ବିଶାଖାପାଟଣମ୍: ଆନ୍ଧ୍ରପ୍ରଦେଶର ନବ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଓ୍ଵାଇଏସ୍ ଜଗନ ମୋହନ ରେଡ୍ଡି ରାଜ୍ୟରେ ସେଣ୍ଟ୍ରାଲ୍ ବ୍ୟୁରୋ ଅଫ୍ ଇନ୍ଭେଷ୍ଟିଗେସନ୍(ସିବିଆଇ)ର ତଦନ୍ତକୁ ପୁନଃଅନୁମତି ଦିଆଯିବ ବୋଲି କହିଛନ୍ତି। ଏଥିଲାଗି ଆବଶ୍ୟକ ‘ସାଧାରଣ ସ୍ୱୀକୃତି’ ଆନ୍ଧ୍ର ସରକାର ପ୍ରଦାନ କରିବେ ବୋଲି ରେଡ୍ଡି ଘୋଷଣା କରିଛନ୍ତି। ଏନେଇ ଏଯାବତ୍ କୌଣସି ଆନୁଷ୍ଠାନିକ ନିର୍ଦ୍ଦେଶ ହୋଇନାହିଁ। କେବଳ ଓ୍ଵାଇଏସ୍ଆର୍ସି ଦଳର ସାଧାରଣ ସଚିବ ତଥା ରାଜ୍ୟସଭା ସାଂସଦ ଭି ବିଜୟ ରାୟ ରେଡ୍ଡି ସୋମବାର ଏକ ଟ୍ଵିଟ୍ କରି ଏ ସଂପର୍କରେ ସୂଚନା ଦେଇଛନ୍ତି।
ସେ ଟ୍ଵିଟ୍ କରି ଲେଖିଛନ୍ତି ଯେ ‘ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତେଲ୍ଗୁ ଦେଶମ ପାର୍ଟି(ଟିଡିପି) ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ଗତ ନଭେମ୍ବର ମାସରେ ନେଇଥିବା ନିଷ୍ପତ୍ତିର ଓଲଟା କରିବାକୁ ଯାଉଛନ୍ତି ନବ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡି। ସିବିଆଇ ଉପରେ ରୋକ ଲଗାଇବା ସହ ଆୟକର ବିଭାଗ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଚଢ଼ଉ ଉପରେ କଟକଣା ଜାରି କରାଯାଇଥିଲା। ମାତ୍ର ଏବେ ସିବିଆଇକୁ ‘ସାଧାରଣ ସ୍ୱୀକୃତି’ ପ୍ରଦାନ କରାଯିବ। କୌଣସି ମତେ ଚୋରମାନେ ଖସି ପାରିବେ ନାହିଁ। ଆପଣ ଶୁଣୁଛନ୍ତି ତ ମିଷ୍ଟର ଚନ୍ଦ୍ରବାବୁ ନାଇଡୁ?’
ଉଲ୍ଲେଖଯୋଗ୍ୟ, ପୂର୍ବରୁ କେନ୍ଦ୍ର ସରକାରଙ୍କ ଇଙ୍ଗିତରେ ସେଣ୍ଟ୍ରାଲ୍ ବ୍ୟୁରେ ଅଫ୍ ଇନ୍ଭେଷ୍ଟିଗେସନ୍ ରାଜ୍ୟରେ ତଦନ୍ତ କରୁଛି ବୋଲି ଅଭିଯୋଗ ଆଣି ଗତ ନଭେମ୍ବର ମାସରେ ଚନ୍ଦ୍ରବାବୁ ନାଇଡୁ ତାଙ୍କ ଶାସନ କାଳ ସମୟରେ ରାଜ୍ୟରେ ସିବିଆଇ ତଦନ୍ତକୁ ନିଷେଧ କରି ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/india-politics_f0b6d79e-85df-11e9-8812-e0f6aa62d95d.jpg)