ନୂଆଦିଲ୍ଲୀ : ଜଗା ବଳିଆଙ୍କ ଚିକିତ୍ସା ପାଇଁ ମୋଟ୍‌ ୨୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ଦିଲ୍ଲୀ ଏମ୍ସ ପକ୍ଷରୁ ଏହି ସୂଚନା ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ତଥା ମାନବାଧିକାର କର୍ମୀ ରାଧାକାନ୍ତ ତ୍ରିପାଠୀଙ୍କୁ ପ୍ରଦାନ କରାଯାଇଛି। ତ୍ରିପାଠୀ ଜଗା ବଳିଆଙ୍କ ସ୍ବାସ୍ଥ୍ୟାବସ୍ଥା ଓ ସ୍ଥାନାନ୍ତରିତ ପ୍ରସଙ୍ଗରେ ନିକ‌ଟରେ ଏମ୍ସରୁ ରିପୋର୍ଟ ଲୋଡ଼ିଥିଲେ। ଏମ୍ସ ଦ୍ବାରା ପ୍ରଦତ୍ତ ରିପୋର୍ଟରେ କୁହାଯାଇଛି ଯେ ଦୁଇ ଶିଶୁଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ହୋଇଛି ଓ ସେମାନଙ୍କୁ ଆଇସିୟୁରେ ରଖାଯିବାର କୌଣସି ଆବଶ୍ୟକ ନାହିଁ। ଜଗା ବଳିଆଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ସ୍ଥିର ଥିବାରୁ ଏବେ କୌଣସି ଜିଲ୍ଲା କିମ୍ବା ରାଜ୍ୟସ୍ତରୀୟ ହସ୍ପିଟାଲ୍‌ରେ ସେମାନଙ୍କ ଚିକିତ୍ସା କରିହେବ ବୋଲି କୁହାଯାଇଛି। ତେବେ ଦୁଇ ଶିଶୁଙ୍କ ଚିକିତ୍ସା ପାଇଁ ସମୁଦାୟ ୨୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା କୁହାଯାଇଛି।

Advertisment

ଆଣିବା ପାଇଁ ଦିଲ୍ଲୀ ଯିବେ ୨ ଜଣ ଡାକ୍ତର

କଟକ : ଜଗା-ବଳିଆ ଆସନ୍ତା ୭ ତାରିଖରେ ଏସ୍‌ସିବିରେ ପହଞ୍ଚିବାର ଯୋଜନା ରହିଛି। ଫେରିବା ପରେ କେଉଁଠି ରହିବେ, କାହା ଅଧୀନରେ ଚିକିତ୍ସିତ ହେବେ, ସେ ନେଇ ପ୍ରସ୍ତୁତି ସରିଛି। ଆସନ୍ତା ୪ ତାରିଖ ଦିନ ଏସ୍‌ସିବିର ଶିଶୁରୋଗ ବିଭାଗର ଦୁଇଜଣିଆ ଡାକ୍ତରୀ ଦଳ ଦୁହିଁଙ୍କୁ ଆଣିବା ପାଇଁ ଦିଲ୍ଲୀ ଯିବେ ବୋଲି ଜଣାପଡିଛି।

ସୂଚନା ଅନୁସାରେ, ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ଶିବ ଶଙ୍କର ବରିହା ଓ ବିଭୁ ପ୍ରସାଦ ନାୟକ ଦିଲ୍ଲୀ ଯିବେ। ତାଙ୍କ ସହ ଦିଲ୍ଲୀ ଏମ୍‌ସର ୪ ଜଣିଆ ଡାକ୍ତରୀ ଦଳ ଜଗା-ବଳିଆଙ୍କୁ ନେଇ ଟ୍ରେନ୍‌ରେ ଏସ୍‌ସିବି ଆସିବେ। ସେଠାରେ ଜଗା-ବଳିଆଙ୍କ ଚିକିତ୍ସା କିପରି ଚାଲିଛି ସେ ସଂପର୍କରେ ଉକ୍ତ ଦୁଇଜଣିଆ ଡାକ୍ତରୀ ଦଳ ଅନୁଧ୍ୟାନ କରିବେ। ଜଗାବଳିଆଙ୍କୁ କଟକ ବଡ଼ ମେଡିକାଲକୁ ଅଣାଯିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ସୂଚନା ଦେବା ପରେ ଏଥିପାଇଁ ଏସ୍‌ସିବିରେ ପ୍ରସ୍ତୁତି କରାଯାଇଥିଲା। ସେମାନଙ୍କ ଚିକିତ୍ସା ପାଇଁ ନ୍ୟୁରୋସର୍ଜରି ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର ସୁଧାଂଶୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ସର୍ଜରୀ ବିଭାଗ, ଶିଶୁ ରୋଗ ବିଭାଗ, ନ୍ୟୁରୋଲୋଜି ବିଭାଗ, ନ୍ୟୁରୋସର୍ଜରି ବିଭାଗ, ଜରୁରିକାଳୀନ ମେଡିକାଲ ଅଫିସଙ୍କୁ ନେଇ ୬ଜଣିଆ ବିଶେଷଜ୍ଞ ଟିମ୍‌ ଗଠନ କରାଯାଇଥିବାବେଳେ ଏହାକୁ ‌ଏବେ ପରିବର୍ଦ୍ଧିତ କରାଯାଇଛି। ଟିମ୍‌ରେ ଶିଶୁଭବନର ଅଧୀକ୍ଷକ ପ୍ରଫେସର ଡାକ୍ତର ସରୋଜ ଶତପଥୀ, ପେଡିଆଟ୍ରିକ୍‌ ସର୍ଜରୀ ବିଭାଗର ବିଭାଗୀୟ ମୁଖ୍ୟଙ୍କ ସମେତ ଅନ୍ୟ କିଛି ବିଭାଗକୁ ଏଥିରେ ସାମିଲ କରାଯାଇଛି। ଏଥିସହ ଏମ୍‌ସରେ କିପରି ଜଗା-ବଳିଆଙ୍କ ଚିକିତ୍ସା ଚାଲିଛି ସେ ସଂପର୍କରେ ବିସ୍ତୁତ ଡାକ୍ତରୀ ରିପୋର୍ଟ ପ୍ରଦାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏମ୍‌ସ କର୍ତ୍ତୃପକ୍ଷଙ୍କୁ ଚିଠି ଦିଆଯାଇଥିବା ଏସ୍‌ସିବି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।