ନୂଆଦିଲ୍ଳୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଶଂସା କରି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କୁ ଆଇନା ଦେଖାଇଛନ୍ତି ଇଟାଲୀର ପ୍ରଧାନମନ୍ତ୍ରୀ ଜିଓର୍ଜିୟା ମେଲୋନି। ଦେଶ-ଦେଶ ମଧ୍ୟରେ ଯୁଦ୍ଧ ବନ୍ଦ୍ କରୁଥିବା କହି ଟ୍ରମ୍ପ୍ଙ୍କ ନୋବେଲ୍ ଶାନ୍ତି ପ୍ରତିଷ୍ଠା ଦାବିକୁ ମିଳିଛି ଉଚିତ୍ ଜବାବ। ଜିଓର୍ଜିୟା ମେଲୋନି କହିଛନ୍ତି ଯେ ଭାରତ ଏକ ଏପରି ଦେଶ; ଯାହା ସାରା ବିଶ୍ବର ଯୁଦ୍ଧକୁ ବନ୍ଦ୍ କରି ଦେଇପାରେ।
ବର୍ତ୍ତମାନ ଆମେରିକାର ନ୍ୟୁୟର୍କରେ ମିଳିତ ଜାତିସଂଘ ସାଧାରଣ ପରିଷଦ ବୈଠକ ଚାଲିଛି ଏବଂ ସମଗ୍ର ବିଶ୍ୱ ସେଠାରୁ ବିଭିନ୍ନ ଦେଶମାନେ ଦେଉଥିବା ବାର୍ତ୍ତା ଉପରେ ନଜର ରଖିଛି। ଜାତିସଂଘ ସାଧାରଣ ପରିଷଦ ଅଧିବେଶନ ଅବସରରେ ଏଏନ୍ଆଇ ସହିତ କଥାବାର୍ତ୍ତା ସମୟରେ ଇଟାଲୀ ପ୍ରଧାନମନ୍ତ୍ରୀ ମେଲୋନି କହିଥିଲେ, "ମୁଁ ଭାବୁଛି ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ।"
ଜିଓର୍ଜିୟା ମେଲୋନିଙ୍କୁ ବିଶ୍ୱବ୍ୟାପୀ ଚାଲିଥିବା ଯୁଦ୍ଧର ସମାଧାନରେ ଭାରତର ଭୂମିକା ବିଷୟରେ ପଚରାଯାଇଥିଲା। ମେଲୋନିଙ୍କ ପ୍ରତିକ୍ରିୟା ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରତି ଏକ କଡ଼ା ସମାଲୋଚନା ପରି ଥିଲା। ଯିଏକି ପ୍ରତିଦିନ ବିଶ୍ୱବ୍ୟାପୀ ପ୍ଲାଟଫର୍ମରେ ନୋବେଲ ଶାନ୍ତି ପୁରସ୍କାର ପାଇଁ ଆବେଦନ କରିବାକୁ ପଛାନ୍ତି ବାହିଁ ଏବଂ ବିଶ୍ୱବ୍ୟାପୀ ଅନେକ ଯୁଦ୍ଧ ରୋକିବାର ମିଥ୍ୟା ଏବଂ ଭିତ୍ତିହୀନ ଦାବି କରନ୍ତି। ସତ୍ୟ ହେଉଛି ଯେ ତାଙ୍କ ପ୍ରୟାସ ଏବଂ ପ୍ରତିଶ୍ରୁତି ସତ୍ତ୍ୱେ, ରୁଷ-ୟୁକ୍ରେନ ଏବଂ ଇସ୍ରାଏଲ-ଗାଜା ବିବାଦ ଅଟଳ ରହିଛି ଏବଂ କୌଣସି ଶାନ୍ତି ଚୁକ୍ତିନାମା ହୋଇ ନାହିଁ।
ଉଲ୍ଲେଖନୀୟ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଇଟାଲୀ ପ୍ରଧାନମନ୍ତ୍ରୀ ଜିଓର୍ଜିୟା ମେଲୋନି ଏହି ମାସ ଆରମ୍ଭରେ ଏକ ଟେଲିଫୋନ୍ ବାର୍ତ୍ତାଳାପ କରିଥିଲେ, ଯେଉଁଥିରେ ପାରସ୍ପରିକ ସ୍ୱାର୍ଥର ଆଞ୍ଚଳିକ ଏବଂ ବିଶ୍ୱବ୍ୟାପୀ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା। ୟୁକ୍ରେନରେ ଚାଲିଥିବା ସଂଘର୍ଷର ଶୀଘ୍ର ଏବଂ ଶାନ୍ତିପୂର୍ଣ୍ଣ ସମାଧାନର ଆବଶ୍ୟକତା ଉପରେ ଦୁଇ ନେତା ସହମତ ହୋଇଥିଲେ।