ଖାଇକୁ ଖସିଲା ଆଇଟିବିପି ବସ୍‌: ୭ ଯବାନଙ୍କ ମୃତ୍ୟୁ, ୩୦ ଆହତ

ଶ୍ରୀନଗର: ଜମ୍ମୁ କାଶ୍ମୀର‌ର ପହଲଗାମ ଅଞ୍ଚଳ‌‌ରେ ଆଜି ଆଇଟିବିପି ଯବାନଙ୍କୁ ନେଇ ଯାଉଥିବା ଏକ ବସ୍‌ ୧୦୦ ଫୁଟ ଗଭୀର ଖାଇକୁ ଖସି ପଡ଼ିବାରୁ ୭ ଜଣ ଯବାନଙ୍କ ମୃତ୍ୟୁ ଘଟିଛି ଏବଂ ୩୦ ଜଣ ଆହତ ହୋଇଛନ୍ତି। ଦୁର୍ଘଟଣା ସମୟରେ ବସ୍‌ରେ‌ ମୋଟ୍‌ ୩୯ ଜଣ ଯବାନ ଥିଲେ। ସେମାନଙ୍କ ମଧ୍ୟରୁ ୩୭ ଜଣ ଆଇଟିବିପିର ଏବଂ ଅନ୍ୟ ୨ ଜଣ ଜମ୍ମୁ କାଶ୍ମୀର ପୁଲିସର। ସେମାନେ ଅମରନାଥ ଯାତ୍ରାରେ ଡ୍ୟୁଟି ସାରି ଚନ୍ଦନୱାଡ଼ିରୁ ଫେରୁଥିବା ବେଳେ ବାଟରେ ବସ୍‌ଟି ଜିଗ ମୋରେ ଫ୍ରିସଲାନ୍‌ ନିକଟରେ ନିୟନ୍ତ୍ରଣ ହରାଇ ରାସ୍ତା ଉପରୁ ଖାଇକୁ ଖସି ପଡ଼ିଥିଲା। ବସ୍‌ର ବ୍ରେକ୍‌ ଫେଲ୍‌ ହୋଇଯିବାରୁ ଏଭଳି ଦୁର୍ଘଟଣା ଘଟିଥିବା ତଦନ୍ତରୁ ଜଣାପଡ଼ିଛି। ଆହତଙ୍କ ମଧ୍ୟରୁ ୮ ଜଣଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ଥିବାରୁ ସେମାନଙ୍କୁ ଶ୍ରୀନଗର ଏୟାରଲିଫ୍ଟ କରାଯାଇଛି। ସେହିପରି ଅନ୍ୟ ଆହତ ଯବାନମାନଙ୍କୁ ଅନନ୍ତନାଗରେ ଏକ ହସ୍ପିଟାଲରେ ଚିକିତ୍ସା କରାଯାଉଛି ବୋଲି ଆଇଟିବିପି ମହାନିର୍ଦ୍ଦେଶକ ଏସଏଲ ଥାଓସେନ୍‌ କହିଛନ୍ତି। ଆ‌ଇଟିବିପି ପକ୍ଷରୁ ଉକ୍ତ ଘଟଣାର ତଦନ୍ତ ପାଇଁ କମିଟି ଗଠନ ହୋଇଛି।

ଦୁର୍ଘଟଣା ଖବର ମିଳିବାମାତ୍ରେ ୧୯ଟି ଆମ୍ବୁଲାନ୍ସ ଘଟଣାସ୍ଥଳକୁ ପଠାଯାଇଥିଲା। ସ୍ଥାନୀୟ କର୍ତ୍ତୃପକ୍ଷ, ପୁଲିସ ଏବଂ ଏସଡିଆରଏଫ୍‌ ପକ୍ଷରୁ ଉଦ୍ଧାର କାର୍ଯ୍ୟ କରାଯାଇଥିଲା। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏହି ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି ଏବଂ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କୁ ସମବେଦନା ଜ୍ଞାପନ କରିଛନ୍ତି। ଜମ୍ମୁ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ମଧ୍ୟ ଉକ୍ତ ଦୁର୍ଘଟଣାରେ ଗଭୀର ଶୋକ ପ୍ରକାଶ କରିବା ସହ ଆହତମାନଙ୍କର ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି।

ସମ୍ବନ୍ଧିତ ଖବର