ଜ୍ୟାକଲିନଙ୍କୁ ଜାମିନ ଦେଇ ପଟିଆଲା ହାଉସ କୋର୍ଟ ରଖିଲେ ଏଭଳି ସର୍ତ୍ତ

ନୂଆଦିଲ୍ଲୀ: ମନି ଲଣ୍ଡରିଂ ମାମଲାରେ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ପଟିଆଲା ହାଉସ କୋର୍ଟ ଆଶ୍ବସ୍ତି ଦେଇଛନ୍ତି। ୨୦୦ କୋଟି ଟଙ୍କା ମନି ଲଣ୍ଡରିଂ ମାମଲାରେ ଜ୍ୟାକଲିନଙ୍କ ଜାମିନକୁ ନେଇ ନିଷ୍ପତ୍ତି ଶୁଣାଇ ତାଙ୍କୁ ଜାମିନ ଦେଇଛନ୍ତି କୋର୍ଟ।  ଏହାପରେ କୋର୍ଟ କିଛି ସର୍ତ୍ତି ରଖିଛନ୍ତି। ଏହି ସର୍ତ୍ତ ଅନୁଯାୟୀ  ଅଭିନେତ୍ରୀ କୋର୍ଟଙ୍କ ଅନୁମତି ନେଇ କିଛିଦିନ ପାଇଁ ଦେଶ ବାହାରକୁ ସହଜରେ ଯାଇ ପାରିବେ, କିନ୍ତୁ ସବୁଦିନ ପାଇଁ ଦେଶ ଛାଡ଼ି ପାରିବେ ନାହିଁ।

ପ୍ରଥମେ ଏହି ନିଷ୍ପତ୍ତି ପାଇଁ ୧୧ତାରିଖ ସ୍ଥିର କରାଯାଇଥିଲା। କିନ୍ତୁ ନଭେମ୍ବର ୧୧ରେ ଦିଲ୍ଲୀର ପଟିଆଲା ହାଉସ କୋର୍ଟ ଅଭିନେତ୍ରୀଙ୍କ ଅନ୍ତରୀଣ ଜାମିନକୁ ନଭେମ୍ବର ୧୫ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ। ତାଙ୍କର ଅନ୍ତରୀଣ ଜାମିନ ୧୦ ନଭେମ୍ବରରେ ଶେଷ ହୋଇ ଯାଇଥିଲା।

ଗତ ନଭେମ୍ବର ୧୧ରେ ଶୁଣାଣି ସମୟରେ ଜ୍ୟାକଲିନ କୋର୍ଟରେ ହାଜର ହୋଇଥିଲେ। ଏହି ସମୟରେ ଇଡି ଅଭିନେତ୍ରୀଙ୍କ ଜାମିନକୁ ବିରୋଧ କରିଥିଲେ। ଜାମିନ ମଞ୍ଜୁର ହେବା ପରେ ଅଭିନେତ୍ରୀ ପ୍ରମାଣ ସହିତ କିଛି ବି କରି ପାରନ୍ତି, ଆଉ ଦେଶ ଛାଡ଼ି ଚାଲି ଯାଇପାରନ୍ତି ବୋଲି କୁହାଯାଇଥିଲା।

ଏହି କ୍ରମରେ ଜ୍ୟାକଲିନଙ୍କ ଓକିଲ କହିଥିଲେ ଯେ, ‘ଦେଶ ଛାଡି ସେ ଯିବେ ନାହିଁ, ସେ ଭରସା ମୁଁ ଦେଉଛି। କାରଣ ଏହି ଘଟଣାରେ ଜ୍ୟାକଲିନ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି ।’

ଜ୍ୟାକଲିନ୍ ୨୦୦ କୋଟି ଟଙ୍କା ମନି ଲଣ୍ଡରିଂ ମାମଲାରେ ମୁଖ୍ୟ ଅଭିଯୁକ୍ତ ସୁକେଶ ଚନ୍ଦ୍ରଶେଖରଙ୍କ ସହ ଥିଲେ। ଏହି ଠକେଇର ଫାଇଦା  ଅଭିନେତ୍ରୀ ଉଠାଇଥିବା ଅଭିଯୋଗ ହୋଇଥିଲା। ତେବେ ଏହି ମାମଲାରେ ଅଭିଯୁକ୍ତ ବୋଲି ବି ଜ୍ୟାକଲିନ୍ ନିଜେ ସ୍ବୀକାର କରିଥିଲେ।

ସମ୍ବନ୍ଧିତ ଖବର