ଆଜି ଦିଲ୍ଲୀରୁ କଟକ ଫେରିବେ ଜଗା-ବଳିଆ

ନୂଆଦିଲ୍ଲୀ : ଦିଲ୍ଲୀ ଏମ୍ସରେ ଦୀର୍ଘ ୭୮୨ ଦିନର ଚିକିତ୍ସା ପରେ ଆସନ୍ତାକାଲି ଜଗାବଳିଆ କଟକ ଫେରିବେ। ଏ ନେଇ ଏମ୍ସ ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇସାରିଛି। ମିଳିଥିବା ସୂଚନା ଅନୁଯାୟୀ ଆସନ୍ତାକାଲି ଏମ୍ସ ପ୍ରଶାସନ ଦ୍ବାରା ଦୁଇ ଶିଶୁଙ୍କୁ ହସ୍ପିଟାଲ୍‌ରୁ ଡିସଚାର୍ଜ କରିବା ପୂର୍ବରୁ ଏକ ସାମ୍ବାଦିକ ସମ୍ମିଳନୀ କରି ସେମାନଙ୍କର ଚିକିତ୍ସା ସମ୍ପର୍କରେ ଅବଗତ କରାଯିବ ଏବଂ ଏଥିସହ ସେମାନଙ୍କ ଭବିଷ୍ୟତ ଚିକିତ୍ସା ସମ୍ପର୍କରେ ସୂଚନା ଦିଆଯିବାର ସମ୍ଭାବନା ରହିଛି। ସାମ୍ବାଦିକ ସମ୍ମିଳନୀ ଶେଷ ହେବା ପରେ ଦିନ ୩ଟାରେ ଜଗାବଳିଆଙ୍କୁ ଧରି ଏମ୍ସ ଓ ଏସ୍‌ସିବିର ଡାକ୍ତରୀ ଟିମ୍ ସିଧାସଳଖ ନୂଆଦିଲ୍ଲୀ ରେଳ ଷ୍ଟେସନ ପହଞ୍ଚିବେ ଏବଂ ସେଠାରୁ ରାଜଧାନୀ ଏକ୍ସପ୍ରେସ ଯୋଗେ କଟକ ଅଭିମୁଖେ ଯାତ୍ରା କରିବେ। ଦିଲ୍ଲୀ ଏମ୍ସରୁ ଡାକ୍ତର ଦୀପକ ଗୁପ୍ତା, ଡାକ୍ତର ଗିରିଜା ରଥ, ଡାକ୍ତର ଜେ କୁମାର ଓ ଡାକ୍ତର ଏ ଡାନିଏଲ ଏବଂ କଟକ ଏସ୍‌ସିବି ମେଡିକାଲ କଲେଜରୁ ଡାକ୍ତର ଶିବ ଶଙ୍କର ବରିହା ଓ ଡାକ୍ତର ବିଭୁ ପ୍ରସାଦ ନାୟକ, ଓଡ଼ିଶା ନିବାସର ଅଧିକାରୀ ଡି କେ ସାମଲ ଓ ଏମ୍ସର ଜଣେ ନର୍ସ ଜଗା ବଳିଆ ଏବଂ ତାଙ୍କ ବାପା ମା’ଙ୍କ ସହିତ କଟକ ଆସିବେ। ଏଥି ପୂର୍ବରୁ ଆଜି ଏସ୍‌ସିବିରୁ ଆସିଥିବା ଡାକ୍ତରମାନେ ଜଗା ବଳିଆଙ୍କ ଚିକିତ୍ସା ପଦ୍ଧତି ଓ ଅନ୍ୟାନ୍ୟ ପ୍ରସଙ୍ଗ ସମ୍ପର୍କରେ ଏମ୍ସର ଡାକ୍ତରୀ ଦଳଙ୍କ ସହିତ ବିସ୍ତୃତ ଭାବେ ଆଲୋଚନା କରି ଦୁଇ ଶିଶୁଙ୍କର ସ୍ବାସ୍ଥ୍ୟ ସମ୍ପର୍କରେ ଅବଗତ ହୋଇଥିଲେ। ଏସ୍‌ସିବିର ଦୁଇ ଡାକ୍ତରଙ୍କ ସହିତ ଏମ୍ସ ଡାକ୍ତରୀ ଦଳ ବିଚାରବିମର୍ଶ କରିବା ପରେ ଆସନ୍ତାକାଲି ଦୁଇ ଶିଶୁଙ୍କ ମେଡିକାଲରୁ ଡିସଚାର୍ଜ ତଥା ଉଭୟ ଶିଶୁଙ୍କ ଚିକିତ୍ସାର ଇତିହାସ, ବର୍ତ୍ତମାନର ଚିକିତ୍ସା ଓ ସ୍ବତନ୍ତ୍ର ନର୍ସିଂ କେୟାର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରାଯାଇ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି। ତଦନୁଯାୟୀ ଦୁଇ ଶିଶୁ ଦିଲ୍ଲୀ ଏମ୍ସରୁ ଡିସଚାର୍ଜ ହେବା ପରେ ଏସ୍‌ସିବି ମେଡିକାଲ କଲେଜ ଦ୍ବାରା ଭବିଷ୍ୟତ ଚିକିତ୍ସା ସମ୍ପର୍କିତ ପଦକ୍ଷେପ ନିଆଯିବ।

