ଶପଥ ନେଲେ ଜଗନ ମୋହନ, ୧୦ ବର୍ଷର ସଂଘର୍ଷ

ହାଇଦ୍ରାବାଦ୍‌ : ବିଧାନସଭା ନିର୍ବାଚନରେ ଐତିହାସିକ ସଫଳତା ହାସଲ କରିଥିବା ୱାଇଏସ୍‌ଆର୍‌ କଂଗ୍ରେସ ମୁଖ୍ୟ ଜଗନ ମୋହନ ରେଡ୍ଡି ଆଜି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ବିଜୟୱାଡ଼ାର ଇନ୍ଦିରା ଗାନ୍ଧୀ ମ୍ୟୁନିସିପାଲ୍‌ ଷ୍ଟାଡିୟମ୍‌ରେ ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ଜଗନ ଆଜି ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି। ଶପଥ ଗ୍ରହଣ ଉତ୍ସବ‌ରେ ଜଗନଙ୍କ ମା’ ବିଜୟଲକ୍ଷ୍ମୀ, ପତ୍ନୀ ଭାରତୀ, ଭଉଣୀ ଶର୍ମିଳା ଏବଂ ଦୁଇ ଝିଅ ଉପସ୍ଥିତ ଥିଲେ। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ର ଶେଖର ରାଓ, ଡିଏମ୍‌କେ ମୁଖ୍ୟ ଏମ୍‌କେ ଷ୍ଟାଲିନ୍‌ ଏବଂ ପଣ୍ଡିଚେରୀ ମନ୍ତ୍ରୀ ମାଲ୍ଲାଡ଼ି କ୍ରିଷ୍ଣା ରାଓ ମଧ୍ୟ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଇଥିଲେ। ଅନ୍ୟପକ୍ଷେ ଟିଡିପି ମୁଖ୍ୟ ଏନ୍‌ ଚନ୍ଦ୍ରବାବୁ ନାଇଡ଼ୁ ଜଗନଙ୍କ ଶପଥ ଗ୍ରହଣ ଉତ୍ସବରେ ନିଜେ ନଯାଇ ତାଙ୍କ ପ୍ରତିନିଧିଙ୍କୁ ପଠାଇଥିଲେ। କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ମଧ୍ୟ ଜଗନଙ୍କୁ ଟ୍ବିଟରରେ ଶୁଭେଚ୍ଛା‌ ଜଣାଇଛନ୍ତି। ଆନ୍ଧ୍ରପ୍ରଦେଶର ୧୭୫ ବିଧାନସଭା ଆସନରୁ ଜଗନଙ୍କ ୱାଇଏସ୍ଆରସିପି ୧୫୧ଟିରେ ଜିତି ରେକର୍ଡ କରିଛି। ନାଇଡ଼ୁଙ୍କୁ ହରାଇବା ପାଇଁ ଜଗନ କଠିନ ପରିଶ୍ରମ କରିଥିଲେ। ଗତ ୧୪ ମାସ ମଧ୍ୟରେ ସେ ୩,୪୬୦ କିମି ପଦଯାତ୍ରା କରିଛନ୍ତି। ୨୦୦୩ରେ ତାଙ୍କ ପିତା ୱାଇଏସ୍‌ ରାଜଶେଖର ରେଡ୍ଡି ମଧ୍ୟ ଏହି ସମାନ ନୀତି ଅବଲମ୍ବନ କରି ସଫଳ ହୋଇଥିଲେ।

