ଆହୁୁରି ୨ମାସ ଏମ୍ସରେ ରହିବେ ଜଗା-ବଳିଆ!

ନୂଆଦିଲ୍ଲୀ/ଭୁବନେଶ୍ୱର : ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ କନ୍ଧମାଳ ଫିରିଙ୍ଗିଆର ଜଗା-ବଳିଆ ଆହୁରି ୨ମାସ ସେଠାରେ ରହି ଚିକିତ୍ସିତ ହେବେ ବୋଲି ଜଣାପଡ଼ିଛି। ଯଦିଓ ହସ୍ପିଟାଲ ପକ୍ଷରୁ ଏ ନେଇ କୌଣସି ନିର୍ଦ୍ଦିଷ୍ଟ ସୂଚନା ମିଳିନାହିଁ, ତଥାପି ଦୁହିଁଙ୍କୁ ସେଠାରେ ରଖାଯିବ ବୋଲି ନିର୍ଭରଯୋଗ୍ୟ ସୂତ୍ରରୁ ଖବର ମିଳିଛି। ଆସନ୍ତା ୧୧ରୁ ୧୪ ତାରିଖ ମଧ୍ୟରେ ଦୁଇ ଶିଶୁଙ୍କୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯିବା ନେଇ କଳ୍ପନା ଜଳ୍ପନା ଚାଲିଥିଲେ ହେଁ, ବଳିଆର ସ୍ୱାସ୍ଥ୍ୟରେ ଉନ୍ନତି ହେଉ ନ ଥିବାରୁ ଦୁଇ ଶିଶୁଙ୍କୁ ଏବେ ଡିସଚାର୍ଜ କରାଯିବ ନାହିଁ ବୋଲି କୁହାଯାଉଛି।

ଦିଲ୍ଲୀ ଏମ୍ସରେ ବଳିଆର ଚିକିତ୍ସା ଜାରି ରଖିବା ପାଇଁ ପିତା ଭୂୟାଁ କଁହର ଆବେଦନ କରିବା ପରେ ଏଥିନେଇ ରାଜ୍ୟ ସରକାର ମଧ୍ୟ ସହମତି ପ୍ରକାଶ କରିଛନ୍ତି। ଅତ୍ୟଧିକ ସମୟ ଦିଲ୍ଲୀ ଏମ୍ସରେ ରହିଲେ ଦୁଇ ଶିଶୁଙ୍କୁ ସଂକ୍ରମଣ ହେବାର ଆଶଙ୍କା ଥିବାରୁ ସେମାନଙ୍କୁ ଡିସଚାର୍ଜ କରିବା ପାଇଁ ଗତ ଡିସେମ୍ବରରୁ ହସ୍ପିଟାଲ କର୍ତ୍ତୃପକ୍ଷ ଏଥିପାଇଁ ପ୍ରସ୍ତୁତି ଚଳାଇଥିଲେ। ଯଦିଓ ଜଗା ଦ୍ରୁତି ଗତିରେ ଆରୋଗ୍ୟ ଲାଭ କରୁଛି କିନ୍ତୁ ବଳିଆର ସ୍ୱସ୍ଥ୍ୟାବସ୍ଥାରେ ସେଭଳି କୌଣସି ଆଖିଦୃଶିଆ ଉନ୍ନତି ପରିଲକ୍ଷିତ ହେଉନାହିଁ। ସେ ଆଖି ଖୋଲିବା ବ୍ୟତୀତ ଅଧିକ କିଛି ପ୍ରତିକ୍ରିୟା ଦେଉନାହିଁ। ଏବେ ବି ତାର ପାଟିବାଟେ ନଳୀ ଦ୍ୱାରା ତରଳ ଖାଦ୍ୟ ଦିଆଯାଉଛି। ବଳିଆର ପାଟି ଓ ନାକରେ ନଳୀ ଲାଗିଥିବା ବେଳେ ଗୋଡର କ୍ଷତ ମଧ୍ୟ ଶୁଖିପାରି ନାହିଁ। ସେଥିପାଇଁ ପିତା ଭୂୟାଁ କହଁର ଅଧିକ ଚିକିତ୍ସାର ଦାବି କରିଥିଲେ।

