ଜଗା ମୁଣ୍ଡ ଖପୁରୀରେ ଚର୍ମ ପ୍ରତିରୋପଣ ଅସ୍ତ୍ରୋପଚାର

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଜଗାର ମୁଣ୍ଡ ଖୁପରୀରେ ମଙ୍ଗଳବାର ଚର୍ମ ପ୍ରତିରୋପଣ ଅସ୍ତ୍ରୋପଚାର କରାଯାଇଛି। ଆଜି ସକାଳ ୯ଟା ବେଳେ ଜଗାକୁ ଅପରେସନ ଥିଏଟରକୁ ନିଆଯାଇଥିଲା ଏବଂ ଅସ୍ତ୍ରୋପଚାର ପୂର୍ବରୁ ନିସ୍ତେଜକ ଦିଆଯାଇଥିଲା। ଯୋଡାମୁଣ୍ଡକୁ ଅଲଗା କରାଯିବାର ଦୁଇମାସପରେ ଏମ୍ସର ଡାକ୍ତରୀଦଳ ଦ୍ୱାରା ଜଗାର ଖପୁରୀରେ ଚର୍ମ ପ୍ରତିରୋପଣ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ପ୍ଲାଷ୍ଟିକ୍‌ ସର୍ଜରୀ ଦ୍ୱାରା କରାଯାଇଥିବା ଜଗାର ଚର୍ମ ପ୍ରତିରୋପଣରେ ଏମ୍ସର ପ୍ଲାଷ୍ଟିକ୍‌ ସର୍ଜରୀ ଓ ନ୍ୟୁରୋ ଆନେସ୍‌ଥେସିଆ ବିଭାଗର ବିଶେଷଜ୍ଞ ଡାକ୍ତରମାନେ ଭାଗ ନେଇଥିଲେ। ପାଖାପାଖି ତିନି ଘଣ୍ଟାଧରି ଏହି ଅପରେସନ ଚାଲିଥିଲା ଏବଂ ଅପରେସନ ସମୟରେ ଜଗାର କୌଣସି ପ୍ରକାର ଭୟର ଲକ୍ଷଣ ଦେଖାଯାଇନଥିବା ଏମ୍ସ ସୂତ୍ରରୁ ଜଣାପଡ଼ିଛି।

ଜଗା ଶରୀରର ଅନ୍ୟ ଅଂଶରୁ ଚର୍ମ ଅଣାଯାଇ ମୁଣ୍ଡ ଖପୁରୀରେ ଚର୍ମ ପ୍ରତିରୋପଣ କରାଯାଇଛି। ସୂଚନାଯୋଗ୍ୟ,ଅକ୍ଟୋବର ୨୫ ତାରିଖରେ ଯୋଡାମୁଣ୍ଡ ଅଲଗା କରାଯିବା ପରେ ଜଗା ଖପୁରୀର କିଛି ଅଂଶରେ ଚର୍ମ ପ୍ରତିରୋପଣ କରାଯାଇଥିଲା ଓ ଅବଶିଷ୍ଠ ଅଂଶକୁ ପରବର୍ତ୍ତୀ ସମୟରେ ପ୍ଲାଷ୍ଟିକ୍‌ ସର୍ଜରୀ ଦ୍ୱାରା ଚର୍ମ ପ୍ରତିରୋପଣ କରାଯିବାର ନିଷ୍ପତି ହୋଇଥିଲା। ମୁଣ୍ଡ ଖପୁରୀରେ ଚର୍ମ ପ୍ରତିରୋପଣ ଅସ୍ତ୍ରୋପଚାର ପରେ ଜଗାର ସ୍ୱାସ୍ଥ୍ୟ ସମ୍ପୂର୍ଣ୍ଣରୂପେ ଠିକ୍‌ ଥିବା ଡାକ୍ତରୀଦଳ ପକ୍ଷରୁ କୁହାଯାଇଛି। ଜଗାକୁ ଆଉ କିଛି ଦିନ ଏମ୍ସରେ ରଖାଯିବ ଓ ତାକୁ ଡିସ୍‌ଚାର୍ଜ କରିବା ପୂର୍ବରୁ ଡାକ୍ତରୀ ଦଳ ପ୍ରାୟ ୧ମାସ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ତା’ର ସ୍ୱାସ୍ଥ୍ୟର ସ୍ଥିତି ପରଖିବେ ବୋଲି ଜଣାପଡ଼ିଛି।

ଉଭୟ ଶାରିରୀକ ଓ ମାନସିକ ରୂପେ ଜଗାର ସ୍ୱାସ୍ଥ୍ୟର ଉନ୍ନତି ଅନୁଧ୍ୟାନ ପରେଯାଇ ତାକୁ ଡିସ୍‌ଚାର୍ଜ ସମ୍ପର୍କୀତ ନିଷ୍ପତ୍ତି ଡାକ୍ତରମାନେ ନେବେ ବୋଲି ଏମ୍ସ ସୂତ୍ରରୁ ଜଣାପଡ଼ିଛି। ଗତକାଲି ଖ୍ରୀଷ୍ଟମାସ ପର୍ବ ଅବସରରେ ଜଗା-ବଳିଆଙ୍କୁ ଶାନ୍ତାକ୍ଲଜ୍‌ ବେଶରେ ସଜାଯାଇଥିଲା। ସେହିଭଳି ବଳିଆର ସ୍ୱାସ୍ଥ୍ୟରେ ମଧ୍ୟ ଧୀରେଧୀରେ ଉନ୍ନତି ପରିଲକ୍ଷିତ ହେଉଥିବାର ଡାକ୍ତରମାନେ କହିଛନ୍ତି। ହେଲେ ବଳିଆକୁ ସମ୍ପୂର୍ଣ୍ଣ ସୁସ୍ଥ ହେବାକୁ ଆହୁରି ସମୟ ଲାଗିବ ବୋଲି ଏମ୍ସ ପକ୍ଷରୁ କୁହାଯାଇଛି। ଦୁଇ ଶିଶୁ ସମ୍ପୂର୍ଣ୍ଣ ଭଳ ହେବେ ଓ ସେମାନଙ୍କୁ ସଡ଼ିଶା ନେଇ ଫେରିବେ ବୋଲି ଜଗା-ବଳିଆଙ୍କ ମା’ ବାପା ଆଶା ବାନ୍ଧି ବସିଛନ୍ତି। ବଳିଆକୁ ଅଦିକ କ୍ରୀୟାଶୀଳ କରିବା ପାଇଁ ଏମ୍ସ ପର୍ତ୍ତୁପକ୍ଷ କିଛି ନୂତନ ଫର୍ମ୍ୟୁଲା ଆପଣୋଇବେ ବୋଲି ସୂଚନାମିଳିଛି। ତେବେ ଡାକ୍ତରଙ୍କ କହିବାନୁସାରେ ବଳିଆ ସମ୍ପୂର୍ଣ୍ଣ ସୁସ୍ଥ ହେବା ପାଇଁ ଆହୁରି ଚାରିମାସ ସମୟ ଲାଗିପାରେ ବୋଲି ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର