ସଂସଦୀୟ କମିଟିର ଉଦ୍‌ବେଗ: ଓଡ଼ିଶାରେ ଖାଲିପଡ଼ିଛି ୫୧,୮୨୯ ଆଇଟିଆଇ ସିଟ୍‌

ନୂଆଦିଲ୍ଲୀ : ଓଡ଼ିଶାରେ ଆଇଟିଆଇମାନଙ୍କରେ ୫୧ ହଜାର ୮୨୯ ସିଟ୍‌ ଖାଲିପଡ଼ିଛି। ଏହାକୁ ନେଇ ଶ୍ରମ, ବୟନ ଓ ଦକ୍ଷତା ବିକାଶ ସଂକ୍ରାନ୍ତ ସଂସଦୀୟ ଷ୍ଟାଣ୍ଡିଂ କମିଟି ଚିନ୍ତା ବ୍ୟକ୍ତ କରିଛି।

ତଥ୍ୟ ଅନୁସାରେ ଓଡ଼ିଶାରେ ଥିବା ବିଭିନ୍ନ ଆଇଟିଆଇରେ ମୋଟ ଏକ ଲକ୍ଷ ଏକ ହଜାର ୧୭୮ ସିଟ ରହିଛି। ୨୦୨୦ ବର୍ଷରେ ଏହି ସବୁ ସିଟ୍‌ ମଧ୍ୟରୁ ୪୯ ହଜାର ୩୪୯ ପୂରଣ ହୋଇଥିବା ବେଳେ ଅବଶିଷ୍ଟ ଖାଲିପଡ଼ିଛି। ଖାଲି ଓଡ଼ିଶା କାହିଁକି ସାରା ଦେଶରେ ୧୦ ଲକ୍ଷ ୬୦ ହଜାର ୧୯୧ ସିଟ୍‌ ଖାଲିପଡ଼ିଛି। ଯାହାକି ମୋଟ ସିଟ୍‌ ସଂଖ୍ୟାର ୫୦ ପ୍ରତିଶତ। ଏହାକୁ ନେଇ ବିଜେଡି ଲୋକସଭା ସାଂସଦ ଭର୍ତ୍ତୃହରି ମହତାବଙ୍କ ଅଧ୍ୟକ୍ଷତାରେ ଗଠିତ ଶ୍ରମ, ବୟନ ଓ ଦକ୍ଷତା ବିକାଶ ସଂକ୍ରାନ୍ତ ଷ୍ଟାଣ୍ଡିଂ କମିଟି ଚିନ୍ତାବ୍ୟକ୍ତ କରିଛି। କମିଟି ରିପୋର୍ଟ ଆଜି ସଂସଦରେ ଉପସ୍ଥାପନ କରାଯାଇଛି।

ଏଥି ପାଇଁ ସଂପୃକ୍ତ ମନ୍ତ୍ରାଳୟ ରାଜ୍ୟ ଓ କେନ୍ଦ୍ର ଶାସିତ ସରକାରଙ୍କ ସହ ବିଚାରବିମର୍ଶ କରିବାକୁ କମିଟି ସୁପାରିସ କରିଛି। ଏଥି ସହିତ ଡ୍ରପଆଉଟ ରୋକିବା ପାଇଁ ଆବଶ୍ୟକ ପଦକ୍ଷେପ ନେବା ପାଇଁ ମଧ୍ୟ କମିଟି କହିଛି। ଆଇଟିଆଇମାନଙ୍କ‌ରୁ ପ୍ରଶିକ୍ଷଣ ନେବା ପରେ ନିଯୁକ୍ତି ସୁଯୋଗ ଉପଲବ୍ଧ ହେଉଛି, ସେ ନେଇ ସଚେତନତା ସୃଷ୍ଟି କରିବା ଉପରେ କମିଟି ଗୁରୁତ୍ବାରୋପ କରିଛି। କରୋନା ମହାମାରୀ ସମୟରେ ଓଡ଼ିଶା ସମେତ ଛଅ ରାଜ୍ୟରେ ଗରିବ କଲ୍ୟାଣ ରୋଜଗାର ଯୋଜନାରେ ପ୍ରବାସୀ ଶ୍ରମିକମାନଙ୍କ ପାଇଁ ପ୍ରଶିକ୍ଷଣ ବ୍ୟବସ୍ଥା ପଦକ୍ଷେପକୁ ପ୍ରଶଂସା କରାଯାଇଛି। ତେବେ ସ୍ବଳ୍ପକାଳୀନ ପ୍ରଶିକ୍ଷଣ (ଏସ୍‌ଟିଟି)ପ୍ରାପ୍ତ ସମସ୍ତ ପ୍ରାର୍ଥୀଙ୍କୁ ନିଯୁକ୍ତି ସୁଯୋଗ ମିଳୁନଥିବାରୁ କମିଟି ଚିନ୍ତାବ୍ୟକ୍ତ କରିଛି। ଓଡ଼ିଶାରେ ଜାନୁଆରି ୧୦, ୨୦୨୨ ସୁଦ୍ଧା ୧୮୦୪ ଜଣଙ୍କୁ ସ୍ବଳ୍ପକାଳୀନ ପ୍ରଶିକ୍ଷଣ ଦିଆଯାଇଛି। ସେମାନଙ୍କ ମଧ୍ୟରୁ ୧୪୦୬ ଜଣଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିବା ବେଳେ ୨୪୯ ଜଣଙ୍କୁ ନିଯୁକ୍ତି ମିଳିଛି ବୋଲି କମିଟି ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ସମ୍ବନ୍ଧିତ ଖବର