ଶ୍ରୀନଗର: ଶନିବାର ଦିନ ଜମ୍ମୁ ଓ କଶ୍ମୀରର କୁଲ୍‌ଗାମ୍‌ ଜିଲ୍ଲା ଅନ୍ତର୍ଗତ ଆଶମୁଜି ଅଞ୍ଚଳରେ ନିରାପତ୍ତା ବଳଙ୍କ ସହ ଗୁଳିବିନିମୟ କରି ଆତଙ୍କବାଦୀ ସଙ୍ଗଠନ ହିଜ୍‌ବୁଲ୍‌ ମୁଜାହିଦୀନ୍‌ର ଜଣେ ଜିଲ୍ଲା କମାଣ୍ଡର୍ ନିହତ ହୋଇଛନ୍ତି। ଏଥିସହ, ଗୁଳିବିନିମୟସ୍ଥଳରୁ ନିରାପତ୍ତା ବଳ ସ୍କୁଲ୍‌ ପିଲାଙ୍କ ସମେତ ଅନ୍ୟୂନ ୬୦ଜଣ ବ୍ୟକ୍ତିଙ୍କୁ ରକ୍ଷା କରିଛନ୍ତି।

Advertisment

ସମ୍ପୃକ୍ତ ଅଞ୍ଚଳରେ ଆତଙ୍କବାଦୀମାନଙ୍କ ଉପସ୍ଥିତି ବିଷୟରେ ସୂଚନା ପାଇବା ପରେ ଆଶମୁଜି ଅଞ୍ଚଳରେ ‘ସିଆର୍‌ପିଏଫ୍‌’ ଏବଂ କୁଲଗାମ୍‌ ପୁଲିସ ଟିମ୍‌ ଅପରାହ୍ଣ ୧ଟା ବେଳେ ‘କର୍ଡନ୍‌-ଆଣ୍ଡ୍‌-ସର୍ଚ’ ଅଭିଯାନ ଆରମ୍ଭ କରିଥିଲା। ଆତଙ୍କବାଦୀମାନେ ଉପସ୍ଥିତ ଥିବା କଥା ସୁନିଶ୍ଚିତ ହେବା ପରେ ନିରାପତ୍ତା ବଳ ସେ ଅଞ୍ଚଳରୁ ସାଧାରଣ ନାଗରିକମାନଙ୍କୁ ସ୍ଥାନାନ୍ତର କରିଥିଲେ। ଆତ୍ମସମର୍ପଣ ପାଇଁ ମଧ୍ୟ ଆତ୍ମଗୋପନ କରିଥିବା ଆତଙ୍କବାଦୀମାନଙ୍କ ପାଖକୁ ବାର୍ତ୍ତା ପ୍ରେରଣ କରାଯାଇଥିଲା। କିନ୍ତୁ, ସେମାନେ ଆତ୍ମସମର୍ପଣ କରିବାକୁ ଅଗ୍ରାହ୍ୟ କରି ନିର୍ବିଚାର ଭାବେ ଗୁଳି ବର୍ଷଣ କରିଥିଲେ।

publive-image Image Courtesy of Evening News

ନିରାପତ୍ତା ବଳ ପାଲଟା ଗୁଳି ଚଳାଇବାରୁ ମୁଦାସିର୍‌ ଅହମଦ୍‌ ୱାଗେ ନାମରେ ଜଣେ ଆତଙ୍କବାଦୀ ନିହତ ହୋଇଥିଲେ। ସେ ଥିଲେ ଜଣେ ‘ଏ+’ ବର୍ଗର ଆତଙ୍କବାଦୀ ତଥା ହିଜବୁଲ୍‌ ମୁଜାହିଦୀନ୍‌ର ଜିଲ୍ଲା କମାଣ୍ଡର୍‌।

ଏନ୍‌କାଉଣ୍ଟର୍‌ସ୍ଥଳରୁ ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ସମେତ ବହୁ ଆପତ୍ତିଜନକ ସାମଗ୍ରୀ ମଧ୍ୟ ଉଦ୍ଧାର କରାଯାଇଛି। ଅଧିକ ତଦନ୍ତ ନିମନ୍ତେ ଉକ୍ତ ସାମଗ୍ରୀଗୁଡ଼ିକ ‘କଷ୍ଟଡି’କୁ ନିଆଯାଇଛି। ଏଥିସହ କୁଲ୍‌ଗାମ୍‌ ଥାନାରେ ମାମଲା ରୁଜୁ କରାଯାଇ ତଦନ୍ତ ମଧ୍ୟ ଆରମ୍ଭ କରାଯାଇଛି।