୩୧ ପ୍ରଜାତିର ଜଳଜୀବ ବିଲୁପ୍ତ, ୩୫୭୬୫ ପ୍ରଜାତି ବିପଦରେ

ବେଙ୍ଗାଲୁରୁ : ବିଭିନ୍ନ ପ୍ରଜାତିର ଜୈବ ବିବିଧତା ଉପରେ ନିଘା ରଖୁଥିବା ବିଶ୍ବସ୍ତରୀୟ ଅନୁଷ୍ଠାନ ଆନ୍ତର୍ଜାତିକ ପ୍ରକୃତି ସଂରକ୍ଷଣ ସଂଘ(ଆଇୟୁସିଏନ୍‌) ପକ୍ଷରୁ ନିକଟରେ ବିପଦ ମୁଖରେ ପଡ଼ିଥିବା ବିଭିନ୍ନ ପ୍ରାଣୀଙ୍କ ସମ୍ପର୍କରେ ସଦ୍ୟ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରାଯାଇଛି। ଏଥିରେ ମାଛ, ବେଙ୍ଗ ଓ ସାର୍ପ ପରି ୩୧ଟି ବିଭିନ୍ନ ପ୍ରଜାତିର ଜଳଜୀବ ନୂତନ କରି ସଂପୂର୍ଣ୍ଣ ଭାବେ ବିଲୁପ୍ତ ହୋଇଯାଇଥିବା ଦର୍ଶାଯାଇଛି। ଆଇୟୁସିଏନ୍‌ର ନଜରରେ ରହିଥିବା ମୋଟ ୧,୨୮,୯୧୮ ବିଭିନ୍ନ ପ୍ରଜାତିର ସଜୀବ ମଧ୍ୟରୁ ପ୍ରାୟ ଏକ ତୃତୀୟାଂଶ ବା ୩୫,୭୬୫ ପ୍ରଜାତିର ପ୍ରାଣୀ ଏବଂ ଉଦ୍ଭିଦର ଅସ୍ଥିତ୍ବ ବିପଦମୁଖରେ ପଡ଼ିଥିବା ଏଥିରେ କୁହାଯାଇଛି। ସେମାନଙ୍କ ମଧ୍ୟରେ ବିଶ୍ବର ମଧୁରଜଳ ଡଲଫିନ୍‌, ସମଗ୍ର ଓକ୍‌ ବୃକ୍ଷର ଏକ ତୃତୀୟାଂଶ, ଦକ୍ଷିଣ ଗୋଲାର୍ଦ୍ଧରେ ଫୁଟୁଥିବା ପୁଷ୍ପରାଜିର ୪୫ ପ୍ରତିଶତ, ୨୬ ପ୍ରତିଶତ ସ୍ତନ୍ୟପାୟୀ, ୪୦ ପ୍ରତିଶତ ଉଭୟଚର, ୧୪ ପ୍ରତିଶତ ପକ୍ଷୀ, ୩୩ ପ୍ରତିଶତ ସାର୍କ ଏବଂ ୩୩ ପ୍ରତିଶତ ପ୍ରବାଳ ରହିଛନ୍ତି। ସେହିପରି ସଂକଟରେ ପଡ଼ିଥିବା ବିଭିନ୍ନ ପ୍ରାଣୀ ଓ ଉଦ୍ଭିଦଙ୍କ ମଧ୍ୟରୁ ୯୦୨ ପ୍ରଜାତି ସମ୍ପୂର୍ଣ୍ଣ ବିଲୁପ୍ତ ହୋଇ ସାରିଥିବା ବେଳେ ୮୦ଟି ଅଣପୋଷା ଜୀବ ବିଲୁପ୍ତ ହୋଇଛନ୍ତି। ଏଥି ସହିତ ୭,୭୬୨ ପ୍ରଜାତିର ଅସ୍ଥିତ୍ବ ଅତି ସଂକଟରେ, ୧୩,୨୮୫ ପ୍ରଜାତି ସଂକଟରେ, ୧୪,୭୧୮ ପ୍ରଜାତି ବିଲୋପନଶୀଳ, ୭,୬୪୪ ପ୍ରଜାତି ପ୍ରାୟ ବିପନ୍ମୁଖୀ ଏବଂ ୬୬,୪୬୯ ପ୍ରଜାତିକୁ ଅଣଦେଖା କରାଯାଉଛି ବୋଲି ଏହି ସର୍ବେକ୍ଷଣ ରିପୋର୍ଟରୁ ଜଣାଯାଇଛି। ତେବେ ଭାରତରେ ସ୍ବର୍ଣ୍ଣ ମର୍କଟ(ଗୋଲ୍‌ଡେନ୍‌ ଲଙ୍ଗୁର) ଓ ଏକ ଶିଙ୍ଗା ଗଣ୍ଡା ଆଦି ୧,୧୭୪ ପ୍ରଜାତିର ପ୍ରାଣୀ ଓ ଉଦ୍ଭିଦ ବିଲୁପ୍ତପ୍ରାୟ ଅବସ୍ଥାରେ ରହିଥିବା ଏଥିରେ କୁହାଯାଇଛି।

ସମ୍ବନ୍ଧିତ ଖବର