ବିଶାଖାପଟନମ୍: ଗୁରୁବାର ଅପରାହ୍ଣରେ ବିଶାଖାପଟନମ୍ ବିମାନ ବନ୍ଦରରେ ଜଣେ ଅଜ୍ଞାତ ବ୍ୟକ୍ତିଙ୍କ ଛୁରାମାଡ଼ରେ ଓ୍ଵାଇଏସ୍ଆର୍ କଂଗ୍ରେସ ମୁଖ୍ୟ ଜଗନ ମୋହନ ରେଡ୍ଡୀ ଆହତ ହୋଇଛନ୍ତି। ତାଙ୍କ ବାମ ବାହୁରେ ଆଘାତ ଲାଗିଛି।
ସାମାନ୍ୟ ଆହତ ହୋଇଥିବା ଜଗନ ମୋହନଙ୍କୁ ବିମାନ ବନ୍ଦରରେ ହିଁ ପ୍ରାଥମିକ ଚିକିତ୍ସା ଯୋଗାଇ ଦିଆଯାଇଛି।
ଆକ୍ରମଣକାରୀଙ୍କୁ ତୁରନ୍ତ ହାଜତକୁ ନିଆଯାଇଛି। ଆକ୍ରମଣକାରୀ ବିଶାଖାପଟନମ୍ ବିମାନ ବନ୍ଦର କ୍ୟାଣ୍ଟିନ୍ରେ ସର୍ଭର୍ ଭାବେ କାମ କରନ୍ତି।
କୁହାଯାଉଛି, ଆକ୍ରମଣକାରୀ ଜଗନ ମୋହନ ରେଡ୍ଡୀଙ୍କ ସହ ସେଲ୍ଫି ନେବାକୁ ଉଦ୍ୟମ କରିବା ବେଳେ ଛୁରି ମାରିଛନ୍ତି।
ଏହି ୪୫ ବର୍ଷିୟ ଜଗନ୍ ହେଉଛନ୍ତି ଆନ୍ଧ୍ରପ୍ରଦେଶର ଭୂତପୂର୍ବ ମୁଖ୍ୟମନ୍ତ୍ରୀ ଓ୍ଵାଇ ଏସ୍ ରାଜଶେଖର ରେଡ୍ଡୀଙ୍କ ପୁତ୍ର। କଂଗ୍ରେସ ପାର୍ଟି ଛାଡ଼ିବାର ପ୍ରାୟ ଚାରି ମାସ ପରେ ୨୦୧୧ ମାର୍ଚରେ ସେ ଓ୍ଵାଇଏସ୍ଆର୍ କଂଗ୍ରେସ ପାର୍ଟି ଗଠନ କରିଥିଲେ।
ମେ ୨୦୧୪ ନିର୍ବାଚନରେ ତାଙ୍କ ଦଳ ରାଜ୍ୟ ଦ୍ୱିତୀୟ ବୃହତ୍ତମ ବିଜୟୀ ଦଳ ହେବା ପରେ ସମ୍ପ୍ରତି ଜଗନ ଆନ୍ଧ୍ରପ୍ରଦେଶ ବିଧାନସଭାରେ ବିରୋଧୀ ଦଳର ନେତା ଅଛନ୍ତି। ଜଗନ କଡ଼ପା ନିର୍ବାଚନ ମଣ୍ଡଳୀରୁ ଜଣେ କଂଗ୍ରେସ ସଦସ୍ୟ ଭାବେ ୨୦୦୯ରେ ନିର୍ବାଚନ ଜିଣିଥିଲେ।