ମା’ କୋଳରେ ବସିଲା ଜଗା, ଗୀତ ଶୁଣିଲା

ବଳିଆ ନ୍ୟୁରୋ ଆଇସିୟୁରେ

ନୂଆଦିଲ୍ଲୀ : ଦ୍ୱିତୀୟ ପର୍ଯ୍ୟାୟ ଅପରେସନ ପରେ ଉଭୟ ଜଗା ଓ ବଳିଆର ସ୍ୱାସ୍ଥ୍ୟାବସ୍ଥାରେ କ୍ରମଶଃ ଉନ୍ନତି ପରିଲକ୍ଷିତ ହେଉଛି। ଜଗାର ସ୍ୱାସ୍ଥ୍ୟରେ ଦ୍ରୁତ ଉନ୍ନତି ଘଟୁଥିବା ବେଳେ ବଳିଆର ସ୍ୱାସ୍ଥ୍ୟାବସ୍ଥା ସୁଧୁରିବାରେ ଆଉ କିଛି ସମୟ ଲାଗିବ ବୋଲି ଏମ୍ସ ଡାକ୍ତରୀଦଳ କହିଛନ୍ତି। ଜଗା ବଳିଆଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଏମ୍ସ ପକ୍ଷରୁ ଜାରି ହୋଇଥିବା ପ୍ରେସ୍‌ ବିଜ୍ଞପ୍ତିରେ ଜଗା ତରଳ ଖାଦ୍ୟ ସେବନ କରୁଥିବା କୁହାଯାଇଛି। ଜେନେରାଲ ଓ୍ଵାର୍ଡରେ ଚିକିତ୍ସିତ ହେଉଥିବା ଜଗା ମା’ କୋଳରେ ଖେଳିବା ସହିତ ଓ୍ଵାର୍ଡ ପରିସରରେ ବୁଲିଥିଲା ବୋଲି ବିଜ୍ଞପ୍ତିରେ କୁହାଯାଇଛି। ମା’ କୋଳରେ ଜଗା ଖୁବ୍‌ ଖୁସିଥିଲା ଏବଂ ସେ ଗୀତ ଶୁଣିବାରେ ବି ଆଗ୍ରହ ପ୍ରକାଶ କରିଛି ବୋଲି ଜଣାଯାଇଛି।

ମିଳିଥିବା ସୂଚନା ଅନୁସାରେ, ଜଗା ମା’ କୋଳରେ ବସିଥିବା ସମୟରେ ତାକୁ ଶ୍ରୀଜଗନ୍ନାଥଙ୍କ ଜଣାଣ ଓ କିଛି ହିନ୍ଦୀ ସଙ୍ଗୀତ ଶୁଣାଯାଇଥିଲା। ଜଗା ଏଥିରେ ଅତ୍ୟନ୍ତ ଆନନ୍ଦିତ ହୋଇ ପ୍ରତିକ୍ରିୟା ପ୍ରକାଶ କରିଥିଲା। ତେଣୁ ଜଗାର ସ୍ୱାସ୍ଥ୍ୟରେ ଉନ୍ନତି ଆଣିବାପାଇଁ ଏବଂ ତାକୁୁ ଅଧିକ ଖୁସି ରଖିବାପାଇଁ ଡାକ୍ତରୀଦଳ ଜେନେରାଲ୍‌ ଓ୍ଵାର୍ଡରେ ମ୍ୟୁଜିକ୍‌ ସିଷ୍ଟମ୍‌ ବ୍ୟବସ୍ଥାର ଯୋଜନା କରୁଥିବା ଜଣାଯାଇଛି। ନିୟମିତ ଭାବେ ଜଗାର ସ୍ୱାସ୍ଥ୍ୟ ନିରୀକ୍ଷଣ କରାଯାଉଛି। ତା’ର ଚକ୍ଷୁ ମଧ୍ୟ ପରୀକ୍ଷା କରାଯାଇଥିଲା। ତେବେ ସବୁକିଛି ଠିକ୍‌ ଥିବା ଡାକ୍ତରମାନେ କହିଛନ୍ତି। ଜଗାକୁ ଦିଆଯାଉଥିବା ତରଳ ଖାଦ୍ୟକୁ ଡାଏଟିସିଆନ୍‌ଙ୍କ ପରାମର୍ଶ କ୍ରମେ ନିୟମିତ ବ୍ୟବଧାନରେ ନିରୀକ୍ଷଣ କରାଯାଉଛି ଏବଂ ଜଗା ଠିକ୍‌ ଭାବେ ଖାଦ୍ୟ ଗ୍ରହଣ କରୁଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ବଳିଆର ଦୁଇଦିନ ତଳେ ପ୍ଲାଷ୍ଟିକ୍‌ ସର୍ଜରି କରାଯାଇଥିବା ବେଳେ ତାକୁ ନ୍ୟୁରୋ ଆଇସିୟୁରେ ରଖାଯାଇଛି। ବଳିଆ ଏଯାବତ୍‌ ଭେଣ୍ଟିଲେଟରରୁ ବାହାରିନି। କିନ୍ତୁ ସେ ହାତଗୋଡ଼ ହଲାଉଥିବାରୁ ଖୁବ୍‌ଶୀଘ୍ର ସୁସ୍ଥ ହେବ ବୋଲି ଡାକ୍ତରୀଦଳ ଆଶାବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର