ସ୍ୱାଧୀନତା ଦିବସ ପାଳିଲା ଆଇଟିବିପି ସେନା: ସମୁଦ୍ର ପତନରୁ ୧୪ ହଜାରରୁ ୧୭ ହଜାର ଫୁଟ ଉପରେ ଉଡ଼ିଲା ତ୍ରିରଙ୍ଗା

ନୂଆଦିଲ୍ଲୀ: ସମୁଦ୍ର ପତନରୁ ୧୪ ହଜାରରୁ ୧୭ ହଜାର ଫୁଟ ଉପରେ ଉଡିଲା ତ୍ରିରଙ୍ଗା । ଏପରି ଚିତ୍ର ଆସିଛି ଦେଶର ସୀମାନ୍ତ ଲଦାଖର ଉଚ୍ଚ ପାହାଡିଆ ଘାଟି ଉପରୁ । ଦେଶର ସୀମା ସୁରକ୍ଷାରେ ମୁତୟନ ଥିବା ଆଇଟିବିପି ଯବାନ ଉଚ୍ଚ ଘାଟି ଉପରେ ପତାକା ଉଡାଇ ପାଳନ କରିଛନ୍ତି ସ୍ୱାଧୀନତା ଦିବସ । ଏହି ଅବସରରେ ବନ୍ଦେ ମାତରମ୍ ଆଉ ଭାରତ ମାତା କୀ ଜୟ ଧ୍ୱନିରେ କମ୍ପିଛି ଲଦାଖ ଅଞ୍ଚଳ।

ସେହିପରି ଉତ୍ତରାଖଣ୍ଡ ସୀମାର ୧୩ ହଜାର ଫୁଟ ଉଚ୍ଚରେ ଜାତୀୟ ପତାକା ଉଡାଇଛନ୍ତି ଆଇଟିବିପି ଯବାନ । ୭୫ ତମ ସ୍ୱାଧୀନତା ଦିବସ ପାଳିଛନ୍ତି ଦେଶର ସୁରକ୍ଷାରେ ମୁତୟନ ଥିବା ଆଇଟିବିପି ଯବାନ । ଯବାନମାନେ ଜାତୀୟ ପତାକା ଉତ୍ତୋଳନ କରିବା ସହ ଜାତୀୟ ସଂଗୀତ ଗାନ କରି ସ୍ୱାଧୀନତା ଦିବସ ପାଳନ କରିଥିବା ଦେଖାଯାଇଛି।

ତେବେ ସ୍ୱାଧୀନତା ଦିବସ ଅବସରରେ ୨୦ଜଣ ଆଇଟିବିପି ଯବାନଙ୍କୁ ବୀରତା ପଦକ ଦେଇ ସମ୍ମାନିତ କରାଯାଇଛି | ଗତ ବର୍ଷ ମେ-ଜୁନ୍ ମାସରେ ପୂର୍ବ ଲଦାଖରେ ଚୀନ ସହ ହୋଇଥିବା ସଂଘର୍ଷରେ ସେମାନଙ୍କର ସାହସିକତା ପାଇଁ ସେମାନଙ୍କୁ ସମ୍ମାନିତ କରାଯାଇଥିବା ଜଣାପଡିଛି |

ସମ୍ବନ୍ଧିତ ଖବର