ଆଜି ଏମ୍ସ ଡାକ୍ତରୀ ଦଳ ଦ୍ବାରା ଜଗାବଳିଆଙ୍କ ସ୍ବାସ୍ଥ୍ୟ ସମ୍ପର୍କିତ ବିଭିନ୍ନ ପରୀକ୍ଷା ନିରୀକ୍ଷା କରାଯାଇଥିଲା। ଦୁଇ ଜଣଙ୍କର ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ତଥା ଡିସଚାର୍ଜ‌୍ ପାଇଁ ସେମାନେ କ୍ଲିନିକାଲି ଫିଟ୍‌ ବୋଲି ଡାକ୍ତରମାନେ ମତ ପ୍ରକାଶ କରିଥିବା କୁହାଯାଉଛି। ହେଲେ ସ୍ଥାନାନ୍ତର ପରେ ଦୁଇ ଶିଶୁଙ୍କ ପାଇଁ ସ୍ବତନ୍ତ୍ର ହେଲମେଟ୍ ପିନ୍ଧିବା ତଥା ଫିଜିଓଥେରାପି ପାଇଁ ଉପଯୁକ୍ତ ଚେୟାରର ବ୍ୟବସ୍ଥା କରିବା ପାଇଁ ଏସ୍‌ସିବି ଡାକ୍ତରମାନଙ୍କୁ ପରାମର୍ଶ ଦିଆଯାଇଥିବା ଜଣାପଡ଼ିଛି। ସ୍ବାସ୍ଥ୍ୟ ପରୀକ୍ଷା ପରେ ସେମାନଙ୍କ ଓଜନ ବୃଦ୍ଧି ହୋଇଥିବା କୁହାଯାଉଛି। ବଳିଆର ନିଶ୍ବାସ ପ୍ରଶ୍ବାସ ନେବାରେ କୌଣସି ଅସୁବିଧା ହେଉନଥିବା ବେଳେ ମଝିରେ ମଝିରେ ଜ୍ବର ହେଉଛି, ଏନେଇ ଏମ୍ସ ଡାକ୍ତରୀ ଦଳ ଦ୍ବାରା ଏସ୍‌ସିବି ଡାକ୍ତରୀ ଦଳଙ୍କୁ ଅବଗତ କରାଯାଇଛି। ଦିଲ୍ଲୀରେ ଏସ୍‌ସିବିର ଦୁଇଜଣ ଡାକ୍ତର ଜଗା ବଳିଆଙ୍କ ଚିକିତ୍ସାରେ କୌଣସି ପ୍ରକାର ଅବହେଳା କରାଯିବ ନାହିଁ ଏବଂ ଏସ୍‌ସିବିରେ ଉପଯୁକ୍ତ ଚିକିତ୍ସା ପ୍ରଦାନ କରାଯିବ ବୋଲି କହିଛନ୍ତି। ଅପରପକ୍ଷେ ଜଗାବଳିଆଙ୍କ ବାପା ମା’- ଭୂୟା କହଁର ଓ ପୁଷ୍ପାଞ୍ଜାଳି କହଁର ଆସନ୍ତାକାଲି ଦୁଇ ଶିଶୁଙ୍କ ସହିତ ଓଡ଼ିଶା ଫେରିବା ନେଇ ବେଶ୍‌ ଉତ୍ସାହିତ ଅଛନ୍ତି। ଏ ନେଇ ଏମ୍ସର ଦୁଇଜଣ ଡାକ୍ତର ଯେଉଁମାନେ ଜଗାବଳିଆଙ୍କୁ ଜଟିଳ ଅପରେସନ ଦ୍ବାରା ଏକ ନୂଆ ଜୀବନ ଦେଇଛନ୍ତି ସେମାନଙ୍କୁ ଧନ୍ୟବାଦ ଦେବା ସହିତ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିକିତ୍ସା ପାଇଁ ଆର୍ଥିକ ସହାୟତା କରିଥିବାରୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ଦୁଇ ଶିଶୁଙ୍କର ଚିକିତ୍ସା ସମୟ‌େର ଦିଲ୍ଲୀ ଏମ୍ସରେ ଅନେକ ସ୍ମୃତି ରହିଛି ଯାହାକୁ ସହଜରେ ଭୁଲି ହେବାନାହିଁ ବୋଲି କହଁର ଦମ୍ପତି କହିଛନ୍ତି। ଉଲ୍ଲେଖଯୋଗ୍ୟ ଯୋଡ଼ାମୁଣ୍ଡ ଅବସ୍ଥାରେ ଜଗାବଳିଆଙ୍କୁ ଜୁଲାଇ ୧୪, ୨୦୧୭ରେ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା ଏବଂ ୨୦୧୭ ଅକ୍ଟୋବର ୨୫-୨୬ ରେ ଡାକ୍ତରୀ ଦଳ ଏକ ଜଟିଳ ଅସ୍ତ୍ରୋପଚାର ଦ୍ବାରା ଯୋଡ଼ାମୁଣ୍ଡକୁ ଅଲଗା କରିବାରେ ସଫଳ ହୋଇଥିଲେ।

ସମ୍ବନ୍ଧିତ ଖବର