ବିଦେଶ ଯାଉଥିବାବେଳେ ବିମାନବନ୍ଦରରେ ଅଭିନେତ୍ରୀ ଜାକ୍‌ଲିନଙ୍କୁ ଅଟକ ରଖିଲା ଇଡି

ମୁମ୍ବାଇ: ବଢ଼ିବାରେ ଲାଗିଛି ଜାକ୍‌ଲିନଙ୍କ ଅଡୁଆ | ଏକ ସୋ ପାଇଁ ଦୁବାଇ ଯାଉଥିବାବେଳେ ବଲିଉଡ ଅଭିନେତ୍ରୀ ତଥା ସିଂହଳୀ ସୁନ୍ଦରୀ ଜାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜ୍‌ଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଟକ ରଖିଛି | ଇଡି ପକ୍ଷରୁ କୁହାଯାଉଛି ଯେ ଲୁକ୍ ଆଉଟ୍ ସର୍କୁଲାର ଯୋଗୁଁ ଅଭିନେତ୍ରୀଙ୍କୁ ମୁମ୍ବାଇ ବିମାନବନ୍ଦରରେ ଅଟକ ରଖାଯାଇଛି । ସୂଚନା ମୁତାବକ ଅକ୍ଟୋବର ଶେଷ ସପ୍ତାହରେ ଜ୍ୟାକଲିନଙ୍କ ବିରୋଧରେ ଇଡି ଲୁକ ଆଉଟ ସରକୁଲାର ଜାରି କରିଥିଲା | ସୂଚନା ମୁତାବକ ୨୦୦ କୋଟି ଟଙ୍କା ଠକେଇ ଘଟଣାରେ କୋନ୍‌ମ୍ୟାନ୍‌ ସୁକେଶ ଚନ୍ଦ୍ରଶେଖରଙ୍କ ସହ ସମ୍ପୃକ୍ତି ଥିବା ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହେବା ପାଇଁ ବଲିଉଡ୍‌ ଅଭିନେତ୍ରୀ ଜାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜଙ୍କୁ ବାରମ୍ବାର ସମନ ଦିଆଯାଇଥିଲା | ଏହା ସତ୍ତ୍ୱେ ବି ବ୍ୟକ୍ତିଗତ କାରଣ ଦର୍ଶାଇ ସେ ହାଜର ହୋଇନଥିଲେ | ପୂର୍ବରୁ ଅଗଷ୍ଟ ଏବଂ ସେପ୍ଟେମ୍ବର ମାସରେ ଏହି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜାକ୍‌ଲିନଙ୍କ ବୟାନ ରେକର୍ଡ କରିଥିଲା।

ଏହି ମାମଲାରେ ସୁକେଶ ଚନ୍ଦ୍ରଶେଖର, ତାଙ୍କ ପତ୍ନୀ ମାରିଆ ପଲ୍ ଏବଂ ଅନ୍ୟ ୬ଜଣ ‘ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ’ ହାଜତରେ ଅଛନ୍ତି। ଶହଶହ କୋଟି ଟଙ୍କାର ଅର୍ଥ ହେରଫେର ଓ ଠକେଇ ମାମଲାରେ ଗିରଫ ହୋଇଥିବା ସୁକେଶ ଚନ୍ଦ୍ରଶେଖରକୁ ନେଇ ଗତକାଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବଡ ଖୁଲାସା କରିଥିଲା । ୨୦୦ କୋଟି ଟଙ୍କା ଜାଲିଆତି ଅଭିଯୋଗରେ ଗିରଫ ହୋଇଥିବା ଚନ୍ଦ୍ରଶେଖରକୁ ଜେରା କରିବା ପରେ ଇଡି ଗତକାଲି ଚାର୍ଜସିଟ ଦାଖଲ କରିଥିଲା | ଏଥିରେ କୁହାଯାଇଥିଲା ଯେ ସୁକେଶ ତାର ଅଭିନେତ୍ରୀ ପତ୍ନୀ ମାରିଆ ପଲ୍ ମିଶି ଚାକିରି କରାଇଦେବା ନାମରେ ଅର୍ଥ ଆଦାୟ, ନାମୀଦାମୀ ନେତା ଓ ସେଲିବ୍ରିଟିଙ୍କଠାରୁ ଅର୍ଥ ଆଦାୟରେ ଲିପ୍ତ ଥିଲେ। ଇଡି ତଥ୍ୟ ମୁତାବକ, ସୁକେଶ ଜାକ୍‌ଲିନ୍‌ଙ୍କୁ ୧୦ କୋଟି ଟଙ୍କାର ଉପହାର ଦେଇଥିଲା ।

ଏହାସହ ଜାକ୍‌ଲିନ୍‌ଙ୍କୁ ଦେଇଛି ଦାମୀ ହୀରା ଅଳଙ୍କାର, ୩୬ ଲକ୍ଷ ଟଙ୍କାର ୪ଟି ପର୍ସିଆନ୍ ବିଲେଇ, ୫୨ ଲକ୍ଷ ଟଙ୍କାର ଏକ ଘୋଡା ।୨୦୦ କୋଟି ଟଙ୍କାର ଠକେଇ ମାମଲାରେ ଯାଞ୍ଚ ବେଳେ ଇଡି ସବୁଠୁ ପ୍ରଥମେ ଦୀପକ ରମନାନୀ ଓ ତାଙ୍କ ଭାଇଙ୍କୁ ଗିରଫ କରିଥିଲା । ଏହି ଦୁଇଜଣ ସୁକେଶଙ୍କୁ ଟଙ୍କା ହେରଫେର ଘଟଣାରେ ସାହାଯ୍ୟ କରିବାରେ ମୁଖ୍ୟ କାର୍ପଟଦାର ଥିବା କୁହାଯାଇଛି । ଏହାପରେ ପୁଲିସ ସୁକେଶ ଓ ତା’ ପତ୍ନୀକୁ ଗିରଫ କରି ପଚରାଉଚୁରା କରିଥିଲା । କଳାଧନକୁ ଧଳା କରିବାରେ ସୁକେଶ ଏକ ବଡ ମାଧ୍ୟମ ସାଜୁଥିଲା। କଳାଧନରେ ସୁକେଶ ଅନେକ ମୂଲ୍ୟବାନ ସମ୍ପତ୍ତିର ମାଲିକ ହୋଇଥିଲା ।

ସମ୍ବନ୍ଧିତ ଖବର