ଆଜି ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ସଂସ୍କାର ମାମଲାର ଶୁଣାଣି

ନୂଆଦିଲ୍ଲୀ: ଆସନ୍ତା କାଲି ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ସଂସ୍କାର ମାମଲାର ଶୁଣାଣି ହେବ। ବିଚାରପତି ଏସ୍.ସି. ବବଡେ, ବିଚାପତି ନବୀନ ସିହ୍ନା ଓ ବିଚାରପତି ଇନ୍ଦିରା ବାନାର୍ଜୀଙ୍କ ଖଣ୍ଡପୀଠରେ ଶ୍ରୀମନ୍ଦିର ସଂସ୍କାର ମାମଲାର ଶୁଣାଣି ହେବ। ଏହି ମାମଲାରେ ଆମିକସ୍ କ୍ୟୁରି ଭାବେ ଅଦାଲତକୁ ସହାୟତା କରୁଥିବା ବରିଷ୍ଠ ଆଇନଜୀବୀ ରଞ୍ଜିତ କୁମାର ଶ୍ରୀମନ୍ଦିର ପରିଦର୍ଶନ କରି ଗତ ମାସ ୫ରେ ଯେଉଁ ବିସ୍ତୃତ ରିପୋର୍ଟ ଓ ସୁପାରିସ୍ ଦାଖଲ କରିଥିଲେ ସେସମ୍ପର୍କରେ କୋର୍ଟଙ୍କ ରିପୋର୍ଟ ଉପସ୍ଥାପନା କରିବେ ବୋଲି ଜଣାପଡ଼ିଛି। ଆମିକସ୍ କ୍ୟୁରିଙ୍କ ରିପୋର୍ଟରେ ପୁରୀ ଜିଲ୍ଲା ଜଜ୍‌ଙ୍କ ୮ରୁ ୯ଟି ସୁପାରିସ୍ କାର୍ଯ୍ୟକାରୀ ହୋଇଥିବା କହିଥିଲେ। ଦାନ ଦଖିଣା ବାଟମାରଣାକୁ ରୋକାଯାଇ ପାରିଲେ ମନ୍ଦିର ଆୟ ବୃଦ୍ଧି ପାଇବ ଓ ସମସ୍ତ ସମସ୍ୟାର ଦୂରୀକରଣ ସହ ବିନା ବାଧାରେ ଭକ୍ତ ଓ ଶ୍ରଦ୍ଧାଳୁ ଶୃଙ୍ଖଳିତ ଦର୍ଶନ କରିପାରିବେ ବୋଲି ସେ ରିପୋର୍ଟରେ ଉଲ୍ଲେଖ କରିଥିଲେ। ଦର୍ଶନ ବ୍ୟବସ୍ଥା ସମ୍ପର୍କରେ ମୁଖ୍ୟ ମନ୍ଦିର ଗର୍ଭ ଗୃହରେ ଯଥେଷ୍ଟ ସ୍ଥାନ ରହିଥିଲେ ମଧ୍ୟ ଶୃଙ୍ଖଳିତ ଦର୍ଶନ ପାଇଁ କିଛି ବ୍ୟବସ୍ଥା ନଥିବା ସେ ଉଲ୍ଲେଖ କରିଥିଲେ। ବିଭିନ୍ନ କାରଣରୁ ଭକ୍ତମାନେ ହଇରାଣ ହରକତ୍ ହେଉଥିବା ନେଇ ଗତ ଶୁଣାଣିରେ ଖଣ୍ଡପୀଠ ଆମିକସ୍ କ୍ୟୁରିଙ୍କ ରିପୋର୍ଟରୁ ଜାଣିଥିଲେ ଏବଂ ପୁରୀ ଶ୍ରମନ୍ଦିର ସମେତ ଦେଶର ବିଭିନ୍ନ ମନ୍ଦିର ଓ ଧର୍ମପୀଠର ପରିଚାଳନା ଦାୟିତ୍ବରେ ସରକାରୀ ଅଧିକାରୀ ରହିଥିବାରୁ ଏହାକୁ ନେଇ ସୁପ୍ରିମକୋର୍ଟ ପ୍ରଶ୍ନ ଉଠାଇଥିଲେ। ଆସନ୍ତା କାଲିର ଶୁଣାଣିରେ ଏସବୁ ପ୍ରସଙ୍ଗ ଖୁବ୍‌ ଗୁରୁତ୍ବ ବହନ କରୁଛି।

ସମ୍ବନ୍ଧିତ ଖବର