ଗିନିଜ୍‌ ରେକର୍ଡରେ ରହିବ ଜଗା ବଳିଆଙ୍କ ଅସ୍ତ୍ରୋପଚାର

ନୂଆଦିଲ୍ଲ : କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ଜଗା-ବଳିଆଙ୍କୁ ନ୍ୟୁରୋ ସର୍ଜରୀ ଦ୍ୱାରା ଅଲଗା କରାଯାଇଥିବା ଅତ୍ୟନ୍ତ ବିରଳ ଓ ଜଟିଳ ଅସ୍ତ୍ରୋପଚାର ଖୁବ୍‌ ଶୀଘ୍ର ଗିନିଜ୍‌ ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନ ପାଇବାକୁ ଯାଉଛି। ଏ ନେଇ ଖୁବ୍‌ ଶୀଘ୍ର ଗିନିଜ୍‌ ବୁକ୍‌ ଅଫ୍‌ ରେକର୍ଡ କର୍ତ୍ତୃପକ୍ଷଙ୍କୁ ଏମ୍‌ସ ପକ୍ଷରୁ ପତ୍ର ଲେଖାଯିବ ବୋଲି ଏକ ବିଶ୍ୱସ୍ତ ସୁତ୍ରରୁ ଜଣାପଡ଼ିଛି। ଅନ୍ୟପକ୍ଷରେ, ପ୍ରାଇଭେଟ୍‌ ଓ୍ଵାର୍ଡରେ ବଲିଉଡ୍‌ ସଂଗୀତର ତାଳେତାଳେ ଜଗାର ନୃତ୍ୟ ସବୁଠାରୁ ଚର୍ଚ୍ଚାର ବିଷୟ ପାଲଟିଛି। ଏପରିକି ସେ ମେଡିକାଲ ଷ୍ଟାଫ୍‌, ଡାକ୍ତର, ବାପା ମା’ଙ୍କୁ ମଧ୍ୟ ନଚାଉଛି ବୋଲି ଏମ୍‌ସ ପରିସରରେ ଚର୍ଚ୍ଚା ହେଉଛି।

ଉଲ୍ଲେଖ ଥାଉ କି, ଜଗା-ବଳିଆଙ୍କ ଦ୍ୱିତୀୟ ପର୍ଯ୍ୟାୟ ଅସ୍ତ୍ରୋପଚାରରେ ଏମ୍‌ସର ୧୨ଟି ବିଭିନ୍ନ ବିଭାଗର ବିଶେଷଜ୍ଞ ଡାକ୍ତରୀ ଦଳ ସାମିଲ ହୋଇଥିଲେ। ଏଥିରେ କୌଣସି ବେଦେଶୀ ବିଶେଷଜ୍ଞ ଡାକ୍ତରଙ୍କ ସହଯୋଗ ନିଆଯାଇନଥିଲା ଏବଂ ଅସ୍ତ୍ରୋ ପରେ ଦୁଇ ଶିଶୁ ବିପଦମୁକ୍ତ ହୋଇସାରିଥିବାରୁ ଏହି ଅସ୍ତ୍ରୋପଚାରକୁ ରେକର୍ଡ ବୁକ୍‌ରେ ସାମିଲ କରିବା ପାଇଁ ଆବେଦନ କରାଯିବ। ରେକର୍ଡ ବୁକ୍‌ରେ ସାମିଲ ପାଇଁ ପ୍ରମାଣ ସ୍ୱରୂପ ଅସ୍ତ୍ରୋପଚାରର ସମସ୍ତ ପ୍ରକ୍ରିୟା ଓ ଭିଡିଓ ରେକର୍ଡିଂକୁ ମଧ୍ୟ ଏମ୍‌ସ ଦ୍ୱାରା ଉପସ୍ଥାପନ କରାଯିବ ବୋଲି ଜଣାପଡ଼ିଛି। ଏହାବାଦ୍‌ ଦ୍ୱିତୀୟ ପର୍ଯ୍ୟାୟ ଅସ୍ତ୍ରୋପଚାରର ଜଟିଳତା ସମ୍ପର୍କିିତ ବିବରଣୀ ଆନ୍ତର୍ଜାତିକ ସ୍ତରୀୟ ପତ୍ରିକାରେ ପ୍ରକାଶ କରାଯିବ।

ଏଣେ ଜଗା ଓ ବଳିଆର ସ୍ୱାସ୍ଥ୍ୟାବସ୍ଥାରେ ଲଗାତାର ସୁଧାର ଆସୁଥିବା ଏମ୍‌ସ ଡାକ୍ତରୀ ଦଳ କହିଛନ୍ତି। ଦୁଇ ଭାଇଙ୍କ ରକ୍ତ ସଞ୍ଚାଳନ, ସ୍ନାୟୁଗତ ବିକାଶରେ ଯଥେଷ୍ଟ ଉନ୍ନତି ହେଉଛି। ତେବେ ସେମାନଙ୍କ ଭେଷଜ ସ୍ଥିତିର ଆକଳନ ପାଇଁ ଆମେରିକାର କିଛି ବିଶିଷ୍ଟ ବିଶେଷଜ୍ଞଙ୍କୁ ପରାମର୍ଶ କରାଯାଇଛି। ବଳିଆର ସ୍ୱାସ୍ଥ୍ୟ ସମ୍ପର୍କିତ ସମସ୍ତ ମାନଦଣ୍ଡ ସକାରାତ୍ମକ ଥିବାରୁ ଆଉ କୌଣସି ପ୍ରତିବନ୍ଧକ ସୃଷ୍ଟି ହେବ ନାହିଁ ବୋଲି ଡାକ୍ତରମାନେ କହିଛନ୍ତି।

ସମ୍ବନ୍ଧିତ ଖବର