ଜଗା-ବଳିଆଙ୍କ ଡିସଚାର୍ଜ ପ୍ରସଙ୍ଗ : ଏମ୍ସ ନିର୍ଦ୍ଦେଶକ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ନୋଟିସ୍‌

ନୂଆଦିଲ୍ଲୀ : ଏମ୍ସରେ ଚିକିତ୍ସାଧୀନ ଜଗା-ବଳିଆଙ୍କ ଡିସଚାର୍ଜ ଏବଂ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ତଥ୍ୟ ଦାଖଲ ପାଇଁ ଏମ୍ସ ନିର୍ଦ୍ଦେଶକ ଓ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ମୁଖ୍ୟ ସଚିବଙ୍କୁ ଆଜି ଜାତୀୟ ଅନୁସୂଚିତ ଜନଜାତି କମିସନ ନୋଟିସ୍‌ ଜାରି କରି ଆସନ୍ତା ୧୫ ଦିନ ମଧ୍ୟରେ ଜବାବ ରଖିବାକୁ କହିଛନ୍ତି। ମାନବାଧିକାର କର୍ମୀ ତଥା ସୁପ୍ରିମକୋର୍ଟ ଓକିଲ ରାଧାକାନ୍ତ ତ୍ରିପାଠୀ ଦାଖଲ କରିଥିବା ପିଟିସନ ମୁତାବକ, ଜନଜାତି କମିସନ ଏହି ନୋଟିସ୍‌ ଜାରି କରିଥିବା ଜଣାପଡ଼ିଛି। ଏହା ପୂର୍ବରୁ ଜାତୀୟ ମାନବାଧିକାର କମିସନ ଏମ୍ସ କର୍ତ୍ତୃପକ୍ଷଙ୍କୁ ନୋଟିସ୍‌ ଜାରି କରି ଜଗା-ବଳିଆଙ୍କ ଚିକିତ୍ସା ପାଇଁ କେଉଁ ସବୁ ପଦକ୍ଷେପ ନିଆଯାଉଛି ସେ ନେଇ ଉତ୍ତର ଦେବାକୁ କହିଥିଲେ। କିନ୍ତୁ ବର୍ତ୍ତମାନ ସୁଦ୍ଧା ଏମ୍ସ କର୍ତ୍ତୃପକ୍ଷ ଏହି ନୋଟିସ୍‌ର ଜବାବ ଦେଇନାହାନ୍ତି। ଉଲ୍ଲେଖଯୋଗ୍ୟ, ଦୁଇ ଶିଶୁ ସମ୍ପୂର୍ଣ୍ଣ ସୁସ୍ଥ ନହେବା ଯାଏ ଦିଲ୍ଲୀ ଏମ୍ସରୁ ସେମାନଙ୍କୁ ସ୍ଥାନାନ୍ତର ନକରିବାକୁ ଜଗା-ବଳିଆଙ୍କ ପିତା ଭୂୟାଁ କହଁର କରିଥିବା ଆବେଦନ ପରେ ଏବେ ସେମାନଙ୍କ ଡିସଚାର୍ଜ ନିଷ୍ପତ୍ତିକୁ ସାମୟିକ ଭାବେ ପ୍ରତ୍ୟାହାର କରିନିଆଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର