୩ ମାସ ପାଇଁ ଏଟିଏମ୍ ଉଠାଣ ଶୁଳ୍କ ଛାଡ଼

ଟିକସ ଦାଖଲ ସୀମା ଜୁନ୍ ୩୦, ସର୍ବନିମ୍ନ ବାଲାନ୍ସ ଫି’ ଉଚ୍ଛେଦ, ଆଧାର-ପାନ୍ ଲିଙ୍କ୍‌ ଅବଧି ବଢ଼ିଲା

ନୂଆଦିଲ୍ଲୀ : କରୋନା ଭୂତାଣୁ ପ୍ରଭାବକୁ ନଜରରେ ରଖି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସାଧାରଣ ଜନତା ଓ ଟିକସଦାତାଙ୍କୁ ଅନେକ ପ୍ରକାର ସୁବିଧା ପ୍ରଦାନ କରିଛନ୍ତି। ଏଟିଏମ୍‌ରୁ ଟଙ୍କା ଉଠାଣ ଉପରେ ଲାଗୁଥିବା ଶୁଳ୍କକୁ ଛାଡ଼ କରାଯାଇଥିବା ବେଳେ ବ୍ୟାଙ୍କର ସଞ୍ଚୟ ଜମା ଖାତା ଉପରୁ ସର୍ବନିମ୍ନ ବାଲାନ୍ସ ଶୁଳ୍କକୁ ମଧ୍ୟ ଉଚ୍ଛେଦ କରାଯାଇଛି। ଫଳରେ ଗ୍ରାହକମାନଙ୍କୁ ଆଉ ଖାତାରେ ସର୍ବନିମ୍ନ ବାଲାନ୍ସ ରଖିବା ଚିନ୍ତା କରିବାକୁ ପଡ଼ିବ ନାହିଁ। ଏହା ବ୍ୟତୀତ ସେମାନେ ଯେକୌଣସି ବ୍ୟାଙ୍କର ଏଟିଏମ୍‌ରୁ ଯେତେ ଥର ଚାହିବେ ଟଙ୍କା ଉଠାଇପାରିବେ। ଆସନ୍ତା ତିନି ମାସ ପାଇଁ ଏହି ଦୁଇ ନିୟମ ଲାଗୁ କରାଯାଇଛି। ଡିଜିଟାଲ୍ କାରବାର ଉପରେ ଲଗାଯାଇଥିବା ଶୁଳ୍କଗୁଡ଼ିକର ମାତ୍ରା କମ୍ କରାଯାଇଛି।

ପୂର୍ବରୁ ଏକ ନିର୍ଦିଷ୍ଟ ଥର ଅନ୍ୟ ବ୍ୟାଙ୍କ ଏଟିଏମ୍‌ରୁ ଟଙ୍କା ଉଠାଇବା ପରେ ଶୁଳ୍କ ଗଣିବାକୁ ପଡ଼ୁଥିଲା। ବିଭିନ୍ନ ବ୍ୟାଙ୍କର ଗ୍ରାହକଙ୍କ ପାଇଁ ଭିନ୍ନ ଭିନ୍ନ ପ୍ରକାରର ନିୟମ ରହିଥିଲା। ସେହିପରି ସର୍ବନିମ୍ନ ବାଲାନ୍ସ ଶୁଳ୍କ ମଧ୍ୟ ଗ୍ରାହକଙ୍କ ପାଇଁ ଏକ ଚିନ୍ତାର କାରଣ ପାଲଟିଥିଲା।

