ବ୍ୟାଙ୍କ ଲୁଟ୍‌ ପାଇଁ ଉଦ୍ୟମ କରୁଥିବା ଆତଙ୍କବାଦୀଙ୍କ ଗୁଳିରେ ୨ ଆହତ

କୁଲ୍‌ଗାମ୍‌ (ଜମ୍ମୁ-କଶ୍ମିର): ଦକ୍ଷିଣ କଶ୍ମିରର କୁଲ୍‌ଗାମ୍‌ ଜିଲ୍ଲାରେ ଥିବା ଜମ୍ମୁ ଆଣ୍ଡ କଶ୍ମିର ବ୍ୟାଙ୍କ ମଧ୍ୟରେ ଆଜି (ଶୁକ୍ରବାର) ବିଳମ୍ବିତ ଅପରାହ୍ଣରେ ୨ ଜଣ ଆତଙ୍କବାଦୀ ବଳପୂର୍ବକ ପ୍ରବେଶ କରି ଗୁଳିଚାଳନା କରିବା ଘଟଣାରେ ଦୁଇ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଜଣେ ବ୍ୟାଙ୍କ୍‌ ଗ୍ରାହକ ଥିବା ବେଳେ ଅନ୍ୟ ଜଣକ ହେଉଛନ୍ତି ବ୍ୟାଙ୍କ୍‌ର ସୁରକ୍ଷା କର୍ମୀ।

ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ଆଜି ବିଳମ୍ବିତ ଅପରାହ୍ଣରେ ଦକ୍ଷିଣ କଶ୍ମିରର କୁଲ୍‌ଗାମ୍‌ ଜିଲ୍ଲାରେ ଥିବା ଜମ୍ମୁ ଆଣ୍ଡ କଶ୍ମିର ବ୍ୟାଙ୍କ ବନ୍ଦ ହେବାକୁ ଯାଉଥିବା ବେଳେ ବ୍ୟାଙ୍କ ମଧ୍ୟକୁ ବଳପୂର୍ବକ ଓସେଇ ପଶିଥିଲେ। ପରେ ସେମାନେ ବ୍ୟାଙ୍କ୍‌ର ଟଙ୍କା ଭର୍ତ୍ତି ଥିବା ଟ୍ରଙ୍କ୍‌କୁ ଲୁଟକରି ପଲାଇବାକୁ ବସିଥିବା ବେଳେ ବ୍ୟାଙ୍କର ସୁରକ୍ଷା କର୍ମୀ ସେମାନଙ୍କ ଉପରକୁ ଗୁଳି ଚାଳନା କରିଥିଲେ। ଏଥିରେ ହଡ଼ବଡ଼େଇ ଯାଇ ଦୁଇ ଆତଙ୍କବାଦୀ ଟଙ୍କା ବାକ୍ସକୁ ପକାଇଦେଇ ପାଲଟା ଗୁଳିଚାଳନା କରି ଘଟଣାସ୍ଥଳରୁ ଖସି ପଳାଇ ଥିଲେ। ତେବେ, ଆତଙ୍କବାଦୀଙ୍କ ଗୁଳିରେ ବ୍ୟାଙ୍କରେ ଉପସ୍ଥିତ ଥିବା ଗ୍ରାହକ ଆସିକ୍‌ ହୁସେନ୍‌ ଓ ବ୍ୟାଙ୍କ୍‌ର ସୁରକ୍ଷା କର୍ମୀ ଗୁରୁତର ଭାବେ ଆହତ ହୋଇଥିଲେ। ଉଭୟ ଆହତଙ୍କୁ ଚିକିତ୍ସା ପାଇଁ କୁଲ୍‌ଗାମ୍‌ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରା ଯାଇଥିବା ବେଳେ ଘଟଣାରେ ସଂପୃକ୍ତ ଆତଙ୍କବାଦୀମାନଙ୍କୁ ଧରିବା ପାଇଁ ସଂପୃକ୍ତ ଅଞ୍ଚଳରେ ବ୍ୟାପକ ତଲାସୀ ଅଭିଯାନ ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର