ଆନ୍ଧ୍ରରେ ଜଗନ ସରକାର, ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଜଗନ ମୋହନ ରେଡ୍ଡୀ

ବିଜୟୱାଡା: ପ୍ରତୀକ୍ଷାର ଅନ୍ତ ଘଟାଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଜଗନ ମୋହନ ରେଡ୍ଡୀ | ରାଜ୍ୟପାଳ ଇଏସଏଲ ନରସିଂହ ଆଜି ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି | ବିଜୟୱାଡାର ଇନ୍ଦିରା ଗାନ୍ଧୀ ମ୍ୟୁନିସିପାଲ ଷ୍ଟାଡିୟମରେ ଆଜି ଶପଥ ନେଇଛନ୍ତି | ତେବେ ଶପଥ ସ୍ଥଳକୁ ପ୍ରବେଶ କରିବା ପୂର୍ବରୁ ଏକ ଖୋଲା ଜିପରେ ଜଗନ ଆସିଥିଲେ ଓ ସମବେତ ଜନତାଙ୍କୁ ନମସ୍କାର କରି ଅଭିବାଦନ ଜଣାଉଥିବାର ଦେଖିବାକୁ ମିଳିଥିଲା।

୧୯୭୨ ମସିହା ଡିସେମ୍ବର ୨୧ ତାରିଖରେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ରାଜଶେଖର ରେଡ୍ଡୀଙ୍କ ଔରସରୁ ଜନ୍ମଗ୍ରହଣ କରିଥିଲେ। ପୂର୍ବରୁ ଜଗନ କଡପା ଲୋକସଭା ଆସନରୁ ପ୍ରତିନିଧିତ୍ବ କରିଥିଲେ | ଚଳିତ ନିର୍ବାଚନରେ ଓ୍ୱାଇଏସଆର କଂଗ୍ରେସ ବିପୁଳ ବିଜୟ ହାସଲ କରିଥିଲା। ଆନ୍ଧ୍ରପ୍ରଦେଶର ୧୭୫ଟି ବିଧାନସଭା ଆସନରୁ ଓ୍ୱାଇଏସଆର କଂଗ୍ରେସ୧୫୧ଟି ଆସନରେ ବିଜୟ ଲାଭ କରିଥିଲା ।

ବିଧାନସଭା ନିର୍ବାଚନରେ ଜଗନଙ୍କ ପ୍ରତିଦ୍ୱନ୍ଦୀ ଚନ୍ଦ୍ରବାବୁ ନାଇଡୁଙ୍କ ଦଳ ତେଲୁଗୁ ଦେଶମ ପାର୍ଟି ୨୩ଟି ଆସନରେ ସୀମିତ ରହିଯାଇଛି | ସେହିପରି ଲୋକସଭା ନିର୍ବାଚନରେ ମଧ୍ୟ ୨୫ଟି ଆସନରୁ ୨୨ଟି ଆସନ ହାତେଇଛି ଓ୍ୱାଇଏସଆର କଂଗ୍ରେସ | ଜଗନଙ୍କ ଶପଥ ଗ୍ରହଣ ଉତ୍ସବରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଓ ଡ଼ିଏମକେ ସଭାପତି ଏମକେ ଷ୍ଟାଲିନ ପ୍ରମୁଖ ଯୋଗ ଦେଇଥିଲେ |

ସମ୍ବନ୍ଧିତ ଖବର