ଆଜି ଅର୍ଥମନ୍ତ୍ରୀ ବିଭିନ୍ନ ପ୍ରକାର ଟିକସ ଦାଖଲର ସମୟ ସୀମାକୁ ମଧ୍ୟ ଜୁନ୍ ୩୦ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି। ଯେଉଁ ସବୁ ଟିକସର ଶେଷ ତାରିଖ ମାର୍ଚ୍ଚ ୩୧ ଥିଲା ତାହାଜୁ ଜୁନ୍ ଶେଷ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। ୨୦୧୮-୧୯ ଆର୍ଥିକ ବର୍ଷର ଆୟକର ରିଟର୍ଣ୍ଣ ଦାଖଲର ସମୟ ସୀମାକୁ ଜୁନ୍ ୩୦ ପର୍ଯ୍ୟନ୍ତ ବଢ଼ାଯାଇଛି। ବିଳମ୍ବରେ ପେମେଣ୍ଟ୍‌ କରୁଥିବା ଟିକସଦାତାଙ୍କ ଉପରେ ଲାଗୁ କରାଯାଇଥିବା ସୁଧ ହାରକୁ ୧୨%ରୁ ହ୍ରାସ କରି ୯% କରାଯାଇଛି। ସେହିପରି ଟିଡିଏସ୍‌ ଦାଖଲରେ ହେଉଥିବା ବିଳମ୍ବରେ ଲାଗୁ ଥିବା ସୁଧ ମଧ୍ୟ ୧୮%ରୁ ହ୍ରାସ ପାଇ ୯% ହୋଇଛି। ଆଧାର ସହିତ ପାନ୍ ଲିଙ୍କ୍‌ କରିବାର ଅବଧିକୁ ମଧ୍ୟ ଜୁନ୍ ୩୦ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ବିବାଦ ସେ ବିଶ୍ବାସ ସ୍କିମ୍‌ର ଅବଧିକୁ ଜୁନ୍ ୩୦ ପର୍ଯ୍ୟନ୍ତ ବଢ଼ାଯାଇଛି।

ଆୟକର ନିୟମ, ସମ୍ପତ୍ତି ଟିକସ ନିୟମ, ବେନାମି କାରବାର ନିୟମ ଓ କଳାଧନ ନିୟମ‌ ଅଧୀନରେ ରହିଥିବା ବିଭିନ୍ନ ନିର୍ଦେଶକୁ ପାଳନ କରିବାର ଅବଧିକୁ ମଧ୍ୟ ଜୁନ୍ ୩୦ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। ଚଳିତ ବର୍ଷର ମାର୍ଚ୍ଚ, ଏପ୍ରିଲ୍ ଓ ମେ’ ମାସର ସମସ୍ତ ଜିଏସ୍‌ଟି ରିଟର୍ଣ୍ଣର ଅବଧିକୁ ଜୁନ୍ ୩୦ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ପାଞ୍ଚ କୋଟି ଟଙ୍କାରୁ କମ୍ କାରବାର କରୁଥିବା କଂପାନିଗୁଡ଼ିକର ଟିକସ ଦାଖଲରେ ବିଳମ୍ବ ପାଇଁ କୌଣସି ଫି’ ଆଦୟ କରାଯିବ ନାହିଁ କିମ୍ବା ସେମାନଙ୍କ ଉପରେ ଜରିମାନା ମଧ୍ୟ ଲାଗୁ ହେବ ନାହିଁ। ଆସନ୍ତା ଜୁନ୍ ୩୦ ପର୍ଯ୍ୟନ୍ତ ସୀମା ଶୁଳ୍କ ଅନୁମୋଦନ ଚବିଶ ଘଣ୍ଟା କାର୍ଯ୍ୟ କରିବ।

କ୍ଷୁଦ୍ର ଶିଳ୍ପଗୁଡ଼ିକୁ ଇନସଲ୍‌ଭେନ୍ସି ପ୍ରକ୍ରିୟାରୁ ଦୂରେଇ ରଖିବା ଲାଗି ଖିଲାପ ରାଶିର ସୀମାକୁ ଏକ ଲକ୍ଷ ଟଙ୍କାରୁ ବଢ଼ାଇ ୧ କୋଟି ଟଙ୍କା କରାଯାଇଛି। ଆସନ୍ତା ଛଅ ମାସ ଲାଗି ଇନସଲଭେନ୍ସି ଆଣ୍ଡ୍‌ ବ୍ୟାଙ୍କରପ୍‌ସି କୋଡ୍‌ (ଆଇବିସି)ର ଧାରା ୭, ୯ ଓ ୧୦କୁ ଅଚଳ କରାଯାଇଛି।

ସମ୍ବନ୍ଧିତ ଖବର