ଜଗା-ବଳିଆ ଓଡ଼ିଶା ଫେରିବେ: ଏମ୍ସରେ ଉଚ୍ଚସ୍ତରୀୟ ବୈଠକ, ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେବ ଏମ୍ସ

ନୂଆଦିଲ୍ଲୀ : ଦିଲ୍ଲୀ ଏମ୍ସରେ ଦୁଇ ବର୍ଷର ଚିକିତ୍ସା ପରେ ସୁସ୍ଥ ହୋଇ ଓଡ଼ିଶା ଫେରିବେ ଜଗା-ବଳିଆ। ଏନେଇ ଏମ୍ସ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଆଜି ଏମ୍ସ କର୍ତ୍ତୃପକ୍ଷ ଓ ରାଜ୍ୟ ସରକାରୀ ପ୍ରତିନିଧିମାନଙ୍କ ମଧ୍ୟରେ ଜଗା-ବଳିଆଙ୍କୁ ଡିସଚାର୍ଜ କରିବା ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏମ୍ସ ବୋର୍ଡରୁମ୍‌ରେ ଅନୁଷ୍ଠିତ ହୋଇଥିବା ବୈଠକରେ ଏମ୍ସ କର୍ତ୍ତୃପକ୍ଷ ଓ ଜଗା-ବଳିଆଙ୍କୁ ଚିକିତ୍ସା କରୁଥିବା ଡାକ୍ତରୀ ଦଳ ଉଭୟ ଶିଶୁ ଏମ୍ସରୁ ଡିସଚାର୍ଜ ହେବା ପାଇଁ ଫିଟ୍ ଥିବା ରାଜ୍ୟ ସରକାରୀ ଅଧିକାରୀମାନଙ୍କୁ ଅବଗତ କରାଇଥିଲେ। ସେମାନଙ୍କୁ ଏବେ କୌଣସି ପ୍ରକାର ସ୍ବତନ୍ତ୍ର ଚିକିତ୍ସାର ଆବଶ୍ୟକତା ନଥିବା କୁହାଯାଇଛି। । ରାଜ୍ୟ ସରକାରଙ୍କ ପକ୍ଷରୁ ବୈଠକରେ ଯୋଗ ଦେଇଥିବା ଏନଏଚଆରଏମ୍‌ର ନିର୍ଦ୍ଦେଶିକା ଶାଲିନୀ ପଣ୍ଡିତଙ୍କ କହିବା ଅନୁସାରେ ଦୁଇ ଶିଶୁଙ୍କୁ ଏମ୍ସରୁ ଡିସଚାର୍ଜ କରିବା ନେଇ ବୈଠକରେ ଆଲୋଚନା ହୋଇଥିଲା। ହେଲେ କେବେ ସେମାନଙ୍କୁ ଡିସଚାର୍ଜ କରାଯିବ ସେନେଇ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ତାରିଖ ଧାର୍ଯ୍ୟ ହୋଇନାହିଁ। ତେବେ ଜୁଲାଇ ୧୨ରେ ସେମାନଙ୍କୁ ଜିସଚାର୍ଜ କରାଯିବ ବୋଲି କୁହାଯାଉଛି।

ଏମ୍ସ କର୍ତ୍ତୃପକ୍ଷ ଜଗା-ବଳିଆଙ୍କ ଓଡ଼ିଶା ଫେରିବା ନେଇ ଖୁବ୍‌ଶୀଘ୍ର ଏକ ଉପଦେଶାବଳୀ ରାଜ୍ୟ ସରକାରଙ୍କୁ ପ୍ରଦାନ କରିବେ। ତେବେ ଜଗା ବଳିଆ ଓଡ଼ିଶା ପହଞ୍ଚିବା ପରେ ସଙ୍ଗେସଙ୍ଗେ ନିଜ ଘରକୁ ଯିବେନାହିଁ। ସେମାନେ ରାଜ୍ୟର କୌଣସି ଡାକ୍ତରଖାନାରେ ରହିବେ। ହେଲେ କେଉଁ ଡାକ୍ତରଖାନାରେ ରହିବେ ତାହା ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଚୂଡ଼ାନ୍ତ ହୋଇନଥିଲେ ସୁଦ୍ଧା ସେମାନଙ୍କୁ ଭୁବନେଶ୍ବର ଏମ୍ସ, ଭୁବନେଶ୍ବର ଆପୋଲ ହସ୍ପିଟାଲ କିମ୍ବା ଏସ୍‌ସିବି ମେଡିକାଲରେ ରଖାଯିବାର ବିକଳ୍ପ ଉପରେ ଆଲୋଚନା ହେଉଛି।

ଆଜି ଏମ୍ସ କର୍ତ୍ତୃପକ୍ଷ ଓ ରାଜ୍ୟ ସରକାରୀ ପ୍ରତିନିଧିମାନଙ୍କ ଉଚ୍ଚସ୍ତରୀୟ ବୈଠକ ପାଖାପାଖି ଏକ ଘଣ୍ଟା ଧରି ଚାଲିଥିଲା। ଏମ୍ସ ପ୍ରଶାସନର ମୁଖ୍ୟ ତଥା ଜଗା-ବଳିଆଙ୍କୁ ଅପରେସନ କରିଥିବା ଡାକ୍ତରମାନଙ୍କ ମଧ୍ୟରୁ ୪ ଜଣ ଡାକ୍ତର ଏହି ବୈଠକରେ ଉପସ୍ଥିତ ଥିଲେ। ଅପରପକ୍ଷେ ରାଜ୍ୟ ସରକାରଙ୍କ ପକ୍ଷରୁ ଏନ୍‌ଏଚଆରଏମ୍‌ର ନିର୍ଦ୍ଦେଶିକା ଶାଲିନୀ ପଣ୍ଡିତଙ୍କ ସମେତ ଭୁବନେଶ୍ବର ସ୍ଥିତ ଆପୋଲ ହସ୍ପିଟାଲର ନ୍ୟୁରୋସର୍ଜନ, ଶିଶୁ ଭବନର ଅଧିକାରୀ ତଥା ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଯୁଗ୍ମ ସଚିବ ବୈଠକରେ ଉପସ୍ଥିତ ଥିଲେ। ରାଜ୍ୟ ସରକାରଙ୍କୁ ଦୁଇ ଶିଶୁଙ୍କ ସ୍ବାସ୍ଥ୍ୟ ସ୍ଥିତି ସମ୍ପର୍କରେ ଅବଗତ କରାଯାଇଥିଲା। ଡିସଚାର୍ଜ ହେବାପରେ ଉଭୟଙ୍କ ସ୍ବାସ୍ଥ୍ୟର କିଭଳି ଯତ୍ନ ନିଆଯିବା, ସେମାନଙ୍କୁ କେଉଁଠାରେ ରଖାଯିବା, କେଉଁ ପ୍ରକାର ସୁବିଧାସୁଯୋଗ ପ୍ରଦାନ କରାଯିବ, ସଂକ୍ରମଣର ନିୟନ୍ତ୍ରଣ ପାଇଁ କେଉଁ ପ୍ରକାର ବ୍ୟବସ୍ଥା କରାଯିବ, ସେମାନଙ୍କ ଡାଏଟ୍ ଚାର୍ଟ କ’ଣ ରହିବ, ନର୍ସିଂ କେୟାର, ଏମ୍ସ ଡାକ୍ତରମାନଙ୍କ ସହିତ କିଭଳି ନିୟମିତ ବ୍ୟବଧାନରେ ଯୋଗାଯୋଗ କରାଯାଇପାରିବ ତଥା ସେମାନଙ୍କ ଶାରିରୀକ ଓ ମାନସିକ ବିକାଶ ପାଇଁ କେଉଁସବୁ ପଦକ୍ଷେପ ନିଆଯିବ ସେନେଇ ବିଚାରବିମର୍ଶ କରାଯାଇଥିଲା। ଏସବୁ ପ୍ରସଙ୍ଗରେ ଏମ୍ସ ଦ୍ବାରା ଏକ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରାଯାଇ ରାଜ୍ୟ ସରକାରଙ୍କୁ ଶୀଘ୍ର ଦିଆଯିବ ବୋଲି ନିଷ୍ପତ୍ତି ନିଆଯାଇଛି।

ଦୁଇ ଶିଶୁଙ୍କୁ କିଭଳି ଦିଲ୍ଲୀରୁ ଭୁବନେଶ୍ବର ନିଆଯିବ ସେନେଇ ମଧ୍ୟ ଆଜିର ବୈଠକରେ ଆଲୋଚନା ହୋଇଥିଲା। ଦୁଇ ଶିଶୁଙ୍କୁ ସ୍ଥାନାନ୍ତରିତ କରାଯିବା ସମୟରେ ଏମ୍ସର ୮ ଜଣ ଡକ୍ଟର ଓ ୪ ଜଣ ନର୍ସ ଆସିବାର ସମ୍ଭାବନା ଥିବାରୁ ସେମାନଙ୍କ ଗମନର ମାଧ୍ୟମ ମଧ୍ୟ ପ୍ରସ୍ତୁତ ହେବ। ଆଜି ବୈଠକ ପୂର୍ବରୁ ଏମ୍ସ ଡାକ୍ତରୀ ଦଳ ଓ ରାଜ୍ୟ ସରକାରଙ୍କ ପ୍ରତିନିଧି ଦଳ ଦୁଇଶିଶୁଙ୍କୁ ଭେଟି ସେମାନଙ୍କର ସ୍ବାସ୍ଥ୍ୟବସ୍ଥା ବୁଝିଥିଲେ। ଉଭୟ ଶିଶୁ ସୁସ୍ଥ ଅଛନ୍ତି, ଜଗାର ସ୍ବାସ୍ଥ୍ୟ ଭଲ ରହିଛି ତଥା ବଳିଆର ସ୍ବାସ୍ଥ୍ୟରେ କ୍ରମାଗତ ସୁଧାର ଆସୁଥିବା ଜଣାପଡ଼ିଛି। ବଳିଆର ଓଜନ ମଧ୍ୟ ବଢ଼ିଛି ଓ ତାକୁ ଓରାଲ୍‌ ଫିଡିଂ କରାଯାଉଛି। ଜଗା-ବଳିଆ ବର୍ତ୍ତମାନ ଏମ୍ସର ପ୍ରାଇଭେଟ୍ ଵାର୍ଡରେ ଅଛନ୍ତି। ଜଗା-ବଳିଆଙ୍କ ବାପା ମା’ ଦୁଇ ଶିଶୁ ସହ ଖୁବ୍ ଶୀଘ୍ର ଓଡ଼ିଶା ଫେରିବା ନେଇ ଖୁବ୍‌ ଖୁସିବ୍ୟକ୍ତ କରିଛନ୍ତି।

ଉଲ୍ଲେଖଯୋଗ୍ୟ ଯୋଡ଼ାମୁଣ୍ଡ ଅବସ୍ଥାରେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍ ମିଲିପଡ଼ା ଗାଁର ଜଗ-ବଳିଆ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସକୁ ୧୪ ଜୁଲାଇ ୨୦୧୭ରେ ଆସିଥିଲେ। ଏମ୍ସ ଡାକ୍ତରୀ ଦଳ ଦ୍ବାରା ଅପରେସନ କରାଯାଇ ଯୋଡ଼ାମୁଣ୍ଡକୁ ଅଲଗା କରାଯିବା ନେଇ ନିଷ୍ପତ୍ତି ନିଆଯାଇଥିଲା। ଯୋଡ଼ା ମୁଣ୍ଡ ଅଲଗା କରାଯିବା ପାଇଁ ଦୁଇଟି ପର୍ଯ୍ୟାୟରେ ଅପରେସନ ହୋଇଥିଲା। ପ୍ରଥମ ପର୍ଯ୍ୟାୟ ଅପରେସନ ୨୮ ଅଗଷ୍ଟ ୨୦୧୭ରେ କରାଯାଇଥିଲା ଯେଉଁଥିରେ ପ୍ରଥମଥର ମସ୍ତିଷ୍କରେ କୃତିମ ଶିରା-ପ୍ରଶିରା ପ୍ରରିରୋପଣ କରାଯାଇଥିଲା। ୫୭ ଦିନ ପରେ (୨୫ ଅକ୍ଟୋବର ୨୦୧୭) ପରେ ଦ୍ବିତୀୟ ପର୍ଯ୍ୟାୟ ଅପରେସନରେ ଯୋଡ଼ାମୁଣ୍ଡକୁ ସମ୍ପୂର୍ଣ୍ଣ ରୂପେ ଅଲଗା କରାଯାଇଥିଲା ଏବଂ ଭାରତୀୟ ଚିକିତ୍ସା ବିଜ୍ଞାନରେ ଜଗା-ବଳିଆଙ୍କ ଏହି ବିରଳ ଅପରେସନ ସଫଳ ହେବା ସହିତ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଥିଲା।

ସମ୍ବନ୍ଧିତ ଖବର