ଦିଲ୍ଲୀ ଛାଡ଼ିଲେ ଜଗା-ବଳିଆ, ଆଜି ଓଡ଼ିଶା ପହଞ୍ଚିବେ

ଏସ୍‌ସିବିରେ ସ୍ବତନ୍ତ୍ର ଆଇସିୟୁ କ୍ୟାବିନ୍‌, ସ୍ବାସ୍ଥ୍ୟ ସଚିବଙ୍କ ସମୀକ୍ଷା

ନୂଆଦିଲ୍ଲୀ : ଏକ ଅତ୍ୟନ୍ତ ଜଟିଳ ଅସ୍ତ୍ରୋପଚାରକୁ ଜଗା-ବଳିଆ କିପରି ସହ୍ୟ କରିପାରିଲେ ଚିକିତ୍ସା ବିଜ୍ଞାନ ପାଇଁ ଏହା ଏକ ଗବେଷଣାର ବିଷୟ। ଆଜି ନୂଆଦିଲ୍ଲୀର ଏମ୍ସରେ ଯୋଡ଼ା ମୁଣ୍ଡରୁ ଅଲଗା ହୋଇଥିବା ଜଗା-ବଳିଆଙ୍କୁ ହସପିଟାଲରୁ ଡିସ୍‌ଚାର୍ଜ କରାଯାଇ ଓଡ଼ିଶା ନିଆଯିବା ପରିପ୍ରେକ୍ଷୀରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏ କଥା କହିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ। ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ଏକ ଭାବପୂର୍ଣ୍ଣ ବାତାବରଣରେ ଏମ୍ସରୁ ଡିସଚାର୍ଜ ହେବା ପରେ ଜଗା-ବଳିଆଙ୍କୁ ନେଇ ଏକ ଡାକ୍ତରୀଦଳ ରାଜଧାନୀ ଏକ୍ସପ୍ରେସ୍‌ରେ ଓଡ଼ିଶା ଅଭିମୁଖେ ବାହାରିଥିଲେ। ଆସନ୍ତାକାଲି ସେମାନେ କଟକରେ ପହଞ୍ଚିବା ପରେ ଜଗା-ବଳିଆଙ୍କୁ ଏସ୍‌ସିବି ମେଡିକାଲ କଲେଜରେ ଭର୍ତ୍ତି କରାଯିବ।

ଏମ୍ସ ଛାଡ଼ିବା ପୂର୍ବରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଡା.ହର୍ଷବର୍ଦ୍ଧନ କହିଲେ, ଓଡ଼ିଶାର କନ୍ଧମାଳ ଭଳି ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରୁ ଏହି ଯମଜ ଶିଶୁଙ୍କୁ ଏମ୍ସର ୭୫ ଜଣ ଡାକ୍ତର ଓ ୫୦ ଜଣ ନର୍ସ ଦୀର୍ଘ ୪୫ ଘଣ୍ଟାର ଅପରେସନ ପରେ ଅଲଗା କରିବାରେ ଯେଭଳି କୃତକାର୍ଯ୍ୟ ହୋଇଛନ୍ତି ବାସ୍ତବରେ ଏହା ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଅଭୂତପୂର୍ବ ସଫଳତା। ଡାକ୍ତରୀ ଦଳର କରୁଣା ମନୋଭାବ ଏବଂ ପ୍ରତିବଦ୍ଧତା ଯୋଗୁଁ ଏଭଳି ଏକ ଅସାଧାରଣ ଉପଲବ୍ଧି ହାସଲ ହୋଇଛି। ଏମ୍ସ ଡାକ୍ତରୀ ଦଳର ଟିମ ଏଫୋର୍ଟ ଅନ୍ୟମାନଙ୍କ ପାଇଁ ନିଶ୍ଚିତ ରୂପେ ଉଦାହରଣ। ଆଜି ଜଗା-ବଳିଆ ଏମ୍ସରୁ ଡିସଚାର୍ଜ ହୋଇ ଓଡ଼ିଶା ଫେରୁଛନ୍ତି ଏଥିରେ ନିଶ୍ଚିତ ଭାବେ ଖୁସି ହେବା କଥା। କିନ୍ତୁ ଆଗକୁ ତାଙ୍କର ଜୀବନ ଯାତ୍ରା ବିଭିନ୍ନ ପର୍ଯ୍ୟାୟ ଦେଇ ଗତି କରିବ। ମେଡିକାଲରୁ ଡିସଚାର୍ଜ କେବଳ ଆରମ୍ଭ ମାତ୍ର। ଦିଲ୍ଲୀ ଏମ୍ସ ଲଗାତାର ଉଭୟଙ୍କର ସ୍ବାସ୍ଥ୍ୟାବସ୍ଥାର ତଦାରଖ କରିବ ଏବଂ ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରିବ।

