣି।

କରୋନାଭାଇରସ୍‌ ଦ୍ୱାରା ସଂକ୍ରମିତ ନ ହେବା ଲାଗି ଅନ୍ୟମାନଙ୍କ ସଂସ୍ପର୍ଶରେ ନ ଆସିବା ତଥା ପରସ୍ପର ଠାରୁ ଦୂରତା ବଜାୟ ରଖିବାକୁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଉଛି। ତେଣୁ କୋଳାକୋଳି ଏବଂ କରମର୍ଦ୍ଦନ ପରିବର୍ତ୍ତେ ଏବେ ଲୋକେ ଭାରତୀୟ ଶିଷ୍ଟାଚାର ତଥା ସଂସ୍କାର ‘ନମସ୍ତେ’ ଅନୁସରଣ କଲେଣି।

ଏ ଭଳି ସମୟରେ ଲୋକମାନଙ୍କ ଠାରୁ ନିରାପଦ ଦୂରତା ବଜାୟ ରଖିବାକୁ ଇଟାଲିର ଜଣେ ବ୍ୟକ୍ତି ବିଚିତ୍ର ଉପାୟ କରିଛନ୍ତି। ବଜାର ବୁଲି ଯିବା ସମୟରେ ସେ ନିଜ ଅଣ୍ଟା ଚାରିପଟେ ୧ ମିଟର ବ୍ୟାସାର୍ଦ୍ଧର ଗୋଟାଏ ଚକ୍ରୀ ପିନ୍ଧିଛନ୍ତି।


୧୨ ସେକେଣ୍ଡ୍‌ର ଏହି ଭିଡିଓରେ ଦେଖାଯାଉଛି ଇଟାଲିର ରୋମ୍‌ ଅନ୍ତର୍ଗତ ଟେଷ୍ଟାସିଓ ବଜାରରେ ଜଣେ ଲୋକ ଅନ୍ୟମାନଙ୍କ ସଂସ୍ପର୍ଶରେ ନ ଆସିବାକୁ ନିଜ ଚାରିପଟେ ଗୋଟାଏ ହଳଦିଆ ରଙ୍ଗର ବଡ଼ ଚକ୍ରୀ ପିନ୍ଧିଛନ୍ତି। ଖାଲି ଏତିକି ନୁହେଁ ବଜାରରୁ କିଣିବାକୁ ଚାହୁଁଥିବା ଜିନିଷ ଉଠାଇବାକୁ ସେ ହାତରେ ଗୋଟାଏ ଲମ୍ବା କ୍ୟାଚର୍‌ ଧରିଛନ୍ତି।

ପ୍ରାପ୍ତ ସୂଚନା ମୁତାବକ, ଏବେ ସମଗ୍ର ବିଶ୍ୱରେ ପ୍ରାୟ ୧, ୩୮, ୦୦୦ ବ୍ୟକ୍ତି କରୋନାଭାଇରସ୍‌ ସଂକ୍ରମଣରେ ଆକ୍ରାନ୍ତ ହୋଇଛନ୍ତି। ଏଥିଯୋଗୁଁ ସମଗ୍ର ବିଶ୍ୱରେ ପ୍ରାୟ ୫୦୦୦ ଲୋକଙ୍କର ପ୍ରାଣହାନୀ ଘଟିଥିବା କୁହାଯାଉଛି।

ସମ୍ବନ୍ଧିତ ଖବର