ଭେଣ୍ଟିଲେଟରରୁ ବାହାରିଲା ଜଗା, ଡାକ୍ତରୀଟିମ୍‌ ଓ ପରିବାରବର୍ଗ ଆଶ୍ୱସ୍ତ

ନୂଆଦିଲ୍ଲୀ: ଦିଲ୍ଲୀସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମସ୍) ରେ ଚିକିତ୍ସିତ ହେଉଥିବା କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ଅଞ୍ଚଳର ଯୋଡ଼ାମୁଣ୍ଡ ଶିଶୁ ଜଗା-ବଳିଆଙ୍କ ସ୍ୱାସ୍ଥାବସ୍ଥାରେ ଉନ୍ନତି ଆସିଛି। ପୂର୍ବରୁ ବଳିଆ ବାହାରିଥିବା ବେଳେ ଶନିବାର ଜଗାକୁ ଭେଣ୍ଟିଲେଟରରୁ ବାହାର କରାଯାଇଛି। ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଥିବାରୁ ଡାକ୍ତରୀ ଟିମ୍‌ ଓ ପରିବାର ବର୍ଗ ଆଶ୍ୱସ୍ତି ଅନୁଭବ କରିଛନ୍ତି।

ଏମ୍‌ସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଜଗାକୁ ଶନିବାର ଭେଣ୍ଟିଲେଟରରୁ ବାହାର କରି ଆଇସିୟୁରେ ରଖାଯାଇଛି। ଏହା ପୂର୍ବରୁ ଡାକ୍ତରୀଟିମ୍‌ ଜଗାକୁ ୨୪ ଘଣ୍ଟା ଅବଜରଭେସ୍‌ନ କରିଥିଲେ। ବର୍ତମାନ ଜଗାକୁ ଆଇସିୟୁରେ ରଖି ନାକ ବାଟେ ତରଳ ପଦାର୍ଥ ଯଥା ମହୁ ଓ କ୍ଷୀର ଖାଇବାକୁ ଦିଆଯାଉଛି।

ବଳିଆକୁ କ୍ରିଟିକାଲ କେୟାର ସ୍ପେସାଲିଷ୍ଟ୍‍ ଦଳ ଲଗାତାର ନିରୀକ୍ଷଣରେ ରଖିଛନ୍ତି। ତେବେ ବଳିଆର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ତଥା ହୃତପିଣ୍ଡ, କିଡ୍‌ନି ଓ ଲିଭର ଠିକ୍‌ଭାବେ କାର୍ଯ୍ୟ କରୁଥିବା ଜଣାପଡ଼ିଛି। ତା’କୁ ବାରମ୍ବାର ବାତ ମାରିବା ସମସ୍ୟାରେ ମଧ୍ୟ ସାମାନ୍ୟ ଉନ୍ନତି ଆସିଥିବା ଜଣାପଡ଼ିଛି। ସମସ୍ତ ମସ୍ତିଷ୍କ କୋଷ ରିଫ୍ଲେକ୍ସ ଠିକ୍‌ ଥିବା ଯୋଗୁଁ ତା’ର ସ୍ୱାସ୍ଥ୍ୟାବସ୍ଥାରେ ନିଶ୍ଚିତ ସୁଧାର ଆସିବ ବୋଲି ଡାକ୍ତରୀଦଳ ଆଶାବାଦୀ ଅଛନ୍ତି।

ଏକ ସୂତ୍ର ଅନୁଯାୟୀ ବଳିଆ ଏହି ମାସକ ମଧ୍ୟରେ ୫ରୁ ୬ ଥର ଗୋଡ଼ ହାତ ହଲେଇଥିଲା ଏବଂ ମଝିରେ ଟିକିଏ ଆଖି ଖୋଲିଥିଲା। କିନ୍ତୁ ଡାକ୍ତରଙ୍କ କହିବା ଅନୁଯାୟୀ ବଳିଆ ଯେପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଆଖି ନଖୋଲିଛି, ସେ ପର୍ଯ୍ୟନ୍ତ ସେ ଆଖି ଖୋଲିଛି ବୋଲି କହିହେବନି। ଦ୍ୱିତୀୟ ପର୍ଯ୍ୟାୟ ଅପରେସନ ପରେ ଯେଉଁ ପ୍ଲାଷ୍ଟିକ୍‌ ସର୍ଜରି କରାଯାଇଥିଲା ସେଥିରେ ମୁଣ୍ଡକୁ ସମ୍ପୂର୍ଣ୍ଣ ରୂପେ ଢଙ୍କାଯାଇନଥିବାରୁ ସଂକ୍ରମଣ ନିୟନ୍ତ୍ରଣ ପାଇଁ ଡାକ୍ତରମାନଙ୍କୁ ପରାମର୍ଶ ଦିଆଯାଉଛି।

ଅପରପକ୍ଷେ ଜଗାର ସ୍ୱାସ୍ଥ୍ୟାବସ୍ଥାରେ ଦ୍ରୁତ ଉନ୍ନତି ପରିଲକ୍ଷିତ ହୋଇଛି। ସ୍ୱାଭାବିକ ଭାବେ ଜଗା ଖିଆ ପିଆ କରୁଛି, ଖେଳୁଛି ତଥା ମା’ ଓ ବାପାଙ୍କ ସହିତ ଅଧିକାଂଶ ସମୟ ବିତାଉଛି।

ସମ୍ବନ୍ଧିତ ଖବର