୧୦ ବର୍ଷର ସଂଘର୍ଷ
ୱାଇଏସ୍‌ ଜଗନ ମୋହନ ରେଡ୍ଡି ଆଜି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଆନ୍ଧ୍ରପ୍ରଦେଶର ୧୭୫ ବିଧାନସଭା ଆସନରୁ ଜଗନ ୧୫୧ଟିରେ ବିଜୟ ହାସଲ କରି ସମସ୍ତଙ୍କୁ ଚମକାଇ ଦେଇଛନ୍ତି। କିନ୍ତୁ ଜଗନଙ୍କ ଏହି ରାଜନୈତିକ ସଫଳତା ଏତେ ସହଜସାଧ୍ୟ ନଥିଲା। ଦୀର୍ଘ ୧୦ ବର୍ଷର ସଂଘର୍ଷ ପରେ ଜଗନ ତାଙ୍କ ସ୍ବପ୍ନ ସାକାର କରି ପାରିଛନ୍ତି। ଜଗନଙ୍କ ବାପା ତଥା ଅବିଭାଜିତ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ୱାଇଏସ୍‌ ରାଜଶେଖର ରେଡ୍ଡିଙ୍କ ବିମାନ ଦୁର୍ଘଟଣାରେ ମୃତ୍ୟୁ ହେବାପରେ ଜଗନ ମୁଖ୍ୟମନ୍ତ୍ରୀ ପଦ ଚାହିଥିଲେ। କିନ୍ତୁ କଂଗ୍ରେସ ଜଗନଙ୍କୁ ଏହି ସୁ‌ଯୋଗ ଦେଇନଥିଲା। ଦଳଦ୍ବାରା ଅବହେଳା ଓ ଅପମାନର ଶିକାର ହେବାପରେ ଜଗନ କଂ‌ଗ୍ରେସରୁ ବାହାରି ଆସିଲେ ଏବଂ ନିଜେ ଏକ ଦଳ ଗଢ଼ିଲେ। ୱାଇଏସ୍‌ଆରସିପି ଦଳ ଗଢ଼ି ଏହାକୁ ସୁଦୃଢ଼ କରିବାରେ ଲାଗି ପଡ଼ିଲେ।

ଦଳ ପ୍ରଥମେ କଡ଼ପା ଲୋକସଭା ଆସନରେ ବିପୁଳ ଭୋଟ୍‌ରେ ଉପନିର୍ବାଚନ ଜିତିଥିଲା। କିନ୍ତୁ ଏହାପରେ ଜଗନଙ୍କ ଜୀବନ‌ରେ ପୁଣି ଏକ ବିପଦ ମାଡ଼ି ଆସିଲା। ଜଗନଙ୍କର ଆୟବହିର୍ଭୂତ ସମ୍ପତ୍ତି ଠୁଳକୁ ‌ନେଇ ୟୁପିଏ ସରକାର ଅମଳରେ ମାମଲା ରୁଜୁ ହୋଇଥିଲା। କଂଗ୍ରେସ ଜଗନଙ୍କ ବିରୋଧରେ ଅଭିଯାନ ଆରମ୍ଭ କରିବା ପରେ ତାଙ୍କ ପାଇଁ ସ୍ଥିତି ଜଟିଳ ହୋଇପଡ଼ିଲା। ଆନ୍ଧ୍ରପ୍ରଦେଶ ହାଇକୋର୍ଟ ‌ଜଗନଙ୍କ ବିରୋଧରେ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେବାପରେ ଜଗନଙ୍କ ବିରୋଧରେ ଅନେକ ମାମଲା ରୁଜୁ ହେଲା। ୨୦୧୨ ମେ’ ୨୭ରେ ଜଗନଙ୍କୁ ସିବିଆଇ ଗିରଫ କଲା। ଜେଲ୍‌ରେ ୧୬ ମାସ ରହିବାପରେ ଜଗନଙ୍କୁ ଜାମିନ ମିଳିଲା। ୨୦୧୩‌ରେ ଜଗନ ଜେଲ୍‌ରୁ ବାହାରିବାପରେ ନିଜ ଦଳକୁ ମଜବୁତ କରିବାରେ ଲାଗି ପଡ଼ିଲେ। ୨୦୧୪ରେ ଜଗନ ଚନ୍ଦ୍ରବାବୁ ନାଇଡ଼ୁଙ୍କଠାରୁ ହାରି ଯାଇଥି‌ଲେ ମଧ୍ୟ ସଂଗ୍ରାମରୁ ଓହରି ଯାଇ ନଥିଲେ। ୧୪ ମାସର ଲମ୍ବା ପଦଯାତ୍ରା କରି ଜଗନ ଏକ ରେକର୍ଡ ସୃଷ୍ଟି କରିଥିଲେ।

ସମ୍ବନ୍ଧିତ ଖବର