ଚୀନ୍‌କୁ ଟପିଲା ଇଟାଲି: ବିଶ୍ବବ୍ୟାପୀ କରୋନା ମୃତ୍ୟୁସଂଖ୍ୟା ୯,୨୭୭

ନୂଆଦିଲ୍ଲୀ: ୧୭୬ ରାଷ୍ଟ୍ରକୁ କରୋନା ଭାଇରସ୍‌ ବ୍ୟାପିଛି । ବିଶ୍ବବ୍ୟାପୀ ୨୨୭,୭୬୪ ଜଣ ଭାଇରସ୍ ଆକ୍ରାନ୍ତ ହୋଇଛନ୍ତି ଏବଂ ୯,୩୦୮ ଜଣଙ୍କ ମୃତ୍ୟୁ ହୋଇଛି। ୟୁରୋପୀୟ ରାଷ୍ଟ୍ର ଇଟାଲିରେ ଆକ୍ରାନ୍ତଙ୍କ ସଂଖ୍ୟା ୩୫,୮୦୦ ଟପିଥିବା ବେଳେ ମୃତକଙ୍କ ସଂଖ୍ୟା ୩୪୦୫ରେ ପହଞ୍ଚିଛି। କରୋନା ମୃତ୍ୟୁ କ୍ଷେତ୍ରରେ ଇଟାଲି ଏବେ ଚୀନ୍‌କୁ ଟପି ଯାଇଛି। ଚୀନ୍‌ରେ କରୋନା ଯୋଗୁଁ ମୋଟ ୩୨୪୫ ଲୋକଙ୍କ ମୃତ୍ୟୁ ହୋଇଥିଲା। ଇଟାଲିରେ ଏବେ ସ୍ଥିତି ଅତ୍ୟନ୍ତ ଭୟାନକ ରୂପ ନେଇଛି। ସେହିଭଳି ଇରାନ୍‌ରେ ମୃତ୍ୟୁସଂଖ୍ୟା ୧୨୮୪ ରେ ପହଞ୍ଚିଛି ଏବଂ ଆକ୍ରାନ୍ତଙ୍କ ସଂଖ୍ୟା ୧୮,୫୦୦ ଟପିଛି । ଇରାନ୍‌ ସ୍ଥିତି ସାଂଘାତିକ ହୋଇପଡ଼ିଛି। ଇରାନ୍‌ରେ ପ୍ରତି ୧୦ ମିନିଟ୍‌ରେ ଜଣଙ୍କର କରୋନା ଭାଇରସ୍‌ରେ ମୃତ୍ୟୁ ହେଉଛି ଏବଂ ୫୦ ଜଣ ଭାଇରସ୍‌ ଆକ୍ରାନ୍ତ ହେଉଛନ୍ତି ବୋଲି ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ସ୍ପେନ୍‌ରେ ମୃତ୍ୟୁସଂଖ୍ୟା ୭୬୭ରେ ପହଞ୍ଚିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୧୭,୧୪୭ ପହଞ୍ଚିଛି। ଜର୍ମାନୀ‌ରେ ଆକ୍ରାନ୍ତଙ୍କ ସଂଖ୍ୟା ୧୩,୦୮୩ ପହଞ୍ଚିଥିବା ବେଳେ ମୃତ୍ୟୁସଂଖ୍ୟା‌ ୩୦ ଟପିଛି। ଫ୍ର‌ାନ୍ସରେ ବି ସ୍ଥିତି ଜଟିଳ ରହିଛି । ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୯,୧୩୪ ଥିବାବେଳେ ମୃତ୍ୟୁସଂଖ୍ୟା ୩୦୦ରେ ପହଞ୍ଚିଛି।

ୟୁଏସ୍‌ କଂଗ୍ରେସର ୨ ଜଣ ସଦସ୍ୟ କରୋନା ଭାଇରସ୍‌ ଆକ୍ରାନ୍ତ ହୋଇଛନ୍ତି। ୟୁରୋପୀୟ ସଂଘ ମୁଖ୍ୟ ବ୍ରେକ୍‌ଜିଟ୍‌ ବାର୍ତ୍ତାକାର ମିସେଲ୍‌ ବାର୍ନିୟର୍‌ କ‌ରୋନା ଭାଇରସ୍‌ ଆକ୍ରାନ୍ତ ହୋଇଛନ୍ତି। ବ୍ରିଟେନ୍‌ରେ ଭାଇରସ୍‌ର ‌ହଟ୍‌ସ୍ପଟ୍‌ ଲଣ୍ଡନ୍‌ ଖୁବ୍‌ ଶୀଘ୍ର ସଂପୂର୍ଣ୍ଣ ଠପ୍‌ ହୋଇଯିବ । ବ୍ରିଟେନ୍‌ରେ ମୃତ୍ୟୁସଂଖ୍ୟା ୧୦୦ ଟପିଥିବା‌ ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୨,୬୨୬ରେ ପହଞ୍ଚିଛି। ଅନ୍ୟପକ୍ଷେ ଆଫ୍ରିକାରେ ପ୍ରଥମ କରୋନା ମୃତ୍ୟୁ ହେବାପରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଳ୍ୟୁଏଚ୍‌ଓ) ପକ୍ଷରୁ କୌଣସିୁ ଜରୁରୀ ସ୍ଥିତିର ମୁକାବିଲା ପାଇଁ ସଚେତନ ରହିବାକୁ କୁହାଯାଇଛି। ଆମେରିକାରେ ମାତ୍ର ୨୪ ଘଣ୍ଟା ମଧ୍ୟରେ ୪୦ ପ୍ରତିଶତରୁ ଅଧିକ କରୋନା ମାମଲା ସ୍ପଷ୍ଟ ହୋଇଛି। ଆମେରିକାରେ ୨୪ ଘଣ୍ଟାରେ ୨,୭୦୦ ନୂଆ ମାମଲା ସାମ୍ନାକୁ ଆସିଛି।

ସମ୍ବନ୍ଧିତ ଖବର