ଲତିଫାଙ୍କୁ ଦେଲେ, ମିସେଲ୍‌ଙ୍କୁ ପାଇଲେ!

୨୦୧୮ ମାର୍ଚ୍ଚରେ ଭାରତରେ ଅଟକ ଥିଲେ ୟୁଏଇ ରାଜକୁମାରୀ ଲତିଫା

ନୂଆଦିଲ୍ଲୀ: ଅଗସ୍ତା ୱେଷ୍ଟଲାଣ୍ଡ୍‌ ଭିଭିଆଇପି ହେଲିକପ୍‌ଟର ଦୁର୍ନୀତି ମାମଲାରେ ଦୁବାଇରୁ ଭାରତ ପ୍ରତ୍ୟର୍ପଣ ହୋଇଥିବା ମଧ୍ୟସ୍ଥି ଖ୍ରିଷ୍ଟିଆନ ମି‌ସେଲ୍‌ଙ୍କୁ ନେଇ ଆଜି କେତେକ ଚାଞ୍ଚଲ୍ୟକର ତଥ୍ୟ ପ୍ରଘଟ ହୋଇଛି। ୟୁଏଇର ରାଜକୁମାରୀ ଲତିଫା ୨୦୧୮ ମାର୍ଚ୍ଚରେ ନିଜ ପରିବାର ବିରୋଧରେ ନିର୍ଯାତନା ଅଭିଯୋଗ ଆଣି ଭାରତ ପଳାଇ ଆସିଥିଲେ ଏବଂ ଭାରତରୁ ଆମେରିକା ପଳାଇଯିବାକୁ ଯୋଜନା କରିଥିଲେ। ତେବେ ଭାରତ ଲତିଫାଙ୍କ ବୋଟ୍‌କୁ ଗୋଆ ନିକଟରୁ ଜବତ କରିବା ପରେ ତାଙ୍କୁ ସୁରକ୍ଷିତ ୟୁଏଇ ପଠାଇଥିଲା ଏବଂ ଏହା ବଦଳରେ ମିସେଲଙ୍କୁ ଭାରତ ପ୍ରତ୍ୟର୍ପଣ କରିବାକୁ ସର୍ତ୍ତ ରଖିଥିଲା ବୋଲି କେତେକ କୂଟନୀତିଜ୍ଞଙ୍କ ବୟାନକୁ ଆଧାର କରି ବ୍ରିଟିଶ୍‌ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ଏହି ତଥ୍ୟ ପ୍ରଘଟ ପରେ ମିସେଲଙ୍କ ପରିବାର ସଦସ୍ୟ ଏବେ ଭାରତ ଏବଂ ୟୁଏଇ ବିରୋଧରେ ଜାତିସଂଘର ଦ୍ବାରସ୍ଥ ହେବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଦୁବାଇ ଶାସକ ଶେଖ୍‌ ମହମ୍ମଦ ବିନ୍‌ ରସିଦ ଅଲ୍‌ ମକ୍ତୋମ୍‌ଙ୍କ ଝିଅ ଲତିଫା ପରିବାର ବିରୋଧରେ କେତେକ ଗୁରୁତର ଅଭିଯୋଗ ଆଣିବା ପରେ ଅତ୍ୟନ୍ତ ଗୋପନରେ ୟୁଏଇ ଛାଡ଼ିଥିଲେ। ଜଣେ ଫ୍ରାନ୍ସ ଗୁପ୍ତଚରଙ୍କ ସହାୟତାରେ ସେ ଏକ ବୋଟ୍‌ରେ ଗୋଆ ଆସିଥିଲେ। ତେବେ ଗୋଆ ଉପକୂଳଠାରୁ ୫୦ କିମି ଦୂରରେ ଭାରତ ପକ୍ଷରୁ ଲତିଫାଙ୍କ ବୋଟ୍‌କୁ ତଟରକ୍ଷୀ ବାହିନୀ ଜବତ କରିଥିଲା ଏବଂ କେତେକ କୂଟନୈତିକ ପ୍ରକ୍ରିୟା ଶେଷ ହେବାପରେ ତାଙ୍କୁ ଦୁବାଇ ପଠାଇ ଦିଆଯାଇଥିଲା। ଏହି ଘଟଣାର ୮ମାସ ପରେ ୟୁଏଇ ମିସେଲ୍‌ଙ୍କୁ ଭାରତ ପ୍ରତ୍ୟର୍ପଣ କରିଥିଲା। ମିସେଲ ୟୁଏଇରେ ତାଙ୍କର କାରବାର ଚଳାଇଥିଲେ ଏବଂ କେତେକ ଅନ୍ତର୍ଜାତୀୟ ଅସ୍ତ୍ର କମ୍ପାନି ପାଇଁ ମଧ୍ୟସ୍ଥି ତଥା ସଂଚାଳନକାରୀ ଦାୟିତ୍ବ ତୁଲାଉଥିଲେ। ଲତିଫାଙ୍କୁ ଦୁବାଇ ଫେରାଇବା ସଂକ୍ରାନ୍ତରେ ୟୁଏଇ ପ୍ରଧାନମନ୍ତ୍ରୀ ଭାରତ ସହ ଯୋଗାଯୋଗ କରିଥିଲେ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ମଧ୍ୟ ତାଙ୍କର ଆଲୋଚନା ହୋଇଥିଲା ବୋଲି କେତେକ କୂଟନୀତିଜ୍ଞ କହିଛନ୍ତି। ଦୁବାଇ ଭାରତକୁ ମିସେଲ୍‌ଙ୍କୁ ପ୍ରତ୍ୟର୍ପଣ କରିବ ବୋଲି ସେତେବେଳେ ପ୍ରତିଶ୍ରୁତି ଦେଇଥିବା ରିପୋର୍ଟରୁ ଜଣାପଡ଼ିଛି। ଏସିଆ ଏବଂ ୟୁରୋପୀୟ କୂଟନୀତିଜ୍ଞଙ୍କ ସୂତ୍ରରୁ ଜଣାଯାଇଛି ଯେ ଲତିଫାଙ୍କ ବିନିମୟରେ ଭାରତ ମିସେଲ୍‌ଙ୍କୁ ପାଇବା ପାଇଁ ପୂର୍ବରୁ ଯୋଜନା କରିନଥିଲେ ଏହି ପ୍ରତ୍ୟର୍ପଣ ସମ୍ଭବ ହୋଇନଥାନ୍ତା। ଲଣ୍ଡନ୍‌ର ଅନ୍ତର୍ଜାତୀୟ ମାନବିକ ଅଧିକାର କାର୍ଯ୍ୟକର୍ତ୍ତା ଟବି କାଡ଼ମ୍ୟାନ୍‌, ଯିଏ ଲତିଫାଙ୍କ ମାମଲାକୁ ଜାତିସଂଘରେ ଉପସ୍ଥାପନ କରିଥିଲେ ଏବେ ମିସେଲ୍‌ଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ ଏହି ମାମଲାରେ ସମର୍ଥନ କରିବେ ବୋଲି କହିଛନ୍ତି। ସେ କହିଛନ୍ତି ଯେ ଏହି ମାମଲାର ସଠିକ୍‌ ତଦନ୍ତ ହେବା ଉଚିତ୍‌। ମିସେଲ୍‌ଙ୍କୁ ଭାରତ ସରକାର ବନ୍ଦୀ କରି ରଖିବା ପାଇଁ ସଠିକ୍‌ ନ୍ୟାୟିକ ଆଧାର ନାହିଁ ଏବଂ ତାଙ୍କୁ ତୁରନ୍ତ ଖଲାସ କରିବା ପାଇଁ ସେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର