ଶେଷ ସପ୍ତାହରେ ଏମ୍‌ସ ଛାଡ଼ିବେ ଜଗା-ବଳିଆ

ଓଡ଼ିଶା ଭବନରେ ରହିବା ବ୍ୟବସ୍ଥା କରିବେ ରାଜ୍ୟ ସରକାର

ନୂଆଦିଲ୍ଲୀ : ଚଳିତମାସ ଶେଷ ସପ୍ତାହରେ ଜଗା-ବଳିଆଙ୍କୁ ଦିଲ୍ଲୀ ଏମ୍ସରୁ ଡିସ୍‌ଚାର୍ଜ କରିବା ନେଇ ଡାକ୍ତରଖାନା କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ବଳିଆର ସ୍ୱାସ୍ଥ୍ୟାବସ୍ଥାକୁ ଅନୁଧ୍ୟାନ କରାଯିବା ପରେ ହିଁ ଡିସ୍‌ଚାର୍ଜ ସମ୍ପର୍କିତ ପ୍ରକୃତ ତାରିଖ ଘୋଷଣା କରାଯିବ। ଏମ୍ସରୁ ଗଲା ପରେ ଦୁଇ ଶିଶୁ ତୁରନ୍ତ ଓଡ଼ିଶା ଫେରିବେ ନାହିଁ। ତେଣୁ ସେମାନଙ୍କୁ ଅନ୍ୟୂନ ତିନି ମାସ ପାଇଁ ଦିଲ୍ଲୀ ସ୍ଥିତ ଓଡ଼ିଶା ନିବାସରେ ରଖିବା ପାଇଁ ରାଜ୍ୟ ସରକାର ବ୍ୟବସ୍ଥା କରୁଛନ୍ତି।

ବଳିଆର ସ୍ୱାସ୍ଥ୍ୟାବସ୍ଥାରେ ବର୍ତ୍ତମାନ ସୁଦ୍ଧା ଆଶାନୁରୂପ ଉନ୍ନତି ପରିଲକ୍ଷିତ ହୋଇନଥିବାରୁ ଡାକ୍ତରୀଦଳ ଅନୁଧ୍ୟାନ ଜାରି ରଖିଛନ୍ତି। ବଳିଆ ଆଖି ଖୋଲୁଛି ଓ ଗୋଡ଼ ହାତ ହଲାଉଥିବା ବେଳେ ଅନ୍ୟ କୌଣସି କାର୍ଯ୍ୟ ସ୍ୱତଃପ୍ରବୃତ କରିପାରୁ ନାହିଁ। ଏବେ ବି ସେ ନଳୀ ଯୋଗେ ତରଳ ଖାଦ୍ୟ ଖାଉଛି। ତେଣୁ ଚଳିତମାସ ଶେଷ ସୁଦ୍ଧା ବଳିଆର ସ୍ୱାସ୍ଥ୍ୟାବସ୍ଥାକୁ ନିରୀକ୍ଷଣ କରାଯିବା ପରେ ହିଁ ଡିସ୍‌ଚାର୍ଜ ତାରିଖ ସ୍ପଷ୍ଟ ହେବ। ରାଜ୍ୟ ସରକାରଙ୍କ ଜଣେ କର୍ମଚାରୀଙ୍କ କହିବା ମୁତାବକ, ଜଗା-ବଳିଆଙ୍କ ଦେଖାଶୁଣା କରିବା ପାଇଁ ଓଡ଼ିଶା ନିବାସରେ ଜଣେ ସେବିକାଙ୍କୁ ମଧ୍ୟ ନିଯୁକ୍ତ କରାଯିବ। ତିନିମାସ କାଳ ଦିଲ୍ଲୀରେ ରହି ନିୟମିତ ଚେକ୍‌ଅପ୍‌ ପରେ ବଳିଆକୁ ସମ୍ଭବତଃ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯିବ। ଏ ସମ୍ପର୍କରେ ଦିଲ୍ଲୀ ଏମ୍ସ କର୍ତ୍ତୃପକ୍ଷ ଭୁବନେଶ୍ୱର ଏମ୍ସ ସହ ମଧ୍ୟ ଆଲୋଚନା କରିଛନ୍ତି।

ସମ୍ବନ୍ଧିତ ଖବର