ସାମ୍ବାଦିକ ସମ୍ମିଳନୀରେ ହର୍ଷବର୍ଦ୍ଧନ ଜଗା-ବଳିଆର ଅପେରସନ ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିବା ସହିତ ଗତକାଲି ସନ୍ଧ୍ୟାରେ ଜଗା-ବଳିଆ ଓ ତାଙ୍କ ବାପା-ମାଆଙ୍କୁ ସାକ୍ଷାତ କରି ବିଶେଷ ଭାବେ ଆନନ୍ଦିତ ହୋଇଥିବା ପ୍ରକାଶ କରିଥିଲେ। ଜଗାର ସ୍ବାସ୍ଥ୍ୟବସ୍ଥାରେ ଏମିତି ଉନ୍ନତି ହୋଇଛି ଯାହା ଦ୍ବାରା ଜଗା ନିଜ ଶରୀରର ସମସ୍ତ ଅଙ୍ଗ ବିଷୟରେ ତାଙ୍କୁ ଅବଗତ କରାଇଥିବାର ସେ କହିଥିଲେ। ହର୍ଷବର୍ଦ୍ଧନ କହିଥିଲେ, ଯେତେବେଳେ ଦୁଇ ଶିଶୁ ଚିକିତ୍ସା ପାଇଁ ଏମ୍ସ ଆସିଥିଲେ ସେତେବେଳେ ସେ ସ୍ବାସ୍ଥ୍ୟମନ୍ତ୍ରୀ ନଥିବା ସତ୍ତ୍ବେ ଜଣେ ଡାକ୍ତର ଭାବେ ଦୁଇ ଶିଶୁଙ୍କର ଅପରେସନ ଓ ଚିକିତ୍ସା ଏବଂ ସମସ୍ତ ପ୍ରକାର ଅପଡେଟ୍ ରଖୁଥିଲେ। ସେ ପୁଣି କହିଥିଲେ ଚନ୍ଦ୍ରଯାନ-୨ର ଚନ୍ଦ୍ରପୃଷ୍ଠରେ ଅବତରଣ କରିବାକୁ ଯାଉଥିବାବେଳେ ଜଗା-ବଳିଆ ଅଲଗା ହୋଇ ଓଡ଼ିଶାରେ ପହଞ୍ଚିବାକୁ ଯାଉଛନ୍ତି। ମହାକାଶ ବିଜ୍ଞାନର ଏକ ବଡ଼ ସଫଳତା ଭଳି ଜଗା-ବଳିଆ ଓଡ଼ିଶା ପହଞ୍ଚିବା ଚିକିତ୍ସା ବିଜ୍ଞାନର ଏକ ବଡ଼ ଉପଲବ୍ଧି ଓ ଏକ ବିରଳ ସଂଯୋଗ ବୋଲି ହର୍ଷବର୍ଦ୍ଧନ କହିଥିଲେ। ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଏମ୍ସର ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ କହିଥିଲେ, ଏଭଳି ଏକ ସଫଳ ଅପରେସନ ଏମ୍ସ ପାଇଁ ଖୁସିର ମୁହୂର୍ତ୍ତ ଥିଲା। ଏଥିରେ ପ୍ରତ୍ୟେକ ଡାକ୍ତର ନିଜର ଶତପ୍ରତିଶତ ଯୋଗଦାନ କରିଛନ୍ତି। ଏହା କେବଳ ଦଳଗତ ପ୍ରୟାସ ଯୋଗୁଁ ସମ୍ଭବ ହୋଇ ପାରିଛି ବୋଲି କହିବା ସହ ଏମ୍ସ ଓ ଓଡ଼ିଶା ରାଜ୍ୟ ସରକାରଙ୍କୁ ସେ ଧନ୍ୟବାଦ ଜଣାଇଥିଲେ।

