ବେଙ୍ଗାଲୁରୁ: ବିଧାନସଭା ନିର୍ବାଚନ ଲଢ଼ିବା ଲାଗି ଟିକେଟ୍‌ ନ ପାଇ ‘ବିଜେପି’ ଛାଡ଼ିଥିବା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟ୍ଟାର ଆଜି କଂଗ୍ରେସ ପାର୍ଟିରେ ଯୋଗ ଦେଇଛନ୍ତି।

Advertisment

ଆଜି ସକାଳେ ବେଙ୍ଗାଲୁରୁର ପାର୍ଟି ଅଫିସ୍‌କୁ ଆସି ଶେଟ୍ଟାର୍‌ ବିଧିବଦ୍ଧ ଭାବେ କଂଗ୍ରେସରେ ଯୋଗ ଦେବା ବେଳେ ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ, ‘କେପିସିସି’ ସଭାପତି ଡି. କେ. ଶିବକୁମାର ଏବଂ କଂଗ୍ରେସ ନେତା ରଣଦୀପ ସୂର୍ଯ୍ୟେୱାଲା, ସିଦ୍ଧରମୈୟା ଆଦି ଉପସ୍ଥିତ ଥିଲେ।

କଂଗ୍ରେସରେ ଯୋଗ ଦେବା ପରେ ଶେଟ୍ଟାର୍‌ କହିଛନ୍ତି, ମୁଁ କର୍ଣ୍ଣାଟକ ‘ବିଜେପି’ ତିଆରି କଲି କିନ୍ତୁ ଦୁର୍ବ୍ୟବହାର ପାଇଲି। ମୋ ଭଳି ବରିଷ୍ଠ ନେତାଙ୍କ ପ୍ରତି କର୍ଣ୍ଣାଟକ ‘ବିଜେପି’ ଉତ୍ତମ ଆଚରଣ ପ୍ରଦର୍ଶନ କଲାନାହିଁ। ସଦାସର୍ବଦା ମୁଁ ରେକର୍ଡ ସଂଖ୍ୟକ ଭୋଟ୍‌ରେ ବିଜୟୀ ହୋଇ ‘ବିଜେପି’କୁ ଗୌରବାନ୍ବିତ କରିଛି ଏବଂ ରହିଥିବା ପ୍ରତ୍ୟେକ ପଦବୀରେ ଭଲ କାର୍ଯ୍ୟ ମଧ୍ୟ କରିଛି। କିନ୍ତୁ, ଆଉ ମୋର ଆତ୍ମସମ୍ମାନକୁ ଆଘାତ ଦେଇ ପାରିବି ନାହିଁ।

publive-image Image Courtesy of Zee News

ଏହାପରେ ସେ ‘ବିଜେପି’କୁ ତୀବ୍ର ସମାଲୋଚନା କରି କହିଛନ୍ତି, ବରିଷ୍ଠ ନେତାମାନେ ମୋ ସହିତ ଦୁର୍ବ୍ୟବହାର କଲେ। ଟିକେଟ ନ ଦେଇ ଅପମାନ ଦେଲେ। ୭ମ ଥର ବି ମୁଁ ହୁବ୍ବାଲି-ଧର୍‌ୱାଡ୍‌ ଆସନରେ ବିଜୟୀ ହେବି।

ଖୁବ୍‌ ଶୀଘ୍ର କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ ଏ ସଂକ୍ରାନ୍ତରେ ଏକ ସାମ୍ବାଦିକ ସମ୍ମିଳନୀରେ କହିବେ।

publive-image Image Courtesy of India Today

୬୭ ବର୍ଷିୟ ଶେଟ୍ଟାର୍‌ ଗତକାଲି ‘ବିଜେପି’ରୁ ଇସ୍ତଫା ଦେବା ବିଷୟରେ କହିବାକୁ ଯାଇ କହିଥିଲେ,  ବଡ଼ ମନକଷ୍ଟରେ ଦଳରୁ ଇସ୍ତଫା ଦେବି। ମୁଁ ହିଁ ଦଳ ଗଠନ କରି ଠିଆ କରାଇଥିଲି। ଦଳର କେତେକ‌ ନେତା ମୁଁ ଇସ୍ତଫା ଦେବା ଭଳି ପରିସ୍ଥିତି ସୃଷ୍ଟି କରିଛନ୍ତି। ମତେ ଯେଭଳି ଅପମାନିତ କଲେ ସେଥିରୁ ଜଣାପଡୁଛି ଯେ, ଜଗଦୀଶ ଶେଟ୍ଟାର୍‌ କ’ଣ ସେମାନେ ବୁଝି ପାରିନାହାନ୍ତି। ସେମାନଙ୍କ ଉପେକ୍ଷା ମତେ ମର୍ମାହତ କରିଛି। ସେଥିପାଇଁ ଚୁପ୍‌ଚାପ୍‌ ନ ବସି ସେମାନଙ୍କୁ ଚାଲେଞ୍ଜ୍‌ କରିବା ଉଚିତ ବୋଲି ଭାବିଲି। ସେହି ଦୃଷ୍ଟିରୁ ମୁଁ ନିର୍ବାଚନ ଲଢ଼ିବି ବୋଲି କହୁଛି।