ବାଲେଶ୍ବର/ଚାନ୍ଦିପୁର: ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିର ୩ ନମ୍ବର ଲଞ୍ଚପ୍ୟାଡ୍‌ରୁ ଆଜି ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଆଇଟିସିଏମ୍‌ କ୍ରୁଜ୍ ମିଜାଇଲ୍‌ର ସଫଳ ପରୀକ୍ଷଣ ହୋଇଛି। ଆଇଟିସିଏମ୍‌ କ୍ରୁଜ୍ ମିଜାଇଲ୍‌ ହେଉଛି ‘ନିର୍ଭୟ କ୍ଷେପଣାସ୍ତ୍ରର ବିକଶିତ ସଂସ୍କରଣ। ଏଥିରେ ଶକ୍ତିଶାଳୀ ଟ‌ର୍‌ବୋ ଇଞ୍ଜିନ୍‌ ବ୍ୟବହାର କରାଯାଇଥିବା ବେଳେ ଏହାର ଓଜନ ଅପେକ୍ଷାକୃତ କମ୍‌ ରହିଛି। ଯାହାଫଳରେ କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ ଦୂରତା ବୃଦ୍ଧି ପାଇଛି। ଭାରତ ଡାଇନାମିକ୍‌ ଲିମିଟେଡ୍‌ ଦ୍ବାରା ନିର୍ମିତ ଆଇଟିସିଏମ୍‌ କ୍ଷେପଣାସ୍ତ୍ରର ଓଜନ ୧୪ ଶହ କିଲୋଗ୍ରାମ ଥିବା ବେଳେ ଲମ୍ବ ୬ ମିଟର ରହିଛି।

Advertisment

ଏହା ଜଳ, ସ୍ଥଳ ଓ ଆକାଶରେ ଶତ୍ରୁପକ୍ଷକୁ ଆକ୍ରମଣ କରିପାରିବ। ଏମିତିକି ସମୁଦ୍ର ଜଳସ୍ତରର ୫୦ ମିଟର ଉପରେ ଉଡ଼ାଣ କରି ଏହି କ୍ରୁଜ୍ କ୍ଷେପଣାସ୍ତ୍ର ଯୁଦ୍ଧପୋତ, ବୁଡ଼ାଜାହାଜକୁ ଧ୍ବଂସ କରିଦେବାର କ୍ଷମତା ରଖିଛି। ଏଥିରେ ୩ ଶହ କିଲୋଗ୍ରାମ ପର୍ଯ୍ୟନ୍ତ ଉଭୟ ପାରମ୍ପରିକ ଓ ଆଣବିକ ଯୁଦ୍ଧାସ୍ତ୍ର ବ୍ୟବହାର କରାଯାଇପାରିବ। ଆଇଟିସିଏମ୍‌ କ୍ରୁଜ୍ କ୍ଷେପଣାସ୍ତ୍ରର ଅନ୍ୟ ଏକ ବିଶେଷତ୍ବ ହେଲା ଏହା ଏୟାରକ୍ରାଫ୍ଟ ଭଳି ଉଡ଼ାଣ କରି ଶତ୍ରୁପକ୍ଷର ଫଟୋ, ଭିଡିଓ କଣ୍ଟ୍ରୋଲ ରୁମ୍‌କୁ ପଠାଇପାରିବ। ଆଗକୁ ଏହି କ୍ଷେପଣାସ୍ତ୍ରର ଅଧିକ ବ୍ୟାବହାରିକ ପରୀକ୍ଷା କରାଯିବ ବୋଲି ଜଣାପଡ଼ିଛି। ଆଜି ପରୀକ୍ଷଣ ବେଳେ ଡିଆରଡିଓର ବରିଷ୍ଠ ପ୍ରତିରକ୍ଷା ବୈଜ୍ଞାନିକ, ଭାରତୀୟ ସେନାର ଷ୍ଟ୍ରାଟେଜିକ୍ ଫୋର୍ସ କମାଣ୍ଡ ୟୁନିଟ୍‌ ଓ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟି (ଆଇଟିଆର)ର ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ।