ମସ୍କୋ: ଇଂରାଜି ଜେଡ୍ ଅକ୍ଷର ୟୁକ୍ରେନ୍ ବିରୋଧରେ ରୁଷିଆର ଯୁଦ୍ଧ ପ୍ରତି ସମର୍ଥନର ସଂକେତରେ ପରିଣତ ହୋଇଛି। ଏହି ଅକ୍ଷରକୁ ପ୍ରଥମେ ୟୁକ୍ରେନ୍ ସୀମାରେ ଠିଆ ହୋଇଥିବା ରୁଷିଆର ଟ୍ୟାଙ୍କ ଓ ଟ୍ରକ୍ଗୁଡ଼ିକରେ ଦେଖାଯାଇଥିଲା। ତେବେ କେବଳ ଜେଡ୍ ନୁହେଁ, ଓ, ଏକ୍ସ, ଏ ଓ ଭି ଅକ୍ଷର ମଧ୍ୟ ବିଭିନ୍ନ ଗାଡ଼ି ଓ ସାମରିକ ଯନ୍ତ୍ରାଂଶରେ ଦେଖିବାକୁ ମିଳିଛି। ରୁଷିଆର ଟ୍ୟାଙ୍କ ଓ ଅସ୍ତ୍ରଶସ୍ତ୍ର ଆଦିରେ ଏହି ଅକ୍ଷର କ’ଣ ସୂଚାଉଛି ତାକୁ ନେଇ ବିଭିନ୍ନ ମତବାଦ ପ୍ରକାଶ ପାଇଛି। ଗୋଟିଏ ମତ ହେଉଛି ଜେଡ୍ ମାନେ ୟୁକ୍ରେନ୍ର ରାଷ୍ଟ୍ରପତି ବୋଲଡିମିର ଜେଲେନ୍ସ୍କି ଏବଂ ଭି ମାନେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। କୌତୂହଳର ବିଷୟ ହେଲା ଜେଡ୍ କିମ୍ବା ଭି କୌଣସି ଅକ୍ଷର ସିରିଲିକ୍ ରୁଷୀୟ ଆଲ୍ଫାବେଟ୍ରେ ଲେଖାଯାଇ ନାହିଁ। ଆଉ ଗୋଟିଏ ଦାବି ହେଉଛି, ଏହି ଅକ୍ଷର ରୁଷୀୟ ସୈନ୍ୟମାନଙ୍କୁ ଏହା ରୁଷ୍ର ଟ୍ୟାଙ୍କ ବୋଲି ଚିହ୍ନେଇଦବ ଏବଂ ସେମାନେ ୟୁକ୍ରେନ୍ର ଟ୍ୟାଙ୍କ ଭାବି ତା’ ଉପରକୁ ଗୁଳି ମାରିବେ ନାହିଁ।
ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟ ମଧ୍ୟ ତାଙ୍କ ଇନ୍ଷ୍ଟାଗ୍ରାମ୍ ପେଜ୍ରେ ଷ୍ଟାଇଲିଷ୍ଟ ଜେଡ୍ ଓ ଭି ଅକ୍ଷର ପୋଷ୍ଟ କରିଛି। କିନ୍ତୁ ଏହି ଅକ୍ଷରର ମାନେ କ’ଣ ସେ ବିଷୟରେ କିଛି ଲେଖା ନାହିଁ। କେତେକ ଇନ୍ଷ୍ଟାଗ୍ରାମ୍ ପୋଷ୍ଟରେ ପୁରୁଣା ସୋଭିଏତ ସେନାର ଛବି ଥିବା ବେଳେ ତା’ ସହ ଆଧୁନିକ ରୁଷ୍ ସେନାର ଛବି ଅଛି ଏବଂ ରୁଷୀୟ ଭାଷାରେ କ୍ୟାପ୍ସନ ଲେଖା ଅଛି ‘ହିରୋଜ୍’। କେତେକ ଦାବି କରୁଛନ୍ତି ଯେ, ଜେଡ୍ ମାନେ ‘ଜା ପୋବେଡି’ (ବିଜୟ ପାଇଁ) ବା ‘ଜାପାଡ୍’ (ପାଶ୍ଚାତ୍ୟ) ହୋଇପାରେ ଏବଂ ଭି ମାନେ ‘ସତ୍ୟର ଶକ୍ତି’ ହୋଇପାରେ। ସେ ଯାହା ବି ହେଉ ଜେଡ୍ ସଂକେତ ରୁଷିଆର ଜାତୀୟତାର ସଂକେତ ଏବଂ ୟୁକ୍ରେନ୍ ଯୁଦ୍ଧରେ ରୁଷ୍ ସେନା ପ୍ରତି ସମର୍ଥନର ସୂଚକରେ ପରିଣତ ହୋଇଛି। ରୁଷ୍କୁ ସମର୍ଥନ କରୁଥିବା ଲୋକମାନେ ସୋସିଆଲ ମିଡ଼ିଆରେ ଏହି ସଂକେତ ବ୍ୟବହାର କରୁଛନ୍ତି।
ସାମାଜିକ ଗଣମାଧ୍ୟମରେ ଅନେକେ ଜେଡ୍ ଅକ୍ଷରକୁ ସ୍ବସ୍ତିକ ଚିହ୍ନ ସହ ତୁଳନା କରିଛନ୍ତି, ଯାହା ହିଟ୍ଲରଙ୍କ ନାଜୀ ଜର୍ମାନୀର ସଂକେତ ଥିଲା। ବିଡ଼ମ୍ବନାର ବିଷୟ ହେଲା ଯେଉଁ ଦେଶ ଏକଦା ନାଜୀ ଜର୍ମାନୀର ଆକ୍ରମଣର ଶିକାର ହୋଇଥିଲା ଏବଂ ୟୁକ୍ରେନ୍କୁ ‘ଡିନାଜିଫିକେସନ’ (ନାଜୀବିହୀନ) କରିବାକୁ ଆହ୍ବାନ ଦେଇଥିବା ସେହି ଦେଶର ରାଷ୍ଟ୍ରପତି ପୁଟିନ ସେଇ ନାଜୀଙ୍କ ସଂକେତ ବ୍ୟବହାର କରୁଛନ୍ତି।