ଭୁବନେଶ୍ବର ଏମ୍ସରୁ ଜଗା-ବଳିଆଙ୍କ ଚିକିତ୍ସା ପରାମର୍ଶ ଦିଆଯିବ

ନୂଆଦିଲ୍ଲୀ : ଜଗା-ବଳିଆଙ୍କ ଚିକିତ୍ସା ପାଇଁ ଭୁବନେଶ୍ବର ଏମ୍ସରେ ଆବଶ୍ୟକ ଭିତ୍ତିଭୂମିର ଅଭାବ ଦର୍ଶାଇ ସେମାନଙ୍କ ଚିକିତ୍ସା ସେଠାରେ ହୋଇପାରିବ ନାହିଁ ବୋଲି ଭୁବନେଶ୍ବର ଏମ୍ସ ପକ୍ଷରୁ ରାଜ୍ୟ ସରକାରଙ୍କୁ ଅବଗତ କରାଯିବା ପରେ ଜଗା-ବଳିଆଙ୍କୁ ଚିକିତ୍ସା ପାଇଁ କଟକ ଏସସିବି ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଉଛି। ଆସନ୍ତା ମାସ ୭ ତାରିଖରୁ ସେମାନଙ୍କ ଚିକିତ୍ସା ଏସସିବି ମେଡିକାଲ କଲେଜରେ ଆରମ୍ଭ ହେବ। ତେବେ ଦୁଇ ଶିଶୁଙ୍କର ଚିକିତ୍ସା ସମ୍ପର୍କିତ ସମସ୍ତ ପ୍ରକାର ପରାମର୍ଶ ଓ ସହଯୋଗ ଭୁବନେଶ୍ବର ଏମ୍ସ ପକ୍ଷରୁ ଜାରି ରହିବ ବୋଲି ଦିଲ୍ଲୀ ଏମ୍ସ ସୂତ୍ରରୁ ଜଣାପଡ଼ିଛି।

ଦିଲ୍ଲୀ ଏମ୍ସରୁ ମିଳିଥିବା ସୂଚନା ଅନୁଯାୟୀ, ବର୍ତ୍ତମାନ ଦୁଇ ଶିଶୁଙ୍କର ସ୍ବାସ୍ଥ୍ୟବସ୍ଥା ଠିକ୍ ରହିଛି ଏବଂ ରେଳ ଯାତ୍ରାରେ ସେମାନଙ୍କର ସ୍ଥାନାନ୍ତରିତ ସମୟରେ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରାଯିବ। କଟକରେ ପହଞ୍ଚିବା ପରେ ଦୁଇ ଶିଶୁଙ୍କର ଚିକିତ୍ସା ପାଇଁ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ ସହିତ ଔଷଧ, ଡାଏଟ୍ ତଥା ଫିଜିଓଥେରାପି ଠିକ୍‌ ଭାବେ କିଭଳି ଚାଲିପାରିବ ସେ ନେଇ ଏମ୍ସ ଡାକ୍ତରୀ ଦଳ ଓ ଏସସିବି ମେଡିକାଲର ଡାକ୍ତରୀ ଦଳଙ୍କ ଦ୍ବାରା ବିଚାରବିମର୍ଶ କରାଯାଇ ଚୂଡ଼ାନ୍ତ କରାଯିବ ବୋଲି ଦିଲ୍ଲୀ ଏମ୍ସ ସୂତ୍ରରୁ ଜଣାପଡ଼ିଛି। ଦେଶର ପ୍ରଥମ ଥର ପାଇଁ ଏଭଳି ଏକ ବିରଳ ଅସ୍ତ୍ରୋପଚାର ହୋଇଥିବାରୁ ଜଗା-ବଳିଆ ସ୍ଥାନାନ୍ତରିତ ହେବା ପରେ ଏସସିବି ମେଡିକାଲରେ ସେମାନଙ୍କର ଚିକିତ୍ସା ଉଚିତ୍ ଭାବେ ଉପଲବ୍ଧ ହେବା ଏବଂ ଫଲୋ ଅଫ୍ ନିୟମିତ ପ୍ରକ୍ରିୟା ଅନୁଯାୟୀ କରାଯିବା ଆବଶ୍ୟକ ବୋଲି ଏମ୍ସ ପ୍ରଶାସନ ଚାହୁଛନ୍ତି। ଯୋଡ଼ା ମୁଣ୍ଡ ଅବସ୍ଥାରେ ଜଗା-ବଳିଆ ଏସସିବି ମେଡିକାଲ କଲେଜରେ ଚିକିତ୍ସା ପାଇଁ ପୂର୍ବରୁ ଚାରିମାସ ରହିସାରିଛନ୍ତି। ତେଣୁ ଦିଲ୍ଲୀ ଏମ୍ସରୁ ଏସସିବି ମେଡିକାଲକୁ ସ୍ଥାନାନ୍ତର ପରେ ତାଳମେଳରେ କୌଣସି ପ୍ରତିବନ୍ଧକ ଆସିବ ନାହିଁ ବୋଲି କୁହାଯାଉଛି। ଓଡ଼ିଶାକୁ ସ୍ଥାନାନ୍ତରିତ କରାଯିବା ପୂର୍ବରୁ ଦୁଇ ଶିଶୁଙ୍କର ପୁଣି ଥରେ ସ୍ବାସ୍ଥ୍ୟ ପରୀକ୍ଷା ନିରୀକ୍ଷା କରାଯାଇ ଦିଲ୍ଲୀ ଏମ୍ସରୁ ଡିସଚାର୍ଜ କରାଯିବାର ସମସ୍ତ ଔପଚାରିକତା ପୂରଣ କରାଯିବ।

ସମ୍ବନ୍ଧିତ ଖବର