ଭେଣ୍ଟିଲେଟରରୁ ବାହାରିଲା ଜଗା

ନୂଆଦିଲ୍ଲୀ : ଦ୍ୱିତୀୟ ପର୍ଯ୍ୟାୟ ଅସ୍ତ୍ରୋପଚାରର ୭ଦିନ ପରେ ଏମ୍‌ସ ଆଇସିୟୁ ଭେଣ୍ଟିଲେଟରରୁ ଆଜି ଜଗାକୁ ବାହାର କରିଦିଆଯାଇଛି। ହେଲେ ବଳିଆ ଏବେ ବି ଭେଣ୍ଟିଲେଟରରେ ଅଛି। ଏମ୍ସରେ ଜଗାବଳିଆଙ୍କ ସ୍ୱାସ୍ଥ୍ୟାବସ୍ଥା ଅନୁଧ୍ୟାନ କରିବା ପରେ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା ଆଜି ଗଣମାଧ୍ୟମକୁ ଏହି ସୂଚନା

ଦେଇଛନ୍ତି। ଅନ୍ୟପକ୍ଷରେ ଏହି ବିରଳ ଅସ୍ତ୍ରୋପଚାରର ନେତୃତ୍ୱ ନେଇଥିବା ଏମ୍‌ସ ନ୍ୟୁରୋ ଚିକିତ୍ସା ବିଭାଗର ମୁଖ୍ୟ ପ୍ରଫେସର ଅଶୋକ କୁମାର ମହାପାତ୍ର କିନ୍ତୁ ଆଶ୍ୱସ୍ତ କରିଛନ୍ତି ଯେ ଜଗା ତୁଳନାରେ ବଳିଆ ଅଧିକ ଦୁର୍ବଳ ରହିଛି। ବଳିଆକୁ ବାରମ୍ବାର ବାତ ମାରୁଥିଲା। ଏଣୁ ତାକୁ ନିଦ ପାଇଁ ଲଗାତର ଔଷଧ ଦିଆଯାଉଛି। ସେଥିରେ ସେ ମାନ୍ଦା ଓ ନିଦୁଆ ହୋଇଯାଇଛି। ହେଲେ ଔଷଧ ପ୍ରଭାବରୁ ବାହାରିବା ପରେ ସେ ହାତ ଗୋଡ ହଲାଉଛି ଓ ନିଶ୍ୱାସ ନେଉଛି।

ଜଗା ବଳିଆଙ୍କ ସ୍ଥିତି ଅନୁଧ୍ୟାନ କରିବା ଲାଗି ଆଜି ଶ୍ରୀ ଜେନା ଏମ୍‌ସ ଯାଇଥିଲେ। ଦ୍ୱିତୀୟ ପର୍ଯ୍ୟାୟ ଅପରେସନ ପରେ ଦୁଇ ଶିଶୁଙ୍କ ସମ୍ପୂର୍ଣ୍ଣ ଆରୋଗ୍ୟ ପାଇଁ ଆଉ କେଉଁସବୁ ବ୍ୟବସ୍ଥା ଓ ପଦକ୍ଷେପ ଗ୍ରହଣ କରାଯିବ ସେ ନେଇ ଡାକ୍ତରୀଦଳ ସହ ତାଙ୍କର ବିସ୍ତତ ଆଲୋଚନା ହୋଇଥିଲା। ରାଜ୍ୟ ସରକାରଙ୍କ ଦ୍ୱାରା ସମସ୍ତ ସହାୟତା ପ୍ରଦାନ କରାଯିବ ବୋଲି ମନ୍ତ୍ରୀ ଆଶ୍ୱାସନା ଦେଇଥିଲେ।

ପରେ ଗଣମାଧ୍ୟମକୁ ମନ୍ତ୍ରୀ କହିଥିଲେ, ଜଗା ଏବେ ସ୍ୱାଭାବିକ ନିଶ୍ୱାସ ପ୍ରଶ୍ୱାସ ନେଉଛି, ସେ କଥା ବୁଝୁଛି, ମା’ଙ୍କ କଥାରେ ପ୍ରତିକ୍ରିୟା ପ୍ରକାଶ କରୁଛି। ହାତଗୋଡ଼ ହଲାଉଛି। ଆସନ୍ତା ତିନିଦିନ ଭିତରେ ଜଗାକୁ ସାଧାରଣ ଓ୍ଵାର୍ଡକୁ ପଠାଯିବ ବୋଲି ଡାକ୍ତରମାନେ ତାଙ୍କୁ ସୂଚନା ଦେଇଛନ୍ତି। ହେଲେ ବଳିଆ କିନ୍ତୁ ପାଖାପାଖି ୭ରୁ ୧୦ ଦିନ ପର୍ଯ୍ୟନ୍ତ ଭେଣ୍ଟିଲେଟରରେ ରହିବ ବୋଲି ଅନୁମାନ କରାଯାଉଛି। ତାର ଚିକିତ୍ସା ଜାରି ରହିଛି। ବଳିଆର ସ୍ୱାସ୍ଥ୍ୟାବସ୍ଥାକୁ ଡାକ୍ତରୀଦଳ ଲଗାତାର ମନିଟରିଂ କରୁଛନ୍ତି।

ଅନ୍ୟପକ୍ଷରେ ପ୍ରଫେସର ମହାପାତ୍ର କହିଥିଲେ, ଏହା ଏକ ଜଟିଳ ଅସ୍ତ୍ରୋପଚାର ଥିଲା। ଏଭଳି ଅସ୍ତ୍ରୋପଚାରରେ ଖୁବ୍‌ଶୀଘ୍ର ରିକଭରିର ସମ୍ଭାବନା ଖୁବ୍‌ କମ୍‌ ଥାଏ। କିନ୍ତୁ ଗତ ୭ ଦିନ ଭିତରେ ଜଗା ବଳିଆଙ୍କ ସ୍ୱାସ୍ଥାବସ୍ଥାରେ ଆଶାନୁରୂପ ଉନ୍ନତି ଆସିଛି । ଜଗାକୁ ଏବେ ନାକପଟେ ଟ୍ୟୁବ୍‌ ଦ୍ୱାରା ଲିକ୍ୱିଡ୍‌ ଦିଆଯାଉଛି। ବର୍ତ୍ତମାନ ଜଗା ଯେଉଁ ସ୍ଥିତିରେ ଅଛି, ଦୁଇ ତିନି ଦିନ ଭିତରେ ପାଟିବାଟେ ଖିଆପିଆ କରାଇବାପରେ ତାକୁ ସାଧାରଣ ଓ୍ଵାର୍ଡକୁ ସ୍ଥାନାନ୍ତରିତ କରାଯିବ, କାରଣ ବାପା ମା’ଙ୍କ ଉପସ୍ଥିତିରେ ତା’ର ମାନସିକ ଓ ଶାରୀରିକ ବିକାଶ ହୋଇପାରିବ। ଏବେ ପ୍ରତ୍ୟେକ ଦିନ କିଡ୍‌ନି, ହାର୍ଟ ଆଦିର ପରୀକ୍ଷା କରାଯାଉଛି।

ପ୍ରଫେସର ମହାପାତ୍ର କହିଥିଲେ, ପ୍ରତ୍ୟେକଟି ପର୍ଯ୍ୟାୟରେ ବିପଦ ରହିଥିବାରୁ ଡାକ୍ତରମାନେ ହାତେ ମାପି ଚାଖଣ୍ଡେ ଚାଲିବା ଭଳି ପଦକ୍ଷେପ ନେଉଛନ୍ତି। ଏ ନେଇ ୨୦ଟି ଦେଶର ବିଭିନ୍ନ ଡାକ୍ତରମାନଙ୍କ ସହ ଯୋଗାଯୋଗ କରାଯାଇ ସେମାନଙ୍କ ଠାରୁ ଗୁରୁତ୍ତ୍ୱପୂର୍ଣ୍ଣ ପରାମର୍ଶ ମଧ୍ୟ ନିଆଯାଉଛି।

ଉଲ୍ଳେଖଯୋଗ୍ୟ, ଦ୍ୱିତୀୟ ପର୍ଯ୍ୟାୟ ଅପରେସନ୍‌ର ସଫଳତା ନେଇ ଆଜି ମନ୍ତ୍ରୀ ଡାକ୍ତରମାନଙ୍କୁ ସାଧୁବାଦ ଜଣାଇଥିଲେ। ଅନ୍ୟପକ୍ଷରେ ଡାକ୍ତରମାନେ ମଧ୍ୟ ଏହି ଅପରେସନ୍‌ କିଭଳି ହେଲା, ସେ ନେଇ ମନ୍ତ୍ରୀ ବିସ୍ତତ ତଥ୍ୟ ଦେଇଥିଲେ। ସେହିଭଳି ମନ୍ତ୍ରୀ ଶ୍ରୀ ଜେନା ଆଜି ଜଗା ବଳିଆଙ୍କ ବାପା ମା’ଙ୍କୁ ସାକ୍ଷାତ କରି ସେମାନଙ୍କ ସୁବିଧା ଅସୁିବଧା ସମ୍ପର୍କରେ ପଚାରି ବୁଝିଥିଲେ। ସାମ୍ବାଦିକମାନଙ୍କୁ ମନ୍ତ୍ରୀ ସୂଚନା ଦେବା ବେଳେ ଜଗା ବଳିଆଙ୍କ ବାପା ଓ ମା’ ଉପସ୍ଥିତ ଥିଲେ। ଗଣମାଧ୍ୟମ ପ୍ରତିନିଧିଙ୍କୁ କହିବା ବେଳେ ସେମାନେ କୋହ ସମ୍ଭାଳିନପାରି କାନ୍ଦି ପକାଇଥିଲେ। କହିଥିଲେ, ଜଗାବଳିଆଙ୍କୁ ଏମ୍‌ସ ଡାକ୍ତରୀ ଦଳ ଓ ରାଜ୍ୟ ସରକାର ନୂଆ ଜୀବନ ଦେଇଛନ୍ତି। ଏଥିପାଇଁ ସେ ଉଭୟଙ୍କୁ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର