ବିଶାଖାପାଟଣା: ଭଲ କାମ କର, ନଚେତ ଟିକେଟ କାଟିଦେବି | ନିଜ ଦଳର ବିଧାୟକମାନଙ୍କୁ କିଛି ଏଭଳି ଚେତାବନୀ ଦେଇଛନ୍ତି ଜଗନ | ଦୁଇ ବର୍ଷ ପରେ ଆନ୍ଧ୍ରପ୍ରଦେଶରେ ବିଧାନସଭା ନିର୍ବାଚନ ହେବାର ଅଛି | କିନ୍ତୁ ୱାଇଏସଆର କଂଗ୍ରେସ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ଦଳର ନେତାମାନଙ୍କୁ ଚେତାବନୀ ଦେଇସାରିଛନ୍ତି। ସେ କହିଛନ୍ତି ଯେ ୨୦୨୪ ମସିହାରେ କେବଳ ସେହି ନେତାମାନେ ଟିକେଟ୍ ପାଇବେ ଯାହାର ସ୍କୋର ଭଲ ହେବ | ଜଗନମୋହନ ସମୁଦାୟ ୧୭୫ଟି ସିଟ୍ ମଧ୍ୟରୁ ୧୫୧ଟି ଜିତିବାର ଲକ୍ଷ୍ୟ ରଖିଥିବାବେଳେ ଗତ ନିର୍ବାଚନରେ ​​ଦଳ ୧୫୦ଟି ଆସନ ଜିତିଥିଲା। ବୁଧବାର ଦିନ ଏକ ବୈଠକରେ ମୁଖ୍ୟମନ୍ତ୍ରୀ ବିଧାୟକମାନଙ୍କୁ କହିଛନ୍ତି ଯେ ଆସନ୍ତା ମେ ମାସରୁ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହେବ |

Advertisment

ଘର ଘର ବୁଲି ଏହି ଅଭିଯାନ କାର୍ଯ୍ୟକାରୀ କରାଯିବ ଓ ଆସନ୍ତା ନଅ ମାସ ପର୍ଯ୍ୟନ୍ତ ଏହା ଚାଲିବ | ଏହି ଅଭିଯାନ ମାଧ୍ୟମରେ ଲୋକଙ୍କୁ ସରକାରଙ୍କ ବିକାଶ ଯୋଜନା ବିଷୟରେ ଜଣାଇବାକୁ ପଡ଼ିବ। ବିଧାୟକମାନଙ୍କୁ ପ୍ରତି ମାସରେ ଅତି କମରେ ୧୦ଟି ଗାଁ ଯିବାକୁ ପଡିବ | ସେହି ସବୁ ଗାଁରେ ଯାହା ଯାହା ସମସ୍ୟା ରହିଛି ତାହା ଜଣାଇବାକୁ ପଡିବ ଓ ତାହାର ସମାଧାନ ପାଇଁ ଚେଷ୍ଟା କରାଯିବ | ବିଧାୟକମାନଙ୍କ କାର୍ଯ୍ୟ ଆଧାରରେ ରିପୋର୍ଟ କାର୍ଡ ପ୍ରସ୍ତୁତ କରାଯିବ ଓ ସ୍କୋର ଦିଆଯିବ |

ସୂଚନା ଥାଉ କି କିଛି ଦିନ ତଳେ ଜଗନମୋହନ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରିଥିଲେ ଓ ଅଧାରୁ ଅଧିକ ପୁରୁଣା ନେତାଙ୍କୁ ମନ୍ତ୍ରୀ ପଦରୁ ବାଦ ଦିଆଯାଇଥିଲା | ଜଗନ କହିଛନ୍ତି ଯେ ସରକାର ନିର୍ବାଚନବେଳେ ଦିଆଯାଇଥିବା ପ୍ରତିଶ୍ରୁତିର ୯୫ ପ୍ରତିଶତ ପୂରଣ କରିଛନ୍ତି ଏବଂ ଏଥିପାଇଁ ଅତିକମରେ ୧୫୧ ଟି ଆସନ ଜିତିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ସେ କହିଛନ୍ତି ଯେ ଡାଇରେକ୍ଟ ବେନିଫିଟ ଟ୍ରାନ୍ସଫର ମାଧ୍ୟମରେ ଜନସାଧାରଣ ଆକାଉଣ୍ଟକୁ ୧.୩୭ ଲକ୍ଷ କୋଟି ଟଙ୍କା ପଠାଯାଇଛି ଏବଂ ଏଥିରେ କୌଣସି ଦୁର୍ନୀତି ହୋଇନାହିଁ।