ରୋମ୍: ଇଟାଲୀର ବୋଲୋଗ୍ନାରେ ଥିବା ଗାରିସେଣ୍ଡା ଟାୱାର ପ୍ରାୟ ୧୦୦୦ ବର୍ଷ ଧରି ସ୍ଥିର ରହିଛି। କିନ୍ତୁ ଲିନିଂ ଟାୱାର ଭାବେ ଜଣାଶୁଣା ସହରର ସବୁଠାରୁ ଉଚ୍ଚ ଟାୱାର ଏବେ ଅତ୍ୟଧିକ ଢଳିବାରୁ ଭୁଶୁଡ଼ି ପଡ଼ିବାର ଆଶଙ୍କା ସୃଷ୍ଟି ହୋଇଛି। ଚତୁର୍ଦ୍ଦଶ ଶତାବ୍ଦୀରେ ନିର୍ମିତ ୧୫୦ ଫୁଟ୍ ଉଚ୍ଚତା ବିଶିଷ୍ଟ ଏହି ଟାୱାର ୪ ଡିଗ୍ରି ଢଳିଥିବା ବେଳେ ଅଧିକାରୀମାନେ ଏହାକୁ ସ୍ଥିର ରଖିବା ଉଦ୍ଦେଶ୍ୟରେ କୋଠାର ଉପର ଅଂଶକୁ ହଟାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ଆଇକନିକ୍ ଟାୱାର ଅଫ୍ ପିସା ଏବେ ୫ ଡିଗ୍ରି ଢଳିରହିଛି। ଟାୱାରକୁ ବଞ୍ଚାଇ ରଖିବା ପାଇଁ ଇଟାଲୀ ବର୍ଷ ବର୍ଷ ଧରି ଅନେକ କାର୍ଯ୍ୟ କରିଛି।
କିନ୍ତୁ ବର୍ତ୍ତମାନ ଟାୱାର ଅତ୍ୟଧିକ ଢଳୁଛି ଏବଂ ଏହା ସହରର ଅଧିକାରୀମାନଙ୍କୁ ଏକ ନାଗରିକ ସୁରକ୍ଷା ଯୋଜନା କାର୍ଯ୍ୟକାରୀ କରିବାକୁ ବାଧ୍ୟ କରିଛି। ଏହି ଟାୱାର ହଠାତ୍ ଭୁଶୁଡ଼ି ପଡ଼ିବାର ଆଶଙ୍କା ରହିଛି। ଭୁଶୁଡ଼ି ପଡ଼ିଲେ ଆଖପାଖ କୋଠାଗୁଡ଼ିକ ଉପରେ ଏହାର ଭଗ୍ନ ଅଂଶ ପଡ଼ିବ। ତେଣୁ ସୁରକ୍ଷା ପାଇଁ ଟାୱାର ଚାରିପଟେ ଏକ ଧାତବ କର୍ଡନ୍ ଲଗାଇବାକୁ ଯୋଜନା କରାଯାଇଛି। ସୀମାବର୍ତ୍ତୀ ଅଞ୍ଚଳକୁ ଲୋକଙ୍କ ପ୍ରବେଶକୁ ରୋକିବା ପାଇଁ ଏକ ସୁରକ୍ଷା ବଳୟ ନିର୍ମାଣ କରାଯିବ ବୋଲି ନଗର ପରିଷଦ ଏକ ବିବୃତିରେ କହିଛି। ୨୦୧୯ ମସିହାରୁ ଏହି ସ୍ଥାନର ତଦାରଖ କରୁଥିବା ଏକ ବୈଜ୍ଞାନିକ କମିଟି ପକ୍ଷରୁ ଚେତାବନୀ ଜାରି କରାଯାଇଛି। ସେମାନେ ଏକ ସେନ୍ସର ଲଗାଇଛନ୍ତି ଯାହା ପ୍ରାଚୀନ ଟାୱାରର ଗତିବିଧିକୁ ମାପିଥାଏ। କମିଟି କହିଛି ଯେ ଅକ୍ଟୋବର ୨୦୨୩ରେ ହୋଇଥିବା ରିଡିଂ ବିପଦର ଘଣ୍ଟି ବଜାଇଥିଲା।