ତଥାପି ଭୟ ଛାଡ଼ୁନି

ନୂଆଦିଲ୍ଲୀ : ଅତ୍ୟନ୍ତ ଜଟିଳ ଓ ବିରଳ ଅସ୍ତ୍ରୋପଚାରରେ ପରସ୍ପରଠାରୁ ଅଲଗା ହୋଇଥିବା ଯୋଡ଼ାମୁଣ୍ଡ ଶିଶୁ ଜଗା ବଳିଆ ଆଇସିୟୁରେ ଅଛନ୍ତି। ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପ୍ରତି ଡାକ୍ତରୀଦଳ ୨୪ ଘଣ୍ଟିଆ ନଜର ରଖିଛନ୍ତି। ହେଲେ ଯାହା ସୂଚନା ମିଳିଛି, ଉଭୟ ଏବେ ବି ବିପଦ ମୁକ୍ତ ନାହାନ୍ତି।

ସୂଚନାନୁଯାୟୀ ଜଗାର ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ପରିଲକ୍ଷିତ ହେଉଥିବା ବେଳେ ବଳିଆର ସ୍ୱାସ୍ଥ୍ୟ ସମ୍ବେଦନଶୀଳ ରହିଛି। ବଳିଆକୁୁ ଲଗାତାର ଜ୍ୱର ହେଉଛି ଓ ଥରେ ହାର୍ଟ ଆଟାକ୍‌ ବା ହୃଦ୍‌ଘାତ ମଧ୍ୟ ହୋଇଥିବା ଜଣାପଡ଼ିଛି। ଲଗାତାର ଜ୍ୱର ହେତୁ ବଳିଆକୁ ନିମୋନିଆ ହେବାର ଭୟ କରୁଛନ୍ତି ଡାକ୍ତରୀ ଦଳ। ବଳିଆ ଅପେକ୍ଷା ଜଗାର ସ୍ୱାସ୍ଥ୍ୟାବସ୍ଥା ଉନ୍ନତ ଥିଲେ ମଧ୍ୟ ତା’ର କିଡ୍‌ନୀ ଜନିତ ସମସ୍ୟା ରହିଥିବା ଜଣାପଡ଼ିଛି। ଆଜି ମଧ୍ୟରାତ୍ରିରେ ୭୨ ଘଣ୍ଟାର ଅତି ଗୁରୁତ୍ୱପୂର୍ଣ୍ଣ ଅବଜର୍ବେସନ ପିରିଅଡ ସମୟ ଅବଧି ସରିବ। ଏହା ପରେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥାରେ କେତେ ଉନ୍ନତି ଘଟିଛି ସେ ନେଇ ଏମ୍ସ ବିଶେଷଜ୍ଞ ଡାକ୍ତରୀଦଳ ଆକଳନ କରିବେ। ଉଭୟଙ୍କ ନିକଟରେ ଏବେ ବି ନିଶ୍ଚେତକ ପ୍ରଭାବ ରହିଥିବା କୁହାଯାଉଛି।

ଅପରପକ୍ଷେ ଦ୍ୱିତୀୟ ପର୍ଯ୍ୟାୟ ଅପରେସନ ପରେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥାର ମେଡିକାଲ ଷ୍ଟାଟସ ଆକଳନ ପାଇଁ ଏମ୍‌ସ କର୍ତ୍ତୃପକ୍ଷ ଆମେରିକାର କିଛି ବିଶେଷଜ୍ଞ ଡାକ୍ତରମାନଙ୍କ ପରାମର୍ଶ ଲୋଡ଼ିଥିବା ଜଣାପ଼ଡିଛି। ଏମ୍‌ସ ଚିକିତ୍ସା ବିଜ୍ଞାନରେ ଏହି ଅସ୍ତ୍ରୋପଚାର ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଥିବାବେଳେ ପୋଷ୍ଟ୍‍ ଅପରେଟିଭ୍‌ କେୟାର ପାଇଁ ବିଶେଷଜ୍ଞ ଡାକ୍ତରୀ ଦଳ ପ୍ରତ୍ୟେକ ସୋପାନରେ ଉଦ୍ୟମ ଜାରି ରଖିଛନ୍ତି।

ଦୁଇ ଶିଶୁଙ୍କ ଶାରୀରିକ ପ୍ରକ୍ରିୟା ତଥା ମସ୍ତିଷ୍କର ଧମନୀ, ରକ୍ତ ସଞ୍ଚାଳନ, ହାର୍ଟବିଟ୍‌, ଲଙ୍ଗ୍‌ସ ଆଶାନୁରୂପ ଅନୁକୂଳ ରିଡିଂ ହେଉଥିବା ଏମ୍ସର ଜଣେ ଡାକ୍ତର କହିଛନ୍ତି। ଜଗା ବଳିଆଙ୍କ ସ୍ୱାସ୍ଥ୍ୟାବସ୍ଥା ନିରୀକ୍ଷଣ କରୁଥିବା ଜଣେ ଡାକ୍ତରଙ୍କ କହିବା ଅନୁଯାୟୀ ବଳିଆକୁ ଜ୍ୱର ହେବା ସହ ତାକୁ ହାର୍ଟ ଆଟାକ୍‌ ହୋଇଥିଲା। ପ୍ରଥମ ପର୍ଯ୍ୟାୟ ଅପରେସନରୁ ହିଁ ବଳିଆକୁ ଆଟାକ୍‌ରୁ ନିୟନ୍ତ୍ରଣ ପାଇଁ ଔଷଧ ଦିଆଯାଇଥିଲେ ମଧ୍ୟ ଆଇସିୟୁ ଭେଣ୍ଟିଲେଟରରେ ଚିକିତ୍ସାଧୀନ ସ୍ଥିତିରେ ହାର୍ଟ ଆଟାକ୍‌ ହୋଇଥିଲା। ଏହା ପରେ ତା’ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି।

ଜଗା ବଳିଆଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସିବା ଲାଗି ଆଉ ଅଧିକ ସମୟ ଲାଗିପାରେ ବୋଲି ବିଶେଷଜ୍ଞ ଡାକ୍ତରୀଦଳ ଅନୁମାନ କରୁଛନ୍ତି। ପୂର୍ବରୁ ଜଗା ବଳିଆଙ୍କ ଦୁଇଟି ଶରୀର ଗୋଟିଏ ମସ୍ତିଷ୍କ ନିୟନ୍ତ୍ରଣରେ ଥିଲା। ଏଣୁ ମସ୍ତିଷ୍କ, ରକ୍ତ ସଞ୍ଚାଳନ ଓ ଅନ୍ୟାନ୍ୟ ପ୍ରଧାନ ଅଙ୍ଗର ସ୍ୱତନ୍ତ୍ର ପରିଚାଳନା ହେବାକୁ ଥିବାରୁ ଏମ୍ସର କ୍ରିଟିକାଲ କେୟାର ଟିମ୍‌ଙ୍କୁ ବଡ଼ ଧରଣର ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ୁଛି। ଉଭୟଙ୍କୁ ସଂକ୍ରମଣରୁ ରକ୍ଷା କରିବାପାଇଁ ଉଦ୍ୟମ ଜାରି ରହିଛି। ଦୁଇ ଶିଶୁଙ୍କ ମସ୍ତିଷ୍କ କିଭଳି ସ୍ୱତନ୍ତ୍ର ଭାବେ କାର୍ଯ୍ୟ କରିବ ତାହା ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହୋଇପଡିଛି।

ସମ୍ବନ୍ଧିତ ଖବର