ପାଟ୍ନା: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଝିଅ ଇଭାଙ୍କା ଟ୍ରମ୍ପ୍ ଜଣେ ୧୭ ବର୍ଷୀୟା ବିହାରୀ ନାବାଳିକାଙ୍କ ଫଟୋ ଦେଇ ଟ୍ବିଟର୍ରେ ଏକ ପୋଷ୍ଟ୍ କରିବା ପରେ ନାବାଳିକା ଜଣକ ଚାରିଆଡ଼େ ଚର୍ଚ୍ଚା ପାଲଟିଛନ୍ତି। ୧୭ ବର୍ଷୀୟା ଜ୍ୟୋତି କୁମାରୀ ନିଜ ବାପାଙ୍କୁ ପଛରେ ବସାଇ ୧୨୦୦ କିଲୋମିଟର ବାଟ ଅତିକ୍ରମ କରିବା ପରେ ସେ ଏବେ ‘ସାଇକେଲ୍ ଗାର୍ଲ’ ନାମରେ ପରିଚିତା।
ଇଭାଙ୍କା ତାଙ୍କ ବିଷୟରେ ଟ୍ବିଟ୍ କରି ଲେଖିଛନ୍ତି କି ‘ଜ୍ୟୋତି କୁମାରୀଙ୍କୁ ଭେଟନ୍ତୁ, ଯିଏକି ନିଜର କ୍ଷତାକ୍ତ ବାପାଙ୍କୁ ନିଜ ସାଇକେଲ୍ ପଛରେ ବସାଇ ୭ ଦିନରେ ୧୨୦୦ କିଲୋମିଟର୍ ବାଟ ଅତିକ୍ରମ କରିଛନ୍ତି। ଏହି ସୁନ୍ଦର ଫଟୋକୁ ଦେଖିବା ପରେ ଭାରତୀୟ ଓ ଭାରତୀୟ ସାଇକେଲ୍ ସଂଘକୁ ନେଇ ସହଜରେ କଳ୍ପନା କରାଯାଇ ପାରୁଛି।’

ଜ୍ୟୋତି ହରିଆଣାର ଗୁରୁଗ୍ରାମରୁ ବିହାରର ଦରଭଙ୍ଗା ପର୍ଯ୍ୟନ୍ତ ନିଜ ବାପାଙ୍କୁ ସାଇକେଲ୍ରେ ବସାଇ ନେବା କଥା ଚାରିଆଡ଼େ ଚର୍ଚ୍ଚା ପାଲଟିଛି। ଜ୍ୟୋତିଙ୍କର ସାଇକେଲିଂ ଦକ୍ଷତାକୁ ପ୍ରୋତ୍ସାହନା ଦେବା ପାଇଁ ସାଇକେଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆ(ସିଏଫ୍ଆଇ) ମଧ୍ୟ ସହାୟତାର ହାତ ବଢ଼ାଇଛି।
ସିଏଫ୍ଆଇର ଅଧ୍ୟକ୍ଷ ଓଙ୍କାର ସିଂହ କହନ୍ତି, ‘ଜ୍ୟୋତିଙ୍କ ପେଡାଲିଂ କ୍ଷମତା ଦେଖି ଆମେ ଖୁବ୍ ଖୁସି। ସିଏଫ୍ଆଇ ଜ୍ୟୋତିଙ୍କୁ ତାଙ୍କ ଦକ୍ଷତା ପ୍ରଦର୍ଶନ କରିବାର ଏକ ସୁଯୋଗ ଦେବାକୁ ଚାହୁଁଛି।’ ସିଂହ ଆହୁରି ବି କହିଛନ୍ତି ଯେ ଥରେ ଦେଶରୁ ଲକ୍ଡାଉନ୍ ଉଠିଯିବା ପରେ ଜ୍ୟୋଜିଙ୍କୁ ଦିଲ୍ଲୀ ଡକାଯାଇ ତାଙ୍କ ସାଇକେଲିଂ କ୍ଷମତା ପରଖାଯିବ।