ସେ ଆହୁରି ମଧ୍ୟ କହିଥିଲେ ଯେ, ନ୍ୟୁରୋ ସର୍ଜନ ଡାକ୍ତର ଦୀପକ ଗୁପ୍ତା ଜଗା-ବଳିଆଙ୍କ ସଫଳ ଅପରେସନ ଯୋଜନା, ଅଭ୍ୟାସ ଓ କ୍ରିୟାନ୍ବୟନ (ପ୍ଲାନିଂ, ପ୍ରାକ୍ଟିସ୍ ଆଣ୍ଡ ପରଫରମାନ୍‌ସ) ଯୋଗୁଁ ସମ୍ଭବ ହୋଇପାରିଛି। କିଭଳି ୬ ମାସ ପୂର୍ବରୁ ଅପରେସନ ପାଇଁ ଯୋଜନା କରାଯାଇଥିଲା ସେନେଇ ସେ ଏକ ସ୍ବତନ୍ତ୍ର ଉପସ୍ଥାପନ ଜରିଆରେ ବୁଝାଇଥିଲେ। ଭାରତର ପ୍ରଥମ ଥର ପାଇଁ ଏହି ଅପରେସନ ସକାଶେ ଥ୍ରି-ଡି ପ୍ରିଣ୍ଟିଂ ବ୍ୟବହାର କରାଯାଇଥିଲା ତଥା ସମାନ୍ତରାଳ ଭାବେ ଯେଉଁ ସ୍ଥାନରେ ଉଭୟଙ୍କ ମୁଣ୍ଡ ଯୋଡ଼ି ରୋହି ରହିଥିଲା ଚିକିତ୍ସା ବିଜ୍ଞାନ ଇତିହାସରେ ପ୍ରଥମଥର ପାଇଁ ମସ୍ତିଷ୍କରେ କୃତ୍ରିମ ଶିରା-ପ୍ରଶିରା ରୋପଣ କାରାଯାଇ ଅସ୍ତ୍ରୋପ୍ରଚାର କରାଯାଇଥିଲା ଏବଂ ମୁଣ୍ଡରେ ଚମଡ଼ା ସୃଷ୍ଟି କରାଯାଇ ଦ୍ବିତୀୟ ପର୍ଯ୍ୟାୟରେ ସମ୍ପୂର୍ଣ୍ଣ ଭାବେ ଯୋଡ଼ା ମୁଣ୍ଡ ଅଲଗା ଦିଆଯାଇଥିଲା। ଜଗା-ବଳିଆଙ୍କ ସଫଳ ଅପରେସନ ଦ୍ବାରା ଭାରତରେ ଏଭଳି ଜଟିଳ ଅପରେସନ କରାଯାଇ ପାରିବ ବୋଲି ପ୍ରମାଣିତ ହୋଇଛି। ସର୍ଜିକାଲ ଚାଲେଞ୍ଜ ଥିବା ସତ୍ତ୍ବେ ଅପରେସନ ସଫଳ ହୋଇଥିଲା। ସମସ୍ତ ପ୍ରକାର ଅତ୍ୟାଧୁନିକ ଟେକ୍ନୋଲଜିର ବ୍ୟବହାର କରାଯାଇଥିଲା। ସେ ପୁଣି କହିଥିଲେ ଜଗା-ବଳିଆଙ୍କୁ ଅପରେସନ ପରେ ଓ ଅପରେସନର ପରବର୍ତ୍ତୀ ସ୍ଥିତିରେ ଅନେକ ଜଟିଳ ପର୍ଯ୍ୟାୟ ଦେଇ ଗତି କରିବାକୁ ପଡ଼ିଥିଲା କିନ୍ତୁ ବର୍ତ୍ତମାନ ସବୁ କିଛି ସାଭ୍ବାବିକ ଅଛି।

ଅନ୍ୟପକ୍ଷରେ, ଜଗା ଅକ୍ଷର ଚିହ୍ନି ପାରୁଛି, ଖେଳୁପାରୁଛି ତଥା ସମସ୍ତ କଥାକୁ ବୁଝି ପାରୁଛି। ଏହି ଅବସରରେ ଜଗା ଫୁଟବଲ ଖେଳୁଥିବାର ଚିତ୍ର ମଧ୍ୟ ଉପସ୍ଥାପନ କରାଯାଇଥିଲା। ଡିସଚାର୍ଜ ହେବା ପରେ ଜଗାକୁ ଗାଁକୁ ପଠାଯାଇ ତୁରନ୍ତ ସ୍କୁଲରେ ନାମ ଲେଖାଇବା ପାଇଁ ଡାକ୍ତର ଗୁପ୍ତା ପରାମର୍ଶ ଦେଇଥିଲେ। ପାଞ୍ଚ ବର୍ଷ ପରେ ଜଗାର କ୍ରାନିଓ ପ୍ଲାଷ୍ଟିକ୍‌ ସର୍ଜରି ଏମ୍ସରେ କରାଯିବ ବୋଲି ଡାକ୍ତର ଗୁପ୍ତା ସୂଚନା ଦେଇଥିଲେ। ଅପରପକ୍ଷରେ ଜଗା-ବଳିଙ୍କର ଓଜନରେ ବୃଦ୍ଧି ହୋଇଛି, ଜଗା ୧୬ କି.ଗ୍ରା ଥିବାବେଳେ ବଳିଆର ୧୨ କି.ଗ୍ରା. ଓଜନ ଅଛି। ବଳିଆକୁ ବର୍ତ୍ତମାନ ସ୍ଥିତିରେ ନର୍ସିଂ କେୟାରର ଆବଶ୍ୟକତା ରହିଛି ଯେଉଁଥିପାଇଁ ତାକୁ କଟକ ଏସସିବିରେ ରଖାଯିବ। ସେ ଅବଜରଭେସନରେ ରହିବ ତଥା ବାତ ଓ ଅନ୍ୟାନ୍ୟ ସମସ୍ୟା ଯେଭଳି ନ ଉପୁଜେ ତାହାର ପ୍ରତିକାର ପାଇଁ ତାଙ୍କ ମାଆଙ୍କୁ ପ୍ରଶିକ୍ଷିତ କରାଯାଇଛି ବୋଲି ସେ କହିଥିଲେ।

