ଅମରନାଥ ଯାତ୍ରାରେ ସାମିଲ ଭକ୍ତଙ୍କୁ ସମୁଦ୍ର ପତ୍ତନରୁ ୧୨ ହଜାର ଫୁଟ ଉପରେ ସୁରକ୍ଷା ଦେବାକୁ ‘ମାନବ ପ୍ରାଚୀର’ ଗଢ଼ିଲେ ଯବାନ

ଶ୍ରୀନଗର:  ଜମ୍ମୁ-କଶ୍ମୀରରେ ଅବସ୍ଥିତ ପବିତ୍ର .ଶୈବପୀଠ ଅମରନାଥକୁ  ଯାତ୍ରାରେ ଯାଉଥିବା ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ବିଭିନ୍ନ ସ୍ଥାନରେ ମୁତୟନ ଅଛନ୍ତି ଆଇଟିବିପି ଯବାନ । ଅତ୍ୟନ୍ତ ପ୍ରତିକୂଳ ପରିସ୍ଥିତିରେ  ଅମରନାଥ ଯାତ୍ରୀଙ୍କୁ ସୁରକ୍ଷା ପ୍ରଦାନ କରୁଛନ୍ତି  ଯବାନ । ନିକଟରେ ଜାରି ହୋଇଥିବା ଏକ  ଭିଡିଓରେ ଆଇଟିବିପି ଯବାନମାନେ  ନିଜ ଜୀବନକୁ ବାଜି ଲଗାଇ  ଅମରନାଥ ଯାତ୍ରୀଙ୍କୁ ସୁରକ୍ଷା ପ୍ରଦାନ କରୁଥିବା ଦେଖିବାକୁ ମିଳିଛି।

ସମୁଦ୍ର ପତ୍ତନରୁ ହଜାର ହଜାର ଫୁଟ ଉଚ୍ଚରେ ଜାମ୍ମୁ କାଶ୍ମୀରର ବାଲଟାଲ୍ ଅଂଚଳରେ ଅବସ୍ଥିତ ଅମରନାଥ । ଏଠାରେ ସୁଉଚ୍ଚ ପର୍ବତ ଆକାଶକୁ ଛୁଇଁଲା ଭଳି ରହିଛି ।  ସରୁ ଅଣଓସାରିଆ  ପାଦଚଲା ରାସ୍ତାରେ ଯିବାକୁ ହୁଏ ସେଠାକୁ । ତେବେ ପାହାଡ ଉପରୁ ଖସୁଥିବା ଝରଣା ଜଳ ସହିତ ମଝିରେ ମଝିରେ ବଡ ବଡ ପଥର ଖଣ୍ଡ ବି ଆସିଥାଏ । ଏଥିରୁ ଅମରନାଥ ଯାତ୍ରୀଙ୍କୁ ରକ୍ଷା କରିବାକୁ ଆଇଟିବିପି ଯବାନ ତିଆରି କରିଛନ୍ତି ହ୍ୟୁମାନ୍ ୱାଲ୍ ବା ମାନବ ପ୍ରାଚୀର । ଅଣ-ଓସାରିଆ ବ୍ରିଜ ଉପରେ ଗୋଟିଏ ପଟକୁ ମୁହଁ କରି ପାଖାପାଖି ଠିଆ ହୋଇଛନ୍ତି ଯବାନ।  ଆଉ ଯବାନଙ୍କ ପଛ ପଟରେ ସୁରକ୍ଷିତ ଭାବେ ବ୍ରିଜ ପାର ହେଉଛନ୍ତି ଶ୍ରଦ୍ଧାଳୁମାନେ ।

ଏହି ଅଂଚଳ ସମୁଦ୍ର ପତ୍ତନରୁ ୧୨ ହଜାର ଫୁଟ ଉପରେ ଅବସ୍ଥିତ। ଆଇଟିବିପି ଯବାନ ଅମରନାଥ ଯାତ୍ରୀଙ୍କୁ ଆବଶ୍ୟକ ସ୍ଥଳେ ଅମ୍ଳଜାନ ବି ଯୋଗାଇ ଦେଉଥିବା ଦେଖିବାକୁ ମିଳିଛି । ଜୁଲାଇ ୧ରୁ ଆରମ୍ଭ ହୋଇଥିବା ଅମରନାଥ ଯାତ୍ରାରେ ଏପର୍ଯ୍ୟନ୍ତ ପାଖାପାଖି ୯୦ହଜାରରୁ ଅଧିକ ଶ୍ରଦ୍ଧାଳୁ ବାବା ବର୍ଫାନୀଙ୍କ ଦର୍ଶନ କରିସାରିଲେଣି ।

 

ସମ୍ବନ୍ଧିତ ଖବର