ଶ୍ରୀ କହଁର କହିଛନ୍ତି, ଦୁହେଁ ସଂପୂର୍ଣ୍ଣ ସୁସ୍ଥ ହୋଇ ନ ଥିବାରୁ ଏଭଳି ଅବସ୍ଥାରେ ସ୍ଥାନାନ୍ତର କଲେ ଦୁହିଁଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିପାରେ। ତେଣୁ ତାଙ୍କୁ ଏଭଳି ଅବସ୍ଥାରେ ଆହୁରି ୨ମାସ ଏମ୍‌ସରେ ରଖାଯାଉ। ଯଦି ଦୁହିଁଙ୍କୁ ଦିଲ୍ଲୀ ଏମ୍‌ସରୁ ଡିସ୍‌ଚାର୍ଜ କରାଯାଏ ତେବେ ଭୁବନେଶ୍ୱର ଏମ୍‌ସରେ ରଖିବାର ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି।

ସେହିପରି ଜଗା-କାଳିଆଙ୍କୁ ଦିଲ୍ଲୀ ଏମ୍‌ସରେ ରଖିବାକୁ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଅନୁରୋଧ କରିଛନ୍ତି। ଦିଲ୍ଲୀ ଏମ୍‌ସରେ ଦୁହିଁଙ୍କ ଅସ୍ତ୍ରୋପଚାର କରାଯାଇଥିଲା, ତେଣୁ ସେଠାର ଡାକ୍ତର ସେମାନଙ୍କୁ ସମସ୍ୟା ସଂପର୍କରେ ଅବଗତ। ତେଣୁ ଜଗା-କାଳିଆ ସଂପୂର୍ଣ୍ଣଭାବେ ସୁସ୍ଥ ହେବା ପର୍ଯ୍ୟନ୍ତ ଦିଲ୍ଲୀ ଏମ୍‌ସରେ ଦୁହିଁଙ୍କୁ ରଖିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁରୋଧ କରାଯାଇଥିବା ଶ୍ରୀ ଜେନା କହିଛନ୍ତି।

ଅପରପକ୍ଷେ ଜଗା-ବଳିଆଙ୍କ ସ୍ଥାନାନ୍ତର ପ୍ରସଙ୍ଗରେ ମାନବାଧିକାର କର୍ମୀ ରାଧାକାନ୍ତ ତ୍ରିପାଠୀଙ୍କ ଆବେଦନକୁ ଭିତ୍ତିକରି ଜାତୀୟ ମାନବାଧିକାର କମିସନ ଦିଲ୍ଲୀ ଏମ୍ସ କର୍ତୃପକ୍ଷଙ୍କୁ ଯେଉଁ ନୋଟିସ୍‌ ଜାରି କରିଥିଲେ,ତାହାର ଉତ୍ତର ମଧ୍ୟ ଏଯାବତ୍‌ ମିଳିପାରି ନାହିଁ। ଗତମାସରେ ଓଡ଼ିଶାର ୫ଜଣିଆ ଡାକ୍ତରୀ ଦଳ ସେଠାରେ ପହଞ୍ଚି ଦୁଇ ଶିଶୁଙ୍କ ସ୍ୱାସ୍ଥ୍ୟାବସ୍ଥା ଅନୁଧ୍ୟାନ କରିବା ପରେ ସେମାନେଙ୍କୁ ଓଡ଼ିଶା ସ୍ଥାନାନ୍ତର କରାଗଲେ କେଉଁ ଧାରାରେ ଚିକିତ୍ସା ଜାରି ରହିବ ସେ ନେଇ ମଧ୍ୟ ଆଲୋଚନା କରିଥିଲେ।

ସମ୍ବନ୍ଧିତ ଖବର