୭ଜଣ ପାକିସ୍ତାନୀ ଆତଙ୍କବାଦୀଙ୍କୁ ଜମ୍ମୁରୁ ତିହାର ଜେଲ୍‌ ପଠାଇବା ପାଇଁ ସୁପ୍ରିମ୍‌ କୋର୍ଟରେ ଆବେଦନ କଲେ ଜମ୍ମୁ-କଶ୍ମୀର ସରକାର

ନୂଆଦିଲ୍ଲୀ : ଜମ୍ମୁ ଜେଲ୍‌ରେ ବନ୍ଦୀ ଥିବା ୭ଜଣ ପାକିସ୍ତାନୀ ଆତଙ୍କବାଦୀଙ୍କୁ ତିହାର ଜେଲ୍‌ ପଠାଇବା ପାଇଁ ଜମ୍ମୁ-କଶ୍ମୀର ସରକାର ସୁପ୍ରିମ୍‌ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ପୁଲଓ୍ଵାମା ଆକ୍ରମଣ ପରେ ପରେ ସୁପ୍ରିମ୍‌ କୋର୍ଟରେ ଏଭଳି ଆବେଦନ କରିଛନ୍ତି ଜମ୍ମୁ-କଶ୍ମୀର ସରକାର । ବିଚାରପତି ଏଲ୍‌.ଏନ୍‌.ରାଓ ଏବଂ ଏମ୍‌.ଆର.ଶାହଙ୍କ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି କରି ଦିଲ୍ଲୀ ଓ କେନ୍ଦ୍ର ସରକାରଙ୍କୁ ଜବାବ ରଖିବାକୁ କହିଛନ୍ତି।

Times of India

ଶୁକ୍ରବାର ମାମଲାର ଶୁଣାଣି ଚାଲି ଥିବା ବେଳେ ଜମ୍ମୁ-କଶ୍ମୀର ସରକାରଙ୍କ ପକ୍ଷ ରଖି ତାଙ୍କ ଓକିଲ ଶୋଏବ୍‌ ଆଲମ ଖଣ୍ଡପୀଠକୁ କହିଥିଲେ, ବିଭିନ୍ନ ସଂଗଠନ ସହ ଜଡ଼ିତ ଆତଙ୍କବାଦୀମାନଙ୍କୁ ଜମ୍ମୁ ଜେଲ୍‌ରେ ରଖାଯାଇଛି । କଏଦୀମାନଙ୍କୁ ଆତଙ୍କବାଦୀ ଆକ୍ରମଣର ଆଶଙ୍କା ରହିଛି।  ଯଦି ସେମାନଙ୍କୁ ତିହାର ଜେଲ୍‌ ପଠାଇବାରେ କୌଣସି ଅସୁବିଧା ରହିଛି, ତେବେ ସେମାନଙ୍କୁ ଉଚ୍ଚ ସୁରକ୍ଷା ବଳୟ ଭିତରେ ଥିବା ହରିୟାଣା ବା ପଞ୍ଜାବ ଜେଲ୍‌କୁ ପଠାଇ ଦିଆଯାଉ ।

ଆଲମ୍‌ଙ୍କ ଯୁକ୍ତି ଶୁଣିବା ପରେ ଖଣ୍ଡପୀଠ ଏ ନେଇ ଶୁଣାଣି କରାଯିବ ବୋଲି କହିବା ସହ ଏହି ଆବେଦନର ନୋଟିସ୍‌ ୭ଜଣ ଆତଙ୍କବାଦୀଙ୍କୁ ଦେବା ପାଇଁ ଆଲମଙ୍କୁ ଆଦେଶ ଦେଇଛନ୍ତି । ଏହା ସହ ଜମ୍ମୁ-କଶ୍ମୀର ସରକାରଙ୍କ ଏଭଳି ଦାବି ଆସିବା ପରେ ବିଚାରପତି ଏଲ୍‌.ଏନ୍‌. ରାଓ ଏବଂ ଏମ୍‌.ଆର. ଶାହଙ୍କ ଖଣ୍ଡପୀଠ କେନ୍ଦ୍ର ଏବଂ ଦିଲ୍ଲୀ ସରକାରଙ୍କୁ ଜବାବ ମାଗିଛି ।

ସମ୍ବନ୍ଧିତ ଖବର