ନେଲୋର୍: ଜନଗହଳି ପ୍ରବଳ ହେବାରୁ ଆନ୍ଧ୍ରପ୍ରଦେଶର ନେଲୋର୍ ଅନ୍ତର୍ଗତ କୃଷ୍ଣପଟ୍ଟନମ୍ରେ ଜଗନ ସରକାର ‘କୁହୁକ କୋଭିଡ୍ ଔଷଧ’ ବଣ୍ଟନ ବନ୍ଦ କରି ଦେଇଛନ୍ତି।
ତାଲିମ ପାଇ ନ ଥିବା ଜଣେ କବିରାଜଙ୍କ ଠାରୁ ‘କୁହୁକ ଔଷଧ’ ନେବା ଲାଗି ବନ୍ଦର ନଗରୀ କୃଷ୍ଣପଟ୍ଟନମ୍ରେ ଶୁକ୍ରବାର ଦିନ ହଜାର ହଜାର ଜନତା ସମବେତ ହୋଇଥିଲେ। ଗହଳି ଯୋଗୁଁ କୋଭିଡ୍-୧୯ ସଂକ୍ରମଣ ବ୍ୟାପକ ବୃଦ୍ଧି ହେବ ବୋଲି ଦର୍ଶାଇ ବିରୋଧୀ ଏବଂ ସ୍ଥାନୀୟ ଲୋକେ ସରକାରଙ୍କୁ କଟୂ ସମାଲୋଚନା କରିଥିଲେ।
ସରକାରଙ୍କ ବିଭିନ୍ନ ବିଭାଗର କର୍ମଚାରୀମାନଙ୍କୁ ଏକତ୍ର କରି ଏହି ଔଷଧର ପ୍ରଚାର ଓ ବଣ୍ଟନ ନିମନ୍ତେ ଯୋଜନା କରିଥିବା ସ୍ଥାନୀୟ ‘ୱାଇଏସ୍ଆର୍ସିପି’ ବିଧାୟକ କିଛି ସମୟ ପରେ ଘଟଣାସ୍ଥଳକୁ ଯାଇ ଘୋଷଣା କରିଥିଲେ କି, ଆଗାମୀ ୧୦ ଦିନ ପର୍ଯ୍ୟନ୍ତ ଏହି ଔଷଧ ବଣ୍ଟନ ବନ୍ଦ ରହିବ।
Image Courtesy of India Todayଉପରୋକ୍ତ ଔଷଧ କାମ କରୁଛି ବୋଲି କୌଣସି ବିଜ୍ଞାନସମର୍ଥିତ ପ୍ରମାଣ ନ ଥିଲେ ମଧ୍ୟ ବି. ଆନନ୍ଦୈୟାଙ୍କଦ୍ବାରା ପ୍ରସ୍ତୁତ ଏହି ଆୟର୍ବେଦୀୟ ଔଷଧ ସଂଗ୍ରହ କରିବାକୁ ଲୋକେ ନାହିଁ ନ ଥିବା ଗହଳି କରିଥିଲେ। ତାଙ୍କ ପ୍ରସ୍ତୁତ ଆୟୁର୍ବେଦୀୟ ଔଷଧ କୋଭିଡ୍-୧୯ ପାଇଁ ଫଳପ୍ରଦ ହେଉଥିବା କଥା ଆନନ୍ଦୈୟା ଦାବି କରିଛନ୍ତି।
ଏହି ଔଷଧର ଦୋଷଗୁଣ ଅନୁସନ୍ଧାନ କରିବା ଲାଗି ଆନ୍ଧ୍ରପ୍ରଦେଶ ସ୍ବାସ୍ଥ୍ୟ ବିଭାଗ ଆୟୁଷ ନିର୍ଦେଶକଙ୍କୁ ସେଠାକୁ ପଠାଇଛନ୍ତି। ଏହାଛଡ଼ା କୋଭିଡ୍-୧୯ ଆରୋଗ୍ୟ ପାଇଁ ଆୟୁର୍ବେଦୀୟ ଔଷଧ ପ୍ରସ୍ତୁତି ପାଇଁ ସ୍ବାସ୍ଥ୍ୟ ବିଭାଗ ଉଭୟ କେନ୍ଦ୍ରୀୟ ଆୟୁଷ ବିଭାଗ ଏବଂ ଆୟୁର୍ବେଦୀୟ ବିଜ୍ଞାନ ଗବେଷଣା ନିମନ୍ତେ ଥିବା କେନ୍ଦ୍ରୀୟ ପରିଷଦ୍ଙ୍କୁ ଅନୁରୋଧ କରିଛି।
ଆନ୍ଧ୍ରପ୍ରଦେଶର ପ୍ରମୁଖ ସଚିବ ଅନୀଲ କୁମାର ସିଂହଲ ଉପରୋକ୍ତ ଔଷଧ ବଣ୍ଟନକୁ ‘ସ୍ଥାନୀୟ ଚିକିତ୍ସା’ ଭାବେ ଅଭିହିତ କରିବା ସହ କହିଛନ୍ତି ଯେ, ଏହା ନିରାପଦ ବୋଲି ସରକାର ଜାଣିପାରିଲେ, ପରବର୍ତ୍ତୀ ନିଷ୍ପତ୍ତି ଗ୍ରହଣ କରାଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/magic.jpg)