ହାଇଦ୍ରାବାଦରେ ଇଭାଙ୍କା

ନୂଆଦିଲ୍ଲୀ : ଭାରତୀୟମାନେ ସମଗ୍ର ବିଶ୍ୱରେ ନାଗରିକଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି। ପ୍ରଗତିଶୀଳ ଚିନ୍ତାଧାରା, ସଂଘର୍ଷ ଭିତରେ ସଫଳତା ଏବଂ ଆଗକୁ ବଢ଼ିବାର ଅପୂର୍ବ ଦକ୍ଷତା ପ୍ରଦର୍ଶନ କରି ଭାରତୀୟମାନେ ସେମାନଙ୍କ ପରାକାଷ୍ଠା ଦେଖାଇଛନ୍ତି ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍‌ ଟ୍ରମ୍ପ୍‌ଙ୍କ ଝିଅ ତଥା ତାଙ୍କ ପରମର୍ଶଦାତା ଇଭାଙ୍କା ଟ୍ରମ୍ପ୍‌ ଆଜି ହାଇଦ୍ରାବାଦରେ କହିଛନ୍ତି।

ବିଶ୍ୱ ଔଦ୍ୟୋଗିକ ସମ୍ମିଳନୀରେ ଉଦ୍‌ବୋଧନ ଦେଇ ଇଭାଙ୍କା କହିଛନ୍ତି, ଦୁଇ ମହାନ ରାଷ୍ଟ୍ର ଭାରତ ଓ ଆମେରିକା ମଧ୍ୟରେ ରହିଥିବା ସଂପର୍କକୁ ଆହୁରି ସୁଦୃଢ଼ କରିବା ପାଇଁ ଆମେ ସଂକଳ୍ପବଦ୍ଧ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରି ଇଭାଙ୍କା କହିଛନ୍ତି, ସେ ହେଉଛନ୍ତି ଗଣତନ୍ତ୍ରର ପ୍ରତୀକ ଏବଂ ଜଣେ ଚାହା ବିକାଳିରୁ ଭାରତର ପ୍ରଧାନମନ୍ତ୍ରୀ ହେବା ପର୍ଯ୍ୟନ୍ତ ତାଙ୍କର ଯାତ୍ରା ଅସାଧାରଣ। ଜଣେ ଚାହା ବିକ୍ରି କରୁଥିବା ବ୍ୟକ୍ତି ବିଶ୍ୱର ସବୁଠାରୁ ବଡ଼ ଗଣତନ୍ତ୍ରର କ୍ଷମତାରେ ଶୀର୍ଷରେ ପହଞ୍ଚିବା ଅତ୍ୟନ୍ତ ଉତ୍ସାହପ୍ରଦ। ପ୍ରଧାନମନ୍ତ୍ରୀଙ୍କୁ ଉଦ୍ଦେଶ୍ୟ କରି ଇଭାଙ୍କା କହିଥିଲେ- ଆପଣ ଯାହା ହାସଲ କରିଛନ୍ତି ତାହା ବିରଳ। ବାଲ୍ୟାବସ୍ଥାରେ ଚାହା ବିକ୍ରି କରିବାଠାରୁ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋବା ପର୍ଯ୍ୟନ୍ତ ଏତେବଡ଼ ପରିବର୍ତ୍ତନ ଓ ଆହ୍ଵାନକୁ ଆପଣ ସାକାର କରିପାରିଛନ୍ତି।

ମହିଳା ଉଦ୍ୟେଗପତିମାନଙ୍କୁ ସର୍ବଦା ପ୍ରୋତ୍ସାହନ ଦେଇ ଆସୁଥିବା ଇଭାଙ୍କା ଆଜି ଭାରତର ମହିଳା ଉଦ୍ୟୋଗପତିଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି। ମହିଳାମାନଙ୍କ ନେତୃତ୍ୱରେ ବ୍ୟବସାୟର ବିସ୍ତାର ସମାଜ ଓ ରାଷ୍ଟ୍ର ପାଇଁ ଅତ୍ୟନ୍ତ ମଙ୍ଗଳକର ବୋଲି ସେ କହିଛନ୍ତି। ମହିଳା ସଶକ୍ତିକରଣ ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରୟାସ ଏ ଦିଗରେ ଏକ ମହତ୍ତର ପ୍ରୟାସ ବୋଲି ସେ କହିଛନ୍ତି। ବିଶ୍ୱ ଔଦ୍ୟୋଗିକ ସମ୍ମିଳନୀରେ ‘ମହିଳା ପ୍ରଥମ ଓ ସମସ୍ତଙ୍କ ପ୍ରଗତି’ ବିଷୟକୁ ନେି ଆୟୋଜିତ ହୋଇଥିବାରୁ ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ ଆଗକୁ ବଢ଼ାଇବା ତାଙ୍କ ସରକାରଙ୍କ ବିକାଶ ଏଜେଣ୍ଡାର ପ୍ରମୁଖ କାର୍ଯ୍ୟକ୍ରମ। ଭାରତରେ ବ୍ୟବସାୟ ପ୍ରକ୍ରିୟାକୁ ଏନ୍‌ଡିଏ ସରକାର ସହଜ କରିଛନ୍ତି ଏବଂ ଏହାକୁ ଦେଶର ଦ୍ରୁତ ବିକାଶ ସହ ଯୋଡ଼ାଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହି ସମ୍ମିଳନୀରେ ୧୫୦୦ ମହିଳା ଉଦ୍ୟୋଗୀ ଅଂଶ ଗ୍ରହଣ କରିଛନ୍ତି।

ସମ୍ବନ୍ଧିତ ଖବର