ଓ୍ବାଇଏସଆର କଂଗ୍ରେସର ଆଜୀବନ ସଭାପତି ହେବାକୁ ଜଗନଙ୍କ ନିଷ୍ପତ୍ତି ନେଇ ଆପତ୍ତି ଉଠାଇଲେ ନିର୍ବାଚନ କମିସନ

ନୂଆଦିଲ୍ଲୀ : ଓ୍ବାଇଏସଆର କଂଗ୍ରେସର ସମ୍ବିଧାନକୁ ବଦଳାଇ ନିଜକୁ ଆଜୀବନ ସଭାପତି କରିବାକୁ ଜଗନମୋହନ ରେଡ୍ଡିଙ୍କ ଯୋଜନା ଆଗରେ ଏକ ବଡ଼ ପ୍ରତିବନ୍ଧକ ଦେଖାଦେଇଛି । ନିର୍ବାଚନ କମିସନ ଏ ନେଇ ଆପତ୍ତି ଉଠାଇବା ସହ ଏ ସଂପର୍କରେ ସ୍ଥିତି ସ୍ପଷ୍ଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଓ୍ବାଇଏସଆର କଂଗ୍ରେସକୁ ଏକ ପତ୍ର ଲେଖି କମିସନ ଜଣାଇଛନ୍ତି ଯେ କମିସନଙ୍କ ନିୟମାବ​ଳୀ ଅନୁସାରେ ରାଜନୈତିକ ଦଳମାନେ ନିୟମିତ ବ୍ୟବଧାନରେ ସାଂଗଠନିକ ନିର୍ବାଚନ କରିବା ଆବଶ୍ୟକ । କିନ୍ତୁ ଓ୍ବାଇଏସଆର କଂଗ୍ରେସର ନିଷ୍ପତ୍ତି ଏହି ନିୟମାବ​ଳୀର ବିରୁଦ୍ଧାଚରଣ କରୁଛି ।

ଗୋଟିଏ ଦଳରେ କୌଣସି ବ୍ୟକ୍ତିଙ୍କ ସ୍ଥାୟୀଭାବେ ଏକ ପଦବୀରେ ବସାଇବା ଗଣତନ୍ତ୍ରର ବିରୋଧୀ ହୋଇଥିବାରୁ ତାହାକୁ କମିସନ ଖାରଜ କରୁଛନ୍ତି ।

ଜଗନଙ୍କୁ ସ୍ଥାୟୀ ସଭାପତି କରିବାକୁ ଓ୍ବାଇଏସଆର କଂଗ୍ରେସ ନିଷ୍ପତ୍ତି ନେଇଥିବା ଏକ ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଏହାକୁ ଭିତ୍ତି କରି କମିସନ ଦଳକୁ ଏହି ନୋଟିସ ଜାରି କରିଛନ୍ତି ।

ଏ ପ୍ରସଙ୍ଗରେ ଏକ ଆଭ୍ୟନ୍ତରୀଣ ତଦନ୍ତ କରିବା ସହ ଏ ସଂପର୍କରେ ନିଜ ସ୍ଥିତି ସର୍ବସାଧାରଣରେ ସ୍ପଷ୍ଟ କରିବାକୁ ନିର୍ବାଚନ କମିସନ ଓ୍ବାଇଏସଆର କଂଗ୍ରେସକୁ ନିର୍ଦ୍ଦେଶ ଦେଇଛନ୍ତି ।

ନିର୍ବାଚନ କମିସନଙ୍କ ଏହି ନୋଟିସ ସଂପର୍କରେ ଓ୍ବାଇଏସଆର କଂଗ୍ରେସର ପ୍ରତିକ୍ରିୟା ଜଣାପଡ଼ିନାହିଁ ।

ସୂଚନାଯୋଗ୍ୟ ଯେ, ଜଗନମୋହନ ରେଡ୍ଡୀ ୨୦୧୧ରେ ନିଜ ପରଲୋକଗତ ପିତା ତଥା ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ୍ବାଇଏସ ରାଜଶେଖର ରେଡ୍ଡୀଙ୍କ ନାମରେ ଓ୍ବାଇଏସଆର କଂଗ୍ରେସ ପ୍ରତିଷ୍ଠା କରିଥିଲେ ।

ସମ୍ବନ୍ଧିତ ଖବର