ସାମ୍ବାଦିକ ସମ୍ମିଳନୀ ପରେ ଅପରାହ୍ଣ ୩ଟା ୩୦ ମିନିଟରେ ଜଗା-ବଳିଆ, ତାଙ୍କ ବାପା-ମାଆ ପ୍ରାଇଭେଟ୍ ଵାର୍ଡରୁ ବାହାରି ଏମ୍ସ ପରିସରକୁ ଆସିଥିଲେ। ଏହାପରେ ଜଗା-ବଳିଆ ଓ ତାଙ୍କ ବାପା ମାଆ ଦିଲ୍ଲୀ ଏମ୍ସର ଡାକ୍ତର ଦୀପକ ଗୁପ୍ତା, ଡାକ୍ତର ଗିରିଜା ରଥ, ଡାକ୍ତର ଜେ କୁମାର ଓ ଡାକ୍ତର ଏ ଡାନିଏଲ ଏବଂ କଟକ ଏସ୍‌ସିବି ମେଡିକାଲ କଲେଜର ଡାକ୍ତର ଶିବଶଙ୍କର ବରିହା ଓ ଡାକ୍ତର ବିଭୁ ପ୍ରସାଦ ନାୟକ, ଓଡ଼ିଶା ନିବାସର ଅଧିକାରୀ ଡି କେ ସାମଲ ଓ ଜଣେ ଏମ୍ସର ନର୍ସଙ୍କ ସହିତ ନୂଆଦିଲ୍ଲୀ ରେଳ ଷ୍ଟେସନ ଅଭିମୁଖେ ଯାତ୍ରା କରିଥିଲେ। ନୂଆଦିଲ୍ଲୀ ରେଳ ଷ୍ଟେସନରେ ପହଞ୍ଚିବା ପରେ କିଛି ସମୟ ସେଠାର ପ୍ରତୀକ୍ଷାଳୟରେ ଅପେକ୍ଷା କରିବା ପରେ ଜଗା-ବଳିଆଙ୍କୁ ଏକ ସ୍ବତନ୍ତ୍ର ବ୍ୟାଟେରି ଚାଳିତ କାର୍‌ରେ ରାଜଧାନୀ ଏକ୍ସପ୍ରେସର ଏଚ୍‌-୧ ବଗି ନିକଟକୁ ଅଣାଯିବା ପରେ ସେମାନେ ଟ୍ରେନ୍‌ରେ ଚଢ଼ିଥିଲେ। ଆବାସିକ କମିସନର ସଞ୍ଜୀବ ମିଶ୍ରଙ୍କ ସହିତ ଓଡ଼ିଶା ଭବନ ଓ ଓଡ଼ିଶା ନିବାସର ଅନେକ କର୍ମଚାରୀ ରେଳ ଷ୍ଟେସନରେ ଉପସ୍ଥିତ ରହି ସେମାନଙ୍କୁ ବିଦାୟ ଦେଇଥିଲେ। ଟ୍ରେନ ଛାଡ଼ିବା ପୂର୍ବରୁ ଟ୍ରେନରେ ଯାତ୍ରା କରୁଥିବା ଏମ୍ସ ଓ ଏସସିବିର ଡାକ୍ତରୀ ଦଳ ଦୁଇ ଶିଶୁଙ୍କର ସ୍ବାସ୍ଥ୍ୟବସ୍ଥାର ଯାଞ୍ଚ୍‌ କରିଥିଲେ। ଜଗା-ବଳିଆଙ୍କ ପାଇଁ ଜରୁରୀ ଔଷଧ ସହିତ କୌଣସି ପ୍ରକାର ସ୍ବାସ୍ଥ୍ୟଗତ ସମସ୍ୟା ନଉପୁଜେ ତାହାକୁ ଧ୍ୟାନରେ ରଖାଯାଇ ଅକ୍ସିଜେନ୍ ସିଲିଣ୍ଡର ମଧ୍ୟ ଟ୍ରେନରେ ନିଆଯାଇଥିଲା।

ଜଗା-ବଳିଆଙ୍କ ବାପା ଭୂୟାଁ କହଁର ଓ ମାଆ ପୁଷ୍ପାଞ୍ଜଳି କହଁର ଓଡ଼ିଶା ଫେରିବା ନେଇ ବିଶେଷ ଆନନ୍ଦ ପ୍ରକାଶ କରିଥିଲେ ଏବଂ ଦୀର୍ଘ ଦୁଇ ବର୍ଷରୁ ଊର୍ଦ୍ଧ୍ବ ଦିନ ଧରି ଏମ୍ସରେ ଦୁଇ ଶିଶୁଙ୍କର ଚିକିତ୍ସା ପାଇଁ ନିୟୋଜିତ ଥିବା ଡାକ୍ତରୀ ଦଳ, ରାଜ୍ୟ ସରକାର ଓ ଶୁଭେଚ୍ଛୁମାନଙ୍କୁ ଧନ୍ୟବାଦ ଜଣାଇଥିଲେ। ଉଲ୍ଲେଖଯୋଗ୍ୟ ଆଜି ଦିଲ୍ଲୀ ଏମ୍ସରୁ ଡିସଚାର୍ଜ ହେବା ପୂର୍ବରୁ ଜଗା-ବଳିଆ ସେମାନଙ୍କର ୧୨ଟି ବିଭିନ୍ନ ପରୀକ୍ଷା ନିରୀକ୍ଷା କରାଯାଇଥିଲା। ସମ୍ପୂର୍ଣ୍ଣ ଡିସଚାର୍ଜର ଏକ ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା।

ଏସ୍‌ସିବିରେ ସ୍ବତନ୍ତ୍ର ଆଇସିୟୁ କ୍ୟାବିନ୍‌, ସ୍ବାସ୍ଥ୍ୟ ସଚିବଙ୍କ ସମୀକ୍ଷା

କଟକ : ଜଗା-ବଳିଆ ଆସନ୍ତାକାଲି ବଡ଼ ମେଡିକାଲ୍‌ରେ ପହଞ୍ଚିବାକୁ ଥିବାରୁ ଆଜି ସ୍ବାସ୍ଥ୍ୟ ସଚିବ ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଦା ସେମାନଙ୍କ ଚିକିତ୍ସା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ଦୁଇ ଭାଇଙ୍କୁ ସ୍ବତନ୍ତ୍ର ଆଇସିୟୁ ସଂଲଗ୍ନ କ୍ୟାବିନ୍‌ରେ(ଟ୍ରମା ଆଇସିୟୁ ପାଖରେ) ରଖାଯିବା ପାଇଁ ସମସ୍ତ ବ୍ୟବସ୍ଥା ହୋଇଥିବା ଜଣାପଡ଼ିଛି।

ଶନିବାର ଅପରାହ୍ନ ପ୍ରାୟ ୪ଟା ବେଳେ ଜଗା-ବଳିଆ କଟକ ଷ୍ଟେସନ୍‌ରେ ପହଞ୍ଚିବେ। ସେମାନଙ୍କ ସହିତ ଏମ୍‌ସର ତିନି ଜଣ ଏବଂ ଏସ୍‌ସିବିର ଦୁଇ ଜଣ ଡାକ୍ତର ଅଛନ୍ତି। ଟ୍ରେନ୍‌ରେ ଜଗା ଫିଟ୍‌ ଓ ସ୍ବାଭାବିକ ଖାଦ୍ୟ ନେଉଥିବା ବେଳେ ବଳିଆ ଶୋଇ ରହୁଥିବା ଜଣାପଡ଼ିଛି। ଟ୍ରେନ୍‌ ଭିତରେ ବୁଲିବାକୁ ବି ସେ ଚାହୁଁଛି। ମାତ୍ର ମୁଣ୍ଡରେ ଅସ୍ତ୍ରୋପଚାର ହୋଇଥିବାରୁ କାଳେ ‌ଆଘାତ ଲାଗିବ ଆଶଙ୍କାରେ ଜଗାର ମୁଣ୍ଡରେ ହେଲ୍‌ମେଟ୍‌ ପିନ୍ଧାଇ ରଖାଯାଇଛି। ତେବେ ଡାକ୍ତରୀ ଟିମ୍‌ ଜଗା ଅପେକ୍ଷା ବଳିଆ ଉପରେ ସବୁବେଳେ ନଜର ରଖିଛନ୍ତି। ସେପଟେ ସ୍ବାସ୍ଥ୍ୟ ସଚିବ ଆଜି ଏସ୍‌ସିବିରେ ଅଧ୍ୟକ୍ଷା ପ୍ରଫେସର ଡାକ୍ତର ଜୟଶ୍ରୀ ମହାନ୍ତି, ଅଧୀକ୍ଷକ ପ୍ରଫେସର ସିବିକେ ମହାନ୍ତିଙ୍କ ସମେତ ୧୪ଜଣିଆ ବିଶେଷଜ୍ଞ ଡାକ୍ତର କମିଟି ସଦସ୍ୟଙ୍କ ସହ ଚିକିତ୍ସା ବ୍ୟବସ୍ଥା ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଚିକିତ୍ସାରେ ଯେପରି କୌଣସି ପ୍ରକାର ଅବହେଳା ନହୁଏ, ସେଥିପ୍ରତି ଯତ୍ନବାନ ହେବାକୁ ଟିମ୍‌କୁ ନିର୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର