ନୂଆଦିଲ୍ଲୀ : ଗତକାଲି ଜଗାକୁ ଭେଣ୍ଟିଲେଟରରୁ କଢାଯିବା ପରେ ତାର ସ୍ୱାସ୍ଥ୍ୟବସ୍ଥା ଲଗାତାର ସୁଧାର ହେଉଥିବା ଏମ୍ସ ସୁତ୍ରରୁ ଜଣାପଡ଼ିଛି । ଜଗାର ରକ୍ତଚାପ, ହୃଦକ୍ରିୟା, ସ୍ନାୟୁ ସଂଚାଳନ ତଥା ଅକ୍ସିଜେନ ସାଚୁରେସନ ଭଳି ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ ସୂଚକାଙ୍କ ଠିକ୍ଥିବାର କୁହାଯାଇଛି । ଭେଣ୍ଟିଲେଟରରୁ କଢାଯିବା ପରେ ଜଗା ବର୍ତ୍ତମାନ ଆଇସିୟୁରେ ଅଛି।
ମିଳିଥିବା ସୂଚନା ଅନୁସାରେ, ଆଜି ଡାକ୍ତରୀଦଳ ଜଗାର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ରୁଟିନ୍ ୧୦ଟି ପରୀକ୍ଷା କରିଥିଲେ। ସ୍ୱାଭାବିକ ନିଶ୍ୱାସ ପ୍ରଶ୍ୱାସ ସହ ତାର ସ୍ୱାସ୍ଥ୍ୟରେ ଆଶାନୁରୂପ ପ୍ରଗତି ହେଉଥିବାର ସଙ୍କେତ ମିଳିଛି । ଜଗା ସମ୍ମୁଖରେ ଯଦି କେହି କଥା ହେଉଛନ୍ତି, ସେମାନଙ୍କୁ ମିଟିମିଟି କରି ଜଗା ଦେଖୁଥିବାର ମଧ୍ୟ କୁହାଯାଉଛି । ଆଗାମୀ ଦୁଇଦିନ ଜଗାର ସ୍ୱାସ୍ଥ୍ୟ ଉପରେ ନଜର ରଖାଯିବ ଓ ଏଭଳି ସ୍ଥିତି ଜାରି ରହିଲେ, ତାକୁ ସାଧାରଣ ଓ୍ଵାର୍ଡକୁ ସ୍ଥାନାନ୍ତରିତ କରାଯିବା ନେଇ ଯୋଜନା ରହିଛି।
ଜଗାକୁ ଆଜି ପାଟିଦ୍ୱାରା ତରଳପଦାର୍ଥ ସହ କଦଳୀ ଚକଟା ଖାଇବାକୁ ଦିଆଯାଇଥିଲା ଯାହାର ସଫଳ ପ୍ରୟୋଗ ହୋଇଥିବାର କୁହାଯାଇଛି । ଅପରପକ୍ଷେ ସ୍ୱତନ୍ତ୍ର ଆଇସିୟୁର ଭେଣ୍ଟିଲେଟରରେ ଥିବା ବଳିଆର ସ୍ଥିତିରେ ବିଶେଷ ସୁଧାର ଆସିନାହିଁ। ତେବେ ସ୍ଥିତି ପୂର୍ବଭଳି ସ୍ଥିର ରହିଛି। ଦ୍ୱିତୀୟ ପର୍ଯ୍ୟାୟ ଅପରେସନ୍ର ୧୭ ଦିନିଆ କ୍ରିଟିକାଲ ପିରିୟଡର ଅବଧି ଶେଷ ହୋଇନଥିବାରୁ ଡାକ୍ତରମାନେ ତାର ସ୍ୱାସ୍ଥ୍ୟରେ ଖୁବ୍ ଶୀଘ୍ର ସୁଧାର ଆସିବ ବୋଲି ଆଶାବାଦୀ ଅଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/11/jaga-4.jpg)