ଇତିଶ୍ରୀ ପ୍ରଧାନ ହତ୍ୟାକାଣ୍ଡ ମାମଲା : ସିବିଆଇର ଚୂଡ଼ାନ୍ତ ରିପୋର୍ଟ ଦାଖଲ

ନୂଆଦିଲ୍ଲୀ : ରାୟଗଡ଼ା ଜିଲ୍ଲା ଟିକିରି ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ଇତିଶ୍ରୀ ପ୍ରଧାନ ହତ୍ୟା ମାମଲାର ଚୂଡ଼ାନ୍ତ ରିପୋର୍ଟ ସିବିଆଇ ସୁପ୍ରିମକୋର୍ଟରେ ଦାଖଲ କରିଛି। ସୁପ୍ରିମକୋର୍ଟର ବିଚାରପତି ରଞ୍ଜନ ଗୋଗୋଇ, ବିଚାରପତି ରୋହିନଟନ ନାରିମନ ଓ ବିଚାରପତି ସଞ୍ଜୟ କିଷନ କୌଲଙ୍କ ଖଣ୍ଡପୀଠରେ ସିବିଆଇ ଓକିଲ ବନ୍ଦ ଲଫାପାରେ ତାହା ଦାଖଲ କରିଛନ୍ତି। ତେବେ ମୁଖ୍ୟ ଅଭିଯୁକ୍ତ ସମ୍ପର୍କରେ କେଉଁସବୁ ତଥ୍ୟ ରହିଛି ସେ ସମ୍ପର୍କରେ କୌଣସି ସୂଚନା ମିଳିନି। ଏହା ପୂର୍ବରୁ ସିବିଆଇ ସୁପ୍ରିମକୋର୍ଟରେ ପ୍ରାଥମିକ ରିପୋର୍ଟ ସହ ଷ୍ଟାଟସ ରିପୋର୍ଟ ମଧ୍ୟ ଦାଖଲ କରିଥିଲା।

ଏହି ରିପୋର୍ଟ ଦାଖଲ ସମୟରେ ଆବେଦନକାରୀ ସୁଦୀପ୍ତା ଲେଙ୍କାଙ୍କ ପକ୍ଷରୁ ସୁପ୍ରିମକୋର୍ଟର ଜଣାଶୁଣା ଓକିଲ ସୁରେଶ ଚନ୍ଦ୍ର ତ୍ରିପାଠୀ ରିପୋର୍ଟର ଏକ କପି ଦେବାପାଇଁ ଦାବି କରିଥିଲେ। ସେ କହିଥିଲେ ସୁପ୍ରିମକୋର୍ଟ ଏହି ମାମଲାରେ ଆଗକୁ କେଉଁ ପଦକ୍ଷେପ ନେବେ ତାହା ପୂର୍ବରୁ ସିବିଆଇଙ୍କ ଚୂଡ଼ାନ୍ତ ରିପୋର୍ଟ ଉପରେ ଆବେଦନକାରୀ ତାଙ୍କ ମତ ଖଣ୍ଡପୀଠକୁ ଜଣାଇବେ। ତ୍ରିପାଠୀଙ୍କ ଅନୁରୋଧ ରକ୍ଷା କରି ଖଣ୍ଡପୀଠ ଚୂଡ଼ାନ୍ତ ରିପୋର୍ଟର ଏକ କପି ଦେବାପାଇଁ ରେଜିଷ୍ଟ୍ରାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଅନ୍ୟପକ୍ଷରେ, ଖଣ୍ଡପୀଠ ଏହି ମାମଲାର ଚୂଡ଼ାନ୍ତ ଶୁଣାଣି ପାଇଁ ନଭେମ୍ବର ୨୪ ତାରିଖ ଧାର୍ଯ୍ୟ କରିଛନ୍ତି। ଶୁଣାଣି ସମୟରେ ରାଜ୍ୟ ସରକାରଙ୍କ ଓକିଲ ଶୁଭାଶିଷ ମିଶ୍ର କୋର୍ଟରେ ଉପସ୍ଥିତ ଥିଲେ।

ଉଲ୍ଲେଖଯୋଗ୍ୟ, ୨୦୧୩  ଅକ୍ଟୋବର ୨୭ ତାରିଖରେ ସଂଘଟିତ ଇତିଶ୍ରୀ ହତ୍ୟା ଘଟଣା ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା। ମାମଲାର ତଦନ୍ତ ପାଇଁ ରାଜ୍ୟ ସରକାର କ୍ରାଇମ ବ୍ରାଞ୍ଚ୍‌କୁ ନିର୍ଦ୍ଦେଶ ଦେଇଥିଲେ। ତେବେ କ୍ରାଇମ ବ୍ରାଞ୍ଚ୍‌ର ତଦନ୍ତରେ ସତ୍ୟାସତ୍ୟ ଉନ୍ମୋଚନ ହୋଇପାରିବନି ଆଶଙ୍କା କରି ଏହାର ସିବିଆଇ ତଦନ୍ତ ଦାବି କରି ବେଙ୍ଗାଲୁରୁର ଆଇନ ଛାତ୍ରୀ ସୁଦୀପ୍ତା ଲେଙ୍କା ୨୦୧୪ରେ ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାଏର କରିଥିଲେ। ୨୦୧୪ ମାର୍ଚ୍ଚ ୧୨ରେ ସୁପ୍ରିମକୋର୍ଟ ସିବିଆଇ ତଦନ୍ତଁ ମନା  କରିଦେବା ସହ ମାମଲାରେ କର୍ତ୍ତବ୍ୟରେ ଅବହେଳା ପ୍ରଦର୍ଶନ କରୁଥିବା ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମାମଲାରେ ମୁଖ୍ୟ ଅଭିଯୁକ୍ତ ଗିରଫ ନହେବା ଏବଂ ସୁପ୍ରିମକୋର୍ଟର ଆଦେଶକୁ ରାଜ୍ୟ ସରକାର ଠିକ୍‌ ଭାବେ ପାଳନ କରାଯାଉନଥିବା ଅଭିଯୋଗ କରି ଆବେଦନକାରୀ ସୁଦୀପ୍ତା ଲେଙ୍କା ପୁଣିଥରେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ୨୦୧୫ ଜାନୁଆରୀ ୨୦ରେ ସୁପ୍ରିମକୋର୍ଟ ଇତିଶ୍ରୀ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର