ପାକିସ୍ତାନକୁ କୌଣସି ନୂଆ ଯୁଦ୍ଧାସ୍ତ୍ର ବିକ୍ରି କରୁନାହୁଁ : ଭାରତର ଚିନ୍ତାକୁ ଦୂର କଲା ଆମେରିକା

ନୂଆଦିଲ୍ଲୀ : ପାକିସ୍ତାନକୁ ଆମେରିକା ୪୫୦ ନିୟୁତ ଡଲାରର ସାମରିକ ସରଞ୍ଜାମ ପ୍ରଦାନକୁ ନେଇ ଭାରତ ଚିନ୍ତା ପ୍ରକଟ କରିବା ପରେ ଏକ ସ୍ପଷ୍ଟୀକରଣ ଦେଇଛି ଆମେରିକା । ଆମେରିକାର ଉପ-ପରରାଷ୍ଟ୍ର ସଚିବ (ଦକ୍ଷିଣ ଓ କେନ୍ଦ୍ର ଏସିଆ) ଡୋନାଲ୍ଡ ଲୁ କହିଛନ୍ତି ଯେ  ପାକିସ୍ତାନକୁ କୌଣସି  ଅନୁଦାନ ଦିଆଯାଉନାହିଁ । ପାକିସ୍ତାନକୁ ୪୫୦ ନିୟୁତ ଡଲାରର ସାମରିକ ଯନ୍ତ୍ରାଂଶ ବିକ୍ରି କରାଯିବ । ଏସବୁ ସାମଗ୍ରୀ ପାକିସ୍ତାନ ପାଖରେ ଥିବା ଏଫ-୧୬ ଲଢୁଆ ବିମାନ ଗୁଡ଼ିକର ମରାମତି, ସୁରକ୍ଷା ସ୍ତରକୁ ବୃଦ୍ଧି କରିବା ଓ ରକ୍ଷଣାବେକ୍ଷଣ କାର୍ଯ୍ୟରେ ବିନିଯୋଗ ହେବ । ଆମେରିକା ପକ୍ଷରୁ ପାକିସ୍ତାନକୁ କୌଣସି ନୂଆ ଅସ୍ତ୍ରଶସ୍ତ୍ର ଦିଆଯାଉ ନାହିଁ ।

ସୂଚନାଯୋଗ୍ୟ ଯେ, ପାକିସ୍ତାନ ଆତଙ୍କବାଦର କେନ୍ଦ୍ର ବୋଲି କହି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇସ୍ଲାମାବାଦକୁ  ଆର୍ଥିକ ଓ ସାମରିକ ସହାୟତା ବନ୍ଦ କରିଥିବାବେଳେ ତାହାକୁ ପୁଣି ଆରମ୍ଭ କରିଦେଇଛନ୍ତି ଜୋ ବାଇଡେନ ସରକାର ।

ନିକଟରେ ବାଇଡେନ ପ୍ରଶାସନ ପକ୍ଷରୁ ପାକିସ୍ତାନକୁ ୪୫୦ ନିୟୁତ ଡଲାରର ସାମରିକ ସରଞ୍ଜାମ ବିକ୍ରିକୁ ମଂଜୁରୀ ଦିଆଯାଇଛି । ଏହା ମାଧ୍ୟମରେ ପାକିସ୍ତାନର ଏଫ-୧୬ ଲଢୁଆ ବିମାନର ରକ୍ଷଣାବେକ୍ଷଣ କାର୍ଯ୍ୟ କରାଯିବ । ଏହି ସହାୟତା ମାଧ୍ୟମରେ ପାକିସ୍ତାନି ନିଜର ଏଫ-୧୬ ଲଢୁଆ ବିମାନଗୁଡ଼ିକୁ ବର୍ତ୍ତମାନ ଓ ଭବିଷ୍ୟତର ଆତଙ୍କବାଦ ବିରୋଧୀ ଅଭିଯାନ ପାଇଁ ପ୍ରସ୍ତୁତ କରିପାରିବ ବୋଲି ବାଇଡେନ ପ୍ରଶାସନ କହିଛି ।

 

 

ସମ୍ବନ୍ଧିତ ଖବର