ଆଇସିୟୁରୁ ବାହାରିଲା ଜଗା

ବଳିଆ ସ୍ୱାସ୍ଥ୍ୟରେ ସାମାନ୍ୟ ଉନ୍ନତି

ନୂଆଦିଲ୍ଲୀ : ଦ୍ୱିତୀୟ ପର୍ଯ୍ୟାୟ ଅପରେସନ ପରେ ଆଜି ଜଗାକୁ ଆଇସିୟୁରୁ ଜେନେରାଲ ଓ୍ଵାର୍ଡକୁ ସ୍ଥାନାନ୍ତର କରାଯାଇଛି। ଗତ ବୁଧବାର ଦିନ ଜଗାକୁ ଭେଣ୍ଟିଲେଟରରୁ କଢ଼ାଯାଇ ଆଇସିୟୁରେ ରଖାଯାଇଥିଲା। ଡାକ୍ତରୀଦଳ ତା’ର ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ପରିଲକ୍ଷିତ ହୋଇଥିବା ଜାଣିବା ପରେ ତାକୁ ୪୮ ଘଣ୍ଟା ପରେ ଆଇସିୟୁରୁ ଜେନେରାଲ ଓ୍ଵାର୍ଡକୁ ଅଣାଯାଇଛି। ଏବେ ସେ ପାଟି ବାଟେ ସେମିଲିକ୍ୱିଡ୍‌ ଖାଦ୍ୟ ଯଥା କଦଳୀ ଜୁସ୍‌, ରାଇସ୍‌ ପୁଡିଂ ଆଦି ଖାଉଥିବା ଜଣାପଡ଼ିଛି। ତା’ ସ୍ୱାସ୍ଥ୍ୟ ସ୍ୱାଭାବିକ ଆଡ଼କୁ ଅଗ୍ରସର ହେଉଥିବା ଡାକ୍ତରୀ ଦଳ ପକ୍ଷରୁ କୁହାଯାଉଛି। ଜେନେରାଲ ଓ୍ଵାର୍ଡରେ ଜଗାର ଚିକିତ୍ସା ଚାଲିଥିବା ବେଳେ ତା’ର ସ୍ୱାସ୍ଥ୍ୟ ଅଗ୍ରଗତିର ଦୈନନ୍ଦିନ ହେଲ୍‌ଥ ରିପୋର୍ଟ କାର୍ଡ ମଧ୍ୟ ପ୍ରସ୍ତୁତ କରାଯିବ ବୋଲି ଜଣାପଡ଼ିଛି। ତେବେ ଜଗାକୁ ଦେଖିବା ଲାଗି ଜେନେରାଲ ଓ୍ଵାର୍ଡକୁ ଆଗନ୍ତୁକଙ୍କ ପ୍ରବେଶକୁ ବାରଣ କରାଯିବା ସହ ସୀମିତ ବ୍ୟକ୍ତିମାନଙ୍କୁ ହିଁ ପ୍ରବେଶ କରିବାର ଅନୁମତି ପ୍ରଦାନ କରାଯିବ।

ଜଗା ଜେନେରାଲ ଓ୍ଵାର୍ଡକୁ ସ୍ଥାନାନ୍ତରିତ ହେବା ପରେ ଜଗାର ବାପା ମା’ଙ୍କ ଆନନ୍ଦର ସୀମା ନାହିଁ। ଜଗା ମା’ର ସମସ୍ତ ଠାରକୁ ବୁଝିପାରୁଛି ଏବଂ ପ୍ରତିକ୍ରିୟା ମଧ୍ୟ ପ୍ରକାଶ କରୁଛି। ବାପା ମା’ଙ୍କ ଉପସ୍ଥିତିରେ ଜଗାର ସ୍ୱାସ୍ଥ୍ୟରେ ଦ୍ରୁତ ଉନ୍ନତି ହେବା ସହିତ ତା’ର ସମଗ୍ର ସ୍ୱାସ୍ଥ୍ୟରେ ବିକାଶ ହେବ ବୋଲି ଡାକ୍ତରମାନେ ଆଶା ପ୍ରକାଶ କରିଛନ୍ତି। ହେଲେ ସଂକ୍ରମଣ ନିୟନ୍ତ୍ରଣ ପାଇଁ ମଧ୍ୟ ସାବଧାନ ରହିବାକୁ ଡାକ୍ତରୀଦଳ ପରାମର୍ଶ ଦେଇଛନ୍ତି।

ଅପରପକ୍ଷେ ଆଇସିୟୁର ଭେଣ୍ଟିଲେଟରରେ ଥିବା ବଳିଆର ସ୍ୱାସ୍ଥ୍ୟରେ ସାମାନ୍ୟ ଉନ୍ନତି ପରିଲକ୍ଷିତ ହୋଇଥିବା ଡାକ୍ତରୀଦଳ କହୁଛନ୍ତି। ବଳିଆର ପ୍ରତ୍ୟେକ ଗତିବିଧିକୁ ଡାକ୍ତରୀଦଳ ନିରୀକ୍ଷଣ କରୁଛନ୍ତି। ଆଇସିୟୁ ଭେଣ୍ଟିଲେଟରରୁ ବାହାରକୁ ଆସିବାପାଇଁ ବଳିଆକୁ ଆଉ କିଛି ଦିନ ସମୟ ଲାଗିବ ବୋଲି ଏମ୍